
ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅଂଚଳରେ ଜଣେ ଯୁବକଙ୍କୁ କୋଦାଳରେ ଛେଚି ହତ୍ୟା କରାଯାଇଛି। ଏନେଇ ଏକ ଅଭିଯୋଗ ହେଇଛି ଆଉ ଏହି ଅଭିଯୋଗ ଆଧାରରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଯୁବକ ନାଁ ହେଲା ମାଧବ ସର୍ଦ୍ଧାର(୨୫)।ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପୁରୁଣାନପାଣି ଗ୍ରାମର ପର ତାମଳବନ୍ଧ ରମାକାନ୍ତ ଗିରିଙ୍କ ପୁଅ ମନରଞନ ଗିରି ଓ ମାଧାଇ ସର୍ଦ୍ଧାରଙ୍କ ପୁଅ ମାଧବ ସର୍ଦ୍ଧାର ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ମାଧବ ସେଥିରେ ଉତକ୍ଷିପ୍ତ ହୋଇ ଏକ କୋଦାଳ ଆଣି ମନୋରଂଜନଙ୍କୁ ଛେଚିବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ଅବସ୍ଥା ସଙ୍କଟ୍ଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମନୋରଂଜନ ଗିରିଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ଏନେଇ ରାଇରଙ୍ଗପୁର ଟାଉନ ଥାନାରେ କେସ୍ ନଂ ୩୨୨/୨୩ ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ମାଧବକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏସଆଇ ଆଲୋକ କୁମାର ସିଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି।