ଛୁଟି ନ ମିଳିବାରୁ ଆତ୍ମହତ୍ୟା କଲେ ଯବାନ

ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଖଡ଼ୁପାଣି ସିଆର୍ପିଏଫ୍ କ୍ୟାମ୍ପରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଲିଛି। ଘରକୁ ଯିବା ପାଇଁ ଛୁଟି ନ ମିଳିବାରୁ ସିଆର୍ପିଏଫ୍ ବାଟାଲିୟନ ଏଫ୍-୧୯ର ଏସ୍ଆଇ ଡି. ଗୁନ୍ନ ଶେଖରନ୍ (୫୮) ନିଜ ସର୍ଭିସ ବନ୍ଧୁକ ଏକେ-୪୭ରୁ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାଯାଇଛି। ତାମିଲନାଡ଼ୁ ନିଲୁର୍ ଜିଲ୍ଲା ଗୁଡ଼ୁପଲ୍ଲି ଗାଁରେ ତାଙ୍କ ଘର। ନୂଆପଡ଼ା ଏସ୍ପି ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିବା ଜଣାଯାଇଛି। ସୂଚନା ଅନୁସାରେ, ଗତ ରବିବାର ସକାଳ ୯ଟାରେ ନିଜ କୋଠରିରେ କେହି ନଥିବା ସମୟରେ ଏସ୍ଆଇ ଡି. ଗୁନ୍ନ ଶେଖରନ୍ ସୁରକ୍ଷା ପାଇଁ ଧରିଥିବା ସର୍ଭିସ ବନ୍ଧୁକ ଏକେ-୪୭କୁ ନିଜ ବେକର ଲଗାଇ ଗୁଳି ଚଳାଇଥିଲେ। ଗୁଳି ଫୁଟିବାର ଶବ୍ଦ ଶୁଣି ପାଖରେ ଥିବା ଅନ୍ୟ ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯବାନ ଜଣକ ତାଙ୍କ ସର୍ଭିସ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ଜାଣିବା ପରେ ପୁଲିସ ପକ୍ଷରୁ ଡଗ୍ସ୍କ୍ବାଡ୍ ନେଇ ତଦନ୍ତ ଆରମ୍ଭ କରାଯାଇଥିଲା। ନୂଆପଡ଼ା ଏସ୍ପି ଜି.ଆର୍. ରାଘବେନ୍ଦ୍ର, ଖଡ଼ିଆଳ ଏସ୍ଡିପିଓ ଅରୂପ ଅଭିଷେକ ବେହେରା, ବୋଡ଼େନ ଥାନା ଭାରପ୍ରାପ୍ତ ଅଧିକାରୀ ଗୋବିନ୍ଦ ମାଝୀ ଓ ବୋଡ଼େନ ତହସିଲଦାର ସରିତା ଗୁପ୍ତା ସେଠାରେ ପହଞ୍ଚିଥିଲେ। ଯବାନଙ୍କ ମୃତଦେହ ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ବ୍ୟବଛେଦ ପରେ ମରଶରୀରକୁ ନୂଆପଡ଼ା ସିଆର୍ପିଏଫ୍ କ୍ୟାମ୍ପକୁ ଅଣାଯାଇ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ଏହା ପରେ ରାୟପୁରରୁ ବିମା ଯୋଗେ ତାଙ୍କ ଘରକୁ ମରଶରୀର ପଠାଯାଇଥିବା ଏସ୍ପି କହିଛନ୍ତି। ସମ୍ପୃକ୍ତ ଯବାନଙ୍କ ପରିବାର କୌଣସି ଅସୁବିଧାରେ ରହିଥିବାରୁ ସେ ଛୁଟି ପାଇଁ ବାରମ୍ବାର ଆବେଦନ କରୁଥିଲେ। ହେଲେ ତାଙ୍କ ଛୁଟି ନାମଞ୍ଜୁର ହେଉଥିବା ଜଣାପଡ଼ିଛି। ଫଳରେ ନିରାଶ ହୋଇ ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।