ଦେଶ ବିଦେଶ

ଇସ୍ରାଏଲ୍‌ ଯୁଦ୍ଧାସ୍ତ୍ର ଦେଇ ଆମେରିକାର ଏଣ୍ଟ୍ରି

୫ ଦିନରେ ପହଞ୍ଚିଲା ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ । ଏଥିରେ ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ମୃତକଙ୍କ ମଧ୍ୟରେ ଅଛନ୍ତି ଇସ୍ରାଏଲର ୧୬୯ ଯବାନ । ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ଜାରି,ଛାରଖାର ହୋଇଗଲାଣି ଗାଜା । ଯୁଦ୍ଧ ବନ୍ଦ କରିବାକୁ ଭାରତର ହସ୍ତକ୍ଷେପ ଦାବି କଲା ପାଲେଷ୍ଟାଇନ । ଭାରତରେ ଅବସ୍ଥାପିତ ପାଲେଷ୍ଟାଇନର ରାଷ୍ଟ୍ରଦୂତ ଅବୁ ଅଲହେଜା କହିଛନ୍ତି, ଭାରତ, ଇସ୍ରାଏଲ ଓ ପାଲେଷ୍ଟାଇନର ଭଲ ବନ୍ଧୁ । ତେବେ ଖବର ଅନୁଯାଇ ଇସ୍ରାଏଲ୍‌କୁ ଯୁଦ୍ଧାସ୍ତ୍ର ଦେଇ ସାହାଯ୍ୟର ହାତ ବଢାଇଲା ଆମେରିକା। ଗତକାଲି ନେତାନ୍ୟାହୁଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ବାଇଡେନ୍‌। ହମାସ୍ ଆକ୍ରମଣ କରି ମହାପାପ କରିଛି ବୋଲି କହିଛନ୍ତି ବାଇଡେନ୍‌। ଧୂଆଁ ଧୂଆଁ ଗାଜା ଷ୍ଟ୍ରିପ । ଇସ୍ରାଏଲର କାଉଣ୍ଟର ଆଟାକରେ ମାଟିରେ ମିଶିବାକୁ ଯାଉଛି ହମାସର ଗଡ। ନିଜ ନାଗରିକ ପଣବନ୍ଦୀ ଥିବା ସତ୍ତ୍ବେ ହମାସ ନିପାତ ପାଇଁ ସବୁ ବଳ ଲଗାଇଛି ଇସ୍ରାଏଲ। ୧୭ ଶହ ଆତଙ୍କୀ ସଫା ହୋଇଥିବା ବେଳେ ସୀମାରେ ଦେଖିବା ମାତ୍ରେ ଗୁଳି ମାରିବାକୁ ନିର୍ଦ୍ଦେଶ ରହିଛି। ସେଥିପାଇଁ ପାଲେଷ୍ଟାଇନ ସୀମା କିବୁଜରେ ସତର୍କ ରହିଛି ଇସ୍ରାଏଲ ସେନା। ଇସ୍ରାଏଲ ପକ୍ଷରୁ ଗାଜା ସୀମା ନିକଟରେ ୧ ଲକ୍ଷ ସୈନିକ ମୁତୟନ କରାଯାଇଛି। ଆହୁରି ୩ ଲକ୍ଷ ରିଜର୍ଭ ସୈନ୍ୟଙ୍କୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ହମାସକୁ ସଫା କରିବାକୁ ରାତିଦିନ ଏକା କରିଦେଇଛି ଇସ୍ରାଏଲ।ସେପଟେ ପ୍ରାୟ ଦୁଇ ଲକ୍ଷ ଲୋକ ଗାଜା ଷ୍ଟ୍ରିପ ଛାଡିଥିବା ବେଳେ ନିଜ ଲୋକଙ୍କୁ ସୁରକ୍ଷା ଦେବାକୁ ଇସ୍ରାଏଲ ଛିଡ଼ା କରିଛି ଟ୍ୟାଙ୍କ ପ୍ରାଚୀର। ହେଲେ ହମାସ ବି ପଛକୁ ହଟୁନି। ଗାଜାରୁ ଇସ୍ରାଏଲ ଉପରେ ରକେଟ ପଡୁଛି ଏବଂ ବୋମା ବର୍ଷୁଛି। ତେଲ ଅଭିଭର ସୁରକ୍ଷା ବଳୟ ଭେଦ କରି ହମାସ କରୁଛି ରକେଟ ମାଡ। ହମାସ ଆକ୍ରମଣରେ ଇସ୍ରାଏଲରେ ହଜାରେ ଜଣଙ୍କର ମୃତ୍ୟୁ ହୋଇଛି। ସେପଟେ ହମାସର ସାଥିରେ ଥିବା ଲେବାନନରୁ ବି ଇସ୍ରାଏଲ ଉପରେ ରକେଟ ମାଡ କରାଯାଉଛି। ଫଳରେ ଯୁଦ୍ଧରେ ଅନ୍ୟ ପକ୍ଷ ମୁଣ୍ଡ ଖେଳାଉଥିବାରୁ ଇସ୍ରାଏଲର ପାରା ବଢିଛି।

Show More

Related Articles

Back to top button