Breaking PLUSଓଡ଼ିଶା

ଅପରାଜେୟ ଜନନେତା ହରେକୃଷ୍ଣ ମହତାବ

ସ୍ବାଧୀନତୋତ୍ତର ଓଡ଼ିଶ‌ାରେ ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ହୋଇଥିବା ୧୪ ଜଣ ରାଜନେତାଙ୍କ ମଧ୍ୟରୁ ୬ ଜଣ ନିଜନିଜ ଦୀର୍ଘ ରାଜନୈତିକ ଜୀବନରେ ବହୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ କେବେ ହାରି ନଥିଲେ। ସେମାନେ ହେଲେ, ଡ. ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ବିଶ୍ବନାଥ ଦାଶ, ନନ୍ଦିନୀ ଶତପଥୀ ଓ ନବୀନ ପଟ୍ଟନାୟକ। ଅନ୍ୟ ପକ୍ଷରେ, ବିଜୁ ପଟ୍ଟନାୟକ, ବୀରେନ୍ ମିତ୍ର, ସଦାଶିବ ତ୍ରିପାଠୀ, ବିନାୟକ ଆଚାର୍ଯ୍ୟ, ନୀଳମଣି ରାଉତରାୟ, ଜାନକୀବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ବାଳ ଓ ଡ. ଗିରିଧର ଗମାଙ୍ଗ ଅନ୍ୟୂନ ଥରେ କିମ୍ବା ଏକାଧିକ ଥର ପରାଭବ ଭୋଗିଥିଲେ। କେବେ ହାରି ନ ଥିବା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଇତିହାସ କ୍ରମରେ ଏହି ସ୍ତମ୍ଭରେ ହରେକୃଷ୍ଣ ମହତାବ। ୧୯୬୨ ତୃତୀୟ ଲୋକସଭା ନିର୍ବାଚନରେ ଅନୁଗୁଳ ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବରେ ହରେକୃଷ୍ଣ ମହତାବ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଥିଲେ। ନିର୍ବାଚନ ସମୟରେ ଗଣତନ୍ତ୍ର ପରିଷଦ ଦଳ ସ୍ବତନ୍ତ୍ର ଦଳରେ ବିଲୀନ ହୋଇସାରିଥିଲା। ସେତେବେଳେ ଅନୁଗୁଳ ନିର୍ବାଚନମଣ୍ଡଳୀର ୪,୪୫,୧୬୫ ଭୋଟର ମଧ୍ୟରୁ ଅଧିକାଂଶ ଗଡ଼ଜାତବାସୀ। ବାମଣ୍ଡା (ଦେବଗଡ଼) ମଧ୍ୟରୁ ରେଢ଼ାଖୋଲ, ଆଠମଲ୍ଲିକ ଆଦି ପୂର୍ବଗଡ଼ଜାତ ଅନୁଗୁଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଥିଲା। କିଛି ମାସ ଆଗରୁ ୧୯୬୧ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଗଣତନ୍ତ୍ର ପରିଷଦ ଦଳ ବିଶେଷ ସଫଳତା ପାଇଥିଲା। ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସଙ୍ଗେ ୧୯୬୨ ଜାନୁଆରିରେ ହେବା କଥା। ମାତ୍ର କଂଗ୍ରେସ-ଗଣତନ୍ତ୍ର ପରିଷଦ ମିଳିତ ମନ୍ତ୍ରିମଣ୍ଡଳ ଭାଙ୍ଗିଯିବାରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଶାସନ (୨୫.୨.୧୯୬୧- ୨୩.୬.୧୯୬୧) ଲାଗୁ ହୋଇଥିଲା। ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ବିଧାନସଭା ନିର୍ବାଚନ ଲଢ଼ିଥିଲା। ୧୯୬୧ ଜୁନ୍ ୨ରୁ ୮ ତାରିଖ ମଧ୍ୟରେ ଭୋଟ୍‌ ଗ୍ରହଣ ହେଲା। ବ୍ୟାଲାଟ୍‌ ପେପରରେ ମୋହର ମାରିବା ପଦ୍ଧତିରେ ତାହା ଥିଲା ପ୍ରଥମ ନିର୍ବାଚନ। ସେତେବେଳେ ବିଜୁବାବୁଙ୍କ ବିରୋଧୀ ହୋଇ ଯାଇଥିଲେ ହରେକୃଷ୍ଣ ମହତାବ। ମହତାବ ବିଧାୟକ ପ୍ରାର୍ଥୀ ହେବାକୁ ମନାକରି ଦେଇଥିଲେ। ୧୪୦ରୁ ୮୨ ସଭ୍ୟଙ୍କୁ ଜିଣାଇ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ। ମନ୍ତ୍ରିମଣ୍ଡଳରେ ମହତାବଙ୍କ କେହି ଦୃଢ଼ ସମର୍ଥକ ସ୍ଥାନ ପାଇଲେ ନାହିଁ। ମହାତାବଙ୍କ ପୂର୍ବ ମିଳିତ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ବୃନ୍ଦାବନ ନାୟକ ବିଜୁ ମନ୍ତ୍ରିମଣ୍ଡଳରେ ତଳ ପାହ୍ୟାକୁ ଆସି ଉପମନ୍ତ୍ରୀ ହୋଇ ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ ପଞ୍ଚାୟତ ବିଭାଗ ପାଇଲେ।  ପରେପରେ ସୁନ୍ଦରମଣି ପଟେଲ ରାଜ୍ୟସଭା ସଭ୍ୟ (୧୯୬୨-୧୯୬୮) ହେଲେ। ଶ୍ରଦ୍ଧାକର ସୂପକାର ମଧ୍ୟ ସ୍ୱତନ୍ତ୍ର ଦଳର ରାଜା ମହେନ୍ଦ୍ର ବାହାଦୁର ଶଙ୍କର ପ୍ରତାପ ସିଂହଦେଓଙ୍କ ପରଲୋକ ପରେ ଅବଶିଷ୍ଟ ସମୟ )୧୯୬୫-୧୯୭୦) ପାଇଁ ରାଜ୍ୟସଭା ସଭ୍ୟ ହେଲେ।

Show More

Related Articles

Back to top button