ଦେଶ ବିଦେଶବାଣିଜ୍ୟ

ଏସିଆରେ ଭାରତର ପ୍ରାଧାନ୍ୟ କମୁଛି, ଆମେରିକା ପରେ ଦ୍ୱିତୀୟରେ ଚିନ ସବୁଠାରୁ କ୍ଷମତାଶାଳୀ

ଏସିଆ ମହାଦେଶରେ ଭାରତର ପ୍ରାଧାନ୍ୟ ହ୍ରାସ ପାଇବାରେ ଲାଗିଛି। ଏକ କ୍ଷମତାଶାଳୀ ରାଷ୍ଟ୍ର ଭ‌ାବେ ଏହା ନିଜର ଗୁରୁତ୍ବ ହରାଉଛି

ସେହି ସମୟରେ ପଡ଼ୋଶୀ ଦେଶ ଚୀନ୍ କିନ୍ତୁ ନିଜର କ୍ଷମତାକୁ ବହୁ ଗୁଣ ବଢ଼ାଇପାରିଛି ବୋଲି ସିଡ୍‌ନିର ଲୋଇ ଇନଷ୍ଟିଚ୍ୟୁଟ୍‌ ତରଫରୁ ଜାରି କରାଯାଇଥିବା ଏସିଆ କ୍ଷମତା ସୂଚୀ ୨୦୨୦ରେ ପ୍ରକାଶ କରାଯାଇଛି। ରିପୋର୍ଟ ଅନୁସାରେ କ୍ଷମତାଶାଳୀ ଦେଶ ତାଲିକାରେ ଭାରତ ଚତୁର୍ଥ ସ୍ଥାନକୁ ଖସିଆସିଛି। ଆମେରିକା ଏକ ନମ୍ବର ସ୍ଥାନରେ ଥିବା ବେଳେ ଚୀନ୍ ଦ୍ବିତୀୟରେ ରହିଛି। ସବୁଠୁ ବଡ଼ କଥା ହେଉଛି ଆମେରିକା ଓ ଚୀନ୍ ଭିତରେ ରହିଥିବା ଅନ୍ତର ହ୍ରାସ ପାଇଛି। ଆମେରିକାର ଏକ ନମ୍ବର ସ୍ଥାନ ପ୍ରତି ଚୀନ୍ ବିପଦ ଭାବେ ଉଭା ହୋଇଛି। ଭାରତର କ୍ଷମତା ସ୍କୋର୍ ୨୦୧୯ରେ ୪୧ ଥିଲା। ଚଳିତ ବର୍ଷ ତାହା ୩୯.୭ ପ୍ରତିଶତକୁ ହ୍ରାସ ପାଇବାରୁ ଏହା ‘ପ୍ରମୁଖ କ୍ଷମତାଶାଳୀ’ ରାଷ୍ଟ୍ରର ମାନ୍ୟତା ହରାଇଛି।ଏହି ରିପୋର୍ଟରେ କୁହାଯାଇଛି ଯେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କୋଭିଡ୍-୧୯ ଯୋଗୁ ଭାରତର ଅଭିବୃଦ୍ଧି ସମ୍ଭାବନା ସର୍ବା‌ଧିକ ପ୍ରଭାବିତ ହୋଇଛି। ଏକ କ୍ଷମତାଶାଳୀ ରାଷ୍ଟ୍ର ଭାବେ ଉଭା ହେବାର ପ୍ରତିଯୋଗିତାରେ ଭାରତ ପଛରେ ପଡ଼ିଯାଇଛି। ଏହା ଚୀନ୍‌ ଠାରୁ ବହୁ ପଛରେ ରହିଛି। ଭବିଷ୍ୟତରେ ଚୀନ୍‌ର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ଭାରତ ଉଭା ହେବାର ସମ୍ଭାବନା ମଧ୍ୟ ମଳିନ ପଡ଼ିବାରେ ଲାଗିଛି। ଭାରତ କେବଳ ଜନସଂଖ୍ୟା ଦୃଷ୍ଟିରୁ ଚୀନ୍ ସହ ତୁଳନୀୟ। ଅନ୍ୟ କ୍ଷେତ୍ରଗୁଡ଼ିକରେ ଏହା ଚୀନ୍‌ର ସମକ୍ଷକ ହେବା ଅବ‌ାସ୍ତବ ମନେ ହେଉଛି। କରୋନା ମହାମାରୀ ଯୋଗୁଁ ଭାରତ ଓ ଚୀନ୍ ମଧ୍ୟରେ ରହିଥିବା ଅନ୍ତର ବଢ଼ିଯାଇଛି ବୋଲି ଲୋଇ ଇନଷ୍ଟିଚ୍ୟୁଟ୍‌ ରିପୋର୍ଟରେ କୁହାଯାଇଛି।

 

ରିପୋର୍ଟ ଅନୁସାରେ, ଚଳିତ ଦଶନ୍ଧୀ ଶେ‌ଷ ବେଳକୁ ଭାରତ ଅତିବେଶିରେ ଚୀନ୍‌ର ୪୦ ପ୍ରତିଶତ ଅର୍ଥନୈତିକ ଉତ୍ପାଦନ ପାଖାପାଖି ପହଞ୍ଚିପାରିବ। ୨୦୧୯ ଆକଳନ ଅନୁସାରେ ଭାରତ ୫୦ ପ୍ରତିଶତରୁ ଉପରେ ରହିବ ବୋଲି କୁହାଯାଉଥିଲା। ୨୦୩୦ ସୁଦ୍ଧା ଭାରତର ଅର୍ଥନୀତି ପୂର୍ବ ଆକଳନ ତୁଳନାରେ ୧୩ ପ୍ରତିଶତ ଛୋଟ ରହିବ। ଏହାର କ୍ରୟ ଶକ୍ତି କ୍ଷମତା ୩ ଟ୍ରିଲିୟନ ଡଲାର ଭିତରେ ରହିବ। ଯଦିଓ ଅର୍ଥନୈତିକ ଦୃଷ୍ଟିରୁ ଭାରତର ସ୍ଥିତି ଦୁର୍ବଳ ହୋଇଛି, କିନ୍ତୁ କୂଟନୈତିକ ପ୍ରଭାବ କ୍ଷେତ୍ରରେ ଏହାର ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଥିବା ରିପୋର୍ଟରେ କୁହାଯାଇଛି। କୂଟନୈତିକ ପ୍ରଭାବ କ୍ଷେତ୍ରରେ ଦକ୍ଷିଣ କୋରିଆ ଓ ରୁଷିଆକୁ ଭାରତ ଅତିକ୍ରମ କରି ଆମେରିକା ପଛକୁ ଚତୁର୍ଥ ସ୍ଥାନରେ ରହିଛି। ପ୍ରତିରକ୍ଷା ଏବଂ ଅର୍ଥନୈତିକ ସମ୍ପର୍କ ହେଉଛି ଭାରତର ଦୁଇଟି ପ୍ରମୁଖ ଦୁର୍ବଳତା ବୋଲି ଲୋଇ ଇନଷ୍ଟିଚ୍ୟୁଟ୍‌ ରିପୋର୍ଟରେ କୁହାଯାଇଛି। ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଗୋଟିଏ ପାହାଚ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛି। ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ସହିତ ମିଶି ଭାରତ ଯେଉଁ ଦଳ ଗଠନରେ ସାମିଲ ହୋଇଛି, ସେଥିପାଇଁ ଏହାର ପ୍ରତିରକ୍ଷା ସ୍ଥିତିରେ ସମାନ୍ୟ ଉନ୍ନତି ହୋଇଛି। ଅର୍ଥନୈତିକ ସମ୍ପର୍କ କ୍ଷେତ୍ରରେ ଭାରତ ସମ୍ପର୍କ କ୍ଷେତ୍ରରେ ଭାରତ ସପ୍ତମ ସ୍ଥାନକୁ ଖସିଆସିଛି। ଆଞ୍ଚଳିକ ଅର୍ଥନୈତିକ ବ୍ୟାପକ ସହଯୋଗିତା (ଆର୍‌ସିଇପି)ରୁ ଓହରିବା ଲାଗି ଭାରତ ନିଷ୍ପତ୍ତି ନେବାରୁ ଏହାର ରୢାଙ୍କିଙ୍ଗ୍‌ରେ ଅବନତି ହୋଇଛି।

Show More

Related Articles

Back to top button