ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହେଲାଣି କୋରାପୁଟ

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅଞ୍ଚଳରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି। ଏହି ରୋଗରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଅଞ୍ଚଳବାସୀ। କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡା ପଦର ପଞ୍ଚାୟତ ଅଧିନସ୍ଥ ଦେଓଖଡଗ ଗାଁରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଗାଁକୁ ଆମ୍ବୁଲାନ୍ସ ଗାଡ଼ି ପହଞ୍ଚି ପାରି ନ ଥିବା ରୁ ଗତକାଲି ବିଳମ୍ବିତ ରାତିରେ ୮ ବର୍ଷିଆ ନାବାଳିକା ବାସନ୍ତୀ ମୁଦୁଲିର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି। ମୃତ୍ୟୁର ଗୋଟିଏ ଦିନ ପରେ ପୁଣି ମୃତ ବାଳିକାର ବଡ ଭଉଣୀ ସୁରଭି ମୁଦୁଲି (୧୧) କୁ ଷ୍ଟ୍ରେଚରରେ ବୋହି, ଅନ୍ଧାରୀ ନଦୀ ପାରି କରି ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। କେବଳ ସେତିକି ନୁହେଁ, ସେହି ଗାଁର ପଦ୍ମନି ମୁଦୁଲି ( ୪୫ ) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଥିବା ବେଳେ ସେହି ପଞ୍ଚାୟତର ଶିଶି କୁଡି ଗାଁର, ଭଗବତୀ ପାଇକ (୩୫) , ଏବଂ ଶୁକ୍ରି ମୁଦୁଲି (୨୩) ବି ଆକ୍ରାନ୍ତ ହୋଇଛନ୍ତି। ସୂଚନା ଅନୁସାରେ, ଗତ କିଛି ଦିନ ତଳେ ସେହି ଗାଁର କେତେକ ଲୋକ ଦୂଷିତ ପାଣି ବ୍ୟବହାର କରି ଝାଡ଼ାବାନ୍ତିର ଶିକାର ହୋଇ ଥିଲେ । କିଛି ଦିନ ପରେ ପୁଣି ଥରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କିଛି ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ଜଣାପଡିଛି। ଗତ ଥର ମଧ୍ୟ ଡାକ୍ତରଖାନା ପକ୍ଷରୁ ସ୍ବାସ୍ଥ୍ୟ ବିଭାଗ ଟିମ୍ ଗାଁରେ ଯାଇ, ଲୋକ ମାନଙ୍କୁ, ସଚେତନତା କରିବା ସହ, ପ୍ରତିଷେଧକ ଔଷଧ ଦେଇ ଫେରି ଥିଲେ। ତଥାପି ଦୂଷିତ ପାଣି ଯୋଗୁଁ, ଗାଁରେ ଝାଡ଼ାବାନ୍ତି କମୁ ନ ଥିବା ଗ୍ରାମବାସୀ କହିଛନ୍ତି। ଏସମ୍ପର୍କରେ ଭ୍ରାମ୍ୟମାଣ ଡା. ବ୍ରଜ ବିହାରୀ ନାଥ ଶର୍ମାଙ୍କୁ ଯୋଗାଯୋଗ କରିଥିଲୁ। ତେବେ ସେ କହିଥିଲେ ଯେ, ଗାଁ ମାନଙ୍କରେ ସ୍ଥାୟୀ ବିଶୁଦ୍ଧ ପାନୀୟ ଜଳର ସୁବିଧା କରା ଯାଇ ନାହିଁ। ସେହି ଦୂଷିତ ପାଣି ପିଇ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହେଉଛନ୍ତି। ଯେତେ ଔଷଧ ଦେଲେ ମଧ୍ୟ ବିଶୁଦ୍ଧ ପାନୀୟ ଜଳର ଅଭାବ ଯୋଗୁଁ ଝାଡ଼ା ବାନ୍ତି କମୁ ନାହିଁ ବୋଲି ପ୍ରକାଶ କରିଛନ୍ତି। ବିଶେଷ କରି, ଦଶମନ୍ତପୁର ବ୍ଲକ ଅଞ୍ଚଳରେ ପାନୀୟ ଜଳର ସମସ୍ୟା ରହିଛି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଆଜିବି ଦୂଷିତ ପାଣି ଲୋକେ ବ୍ୟବହାର କରୁଥିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି, ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ଲାଗି ଗାଁ ଲୋକେ ଦାବି କରିଛନ୍ତି।