ଦୁର୍ଘଟଣା

ଟ୍ରକ୍‌କୁ ପଛରୁ ପିଟିଲା ମିନି ବସ୍‌

ଦ୍ରୁତଗତିରେ ଯାଉଥିବା ଏକ ମିନି ବସ୍ ଭାରସାମ୍ୟ ହରାଇ ଟ୍ରକ୍ ପଛରେ ପିଟି ଦେଇଛି। ଘଟଣାସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ଏଭଳି ଘଟଣାଟି ଘଟିଛି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର (ପୂର୍ବର ଔରାଙ୍ଗାବାଦ) ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସୱେର ବୈଜାପୁର ଅଞ୍ଚଳରେ। ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳକୁ ଏହି ଦୁର୍ଘଟଣା ଘଟିଥିଲା। ତେବେ ସେହି ମିନି ବସ୍‌ଟିରେ ମୋଟ ୩୫ ଜଣ ତୀର୍ଥଯାତ୍ରୀ ଥିଲେ। ସେମାନେ ବୁଲଢାଣା ସୈଲାନୀ ବାବା ଦରଗାହରୁ ଫେରି ନାଶିକ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ମିନି ବସ୍‌ଟି ଦ୍ରୁତଗତିରେ ଯାଉଥିବା ବେଳେ ଡ୍ରାଇଭର ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ। ସେଥିପାଇଁ ଏହି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ପୋଲିସ୍ ତଦନ୍ତରୁ ଜାଣିବାକୁ ପାଇଛି। ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ, ୬ ଜଣ ମହିଳା ଓ ଜଣେ ନାବାଳିକା ଅଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Show More

Related Articles

Back to top button