ଦେଶ ବିଦେଶବାଣିଜ୍ୟ

ଅକ୍ଟୋବର ମାସରେ ସୁଧାର, ହଟୁଛି କୋଭିଡ୍‌-୧୯ ପ୍ରଭାବ

କୋଭିଡ୍‌-୧୯ ସଂକ୍ରମଣ ପରେ ପ୍ରଥମ ଥର ଲାଗି ଅକ୍ଟୋବର ମାସରେ ଅନେକ କ୍ଷେତ୍ରରେ ସୁଧାରର ସ୍ପଷ୍ଟ ସଙ୍କେତ ଦେଖିବାକୁ ମିଳିଛି

ରେଳ ଜରିଆରେ ମାଲ୍ ପରିବହନ ବଢ଼ିଥିବା ବେଳେ ଗାଡ଼ି ବିକ୍ରି, ବିଦ୍ୟୁତ ବ୍ୟବହାର, ଜିଏସ୍‌ଟି ସଂଗ୍ରହ, ଡିଜେଲ୍ ବିକ୍ରି ଓ ଡିଜିଟାଲ୍ କାରବାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଲକ୍‌ଡାଉନ୍ ପରେ ପ୍ରଥମ ଥର ପାଇଁ ଜିଏସ୍‌ଟି ସଂଗ୍ରହ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବା ପରେ କେନ୍ଦ୍ର ସରକାର ଉତ୍ସାହିତ ହୋଇପଡ଼ିଛନ୍ତି। ଅର୍ଥନୀତି ପାଇଁ ଦରକାର ପଡ଼ିଲେ ଆଉ ଏକ ପ୍ୟ‌ା‌େକଜ୍ ଘୋଷଣା କରାଯିବ ବୋଲି ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ ଏକ ସାକ୍ଷାତକାରରେ ଆଜି କହିଛନ୍ତି। ସେ କହିଛନ୍ତି ଯେ ଯେଉଁ କ୍ଷେତ୍ର ଲାଗି ପ୍ୟା‌େ‌କଜ୍ ଦରକାର ହେବ ସେଥିପାଇଁ ସରକାର ବ୍ୟବସ୍ଥା କରିବେ। ଅନେକ କ୍ଷେତ୍ରର ସ୍ଥିତି ଲକ୍‌ଡାଉନ୍ ପୂର୍ବବର୍ତୀ ସମୟକୁ ଫେରିଛି। ଆଗାମୀ ଦିନରେ ଅର୍ଥନୀତିର ଗତି ଆହୁରି ତ୍ବରାନ୍ବିତ ହେବ ବୋଲି ସେ କହିଛନ୍ତି

ବିଦ୍ୟୁତ ବ୍ୟବହାର ବଢ଼ିଲା
ଭାରତର ବିଦ୍ୟୁତ ବ୍ୟବହାର ଅକ୍ଟୋବରରେ ୧୩.୩୮ ପ୍ରତିଶତ ବୃଦ୍ଧି ପାଇ ୧୧୦.୯୪ ବିଲିଅନ ୟୁନିଟ୍ ହୋଇଛି। ଶିଳ୍ପ ସଂସ୍ଥା ଓ ବାଣିଜ୍ୟିକ କାର୍ଯ୍ୟକଳାପରେ ବିଦ୍ୟୁତ ବ୍ୟବହାର ବୃଦ୍ଧି ପାଇଛି। ଗତବର୍ଷ ଅକ୍ଟୋବରରେ ଏହା ଠାରୁ କମ୍ ଅର୍ଥାତ ୯୭.୮୪ ବିଲିଅନ ୟୁନିଟ୍‌ର ବିଦ୍ୟୁତ ଶକ୍ତି ବ୍ୟବହାର ହୋଇଥିଲା। ଲକ୍‌ଡାଉନ୍ ଦ୍ବାରା ବନ୍ଦ ହୋଇଥିବା କିମ୍ବା ସାମୟିକ ସମୟ ପାଇଁ ପ୍ରଭାବିତ ହୋଇଥିବା ଶିଳ୍ପ କାରଖାନା ଓ ବାଣିଜ୍ୟିକ ୟୁନିଟ୍‌ଗୁଡ଼ିକ ପୁଣି କାର୍ଯ୍ୟକ୍ଷମ ହୋଇଥିବାର ଏହା ହେଉଛି ସ୍ପଷ୍ଟ ସଙ୍କେତ। ଗତ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର ଗତବର୍ଷ ତୁଳନାରେ କମ୍ ରହିଥିଲା।
ପେଟ୍ରୋଲ୍‌, ଡିଜେଲ୍‌ ବିକ୍ରି ବୃଦ୍ଧି
ଡିଜେଲ୍‌ ବିକ୍ରିକୁ ଅର୍ଥନୀତିର ଏକ ପ୍ରମୁଖ ମାନଦଣ୍ଡ ଭାବେ ବିଚାର କରାଯାଏ। ଯେହେତୁ ପରିବହନ ଶିଳ୍ପରେ ଏହାକୁ ବିପୁଳ ମାତ୍ରାରେ ବ୍ୟବହାର କରାଯାଏ ତେଣୁ ଡିଜେଲ୍ ବିକ୍ରି ବଢ଼ିଲେ ଅର୍ଥନୈତିକ କାର୍ଯ୍ୟକଳାପ ଠିକ୍ ଭାବେ ଆଗକୁ ବଢ଼ୁଛି ବୋଲି ବିଚାର କରାଯାଏ। ଚଳିତ ବର୍ଷ ଅକ୍ଟୋବରରେ ଡିଜେଲ୍ ବିକ୍ରି ୬.୬ ପ୍ରତିଶତ ବଢ଼ିଥିବା ବେଳେ ପେଟ୍ରୋଲ୍‌ ବିକ୍ରି ମଧ୍ୟ ୪% ବଢ଼ିଛି। କୋଭିଡ୍‌ ମହାମାରୀ ବ୍ୟାପିବା ପରଠାରୁ ପ୍ରଥମ ଥର ଲାଗି ଡିଜେଲ୍ ବିକ୍ରିରେ ଯୁକ୍ତାତ୍ମକ ବୃଦ୍ଧି ଘଟିଛି। ଚଳିତ ବର୍ଷ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ଡିଜେଲ୍ ବିକ୍ରି ୨୭.୫ ପ୍ରତିଶତ ଓ ପେଟ୍ରୋଲ୍ ବିକ୍ରି ୮.୫ ପ୍ରତିଶତ ବୃଦ୍ଧି ପାଇଛି। ବିମାନ ଇନ୍ଧନର ମାସିକ ବିକ୍ରିରେ ୧୩ ପ୍ରତିଶତ ଓ ଏଲ୍‌ପିଜି ବ୍ୟବହାରରେ ୭ ପ୍ରତିଶତ ବୃଦ୍ଧି ହୋଇଛି।

ମାରୁତି ବିକିଲା ଅଧିକ ଗାଡ଼ି
ଅକ୍ଟୋବରରେ ଗାଡ଼ି ବିକ୍ରିରେ ମଧ୍ୟ ବଡ଼ ଧରଣର ସୁଧାର ଦେଖିବାକୁ ମିଳିଛି। ଦେଶର ଏକ ନମ୍ବର କାର୍‌ କଂପାନି ମାରୁତି ସୁଜୁକି ଲିମିଟେଡ୍‌ ଏହି ମାସରେ ୧୬୩,୬୫୪୬ଟି କାର୍‌ ବିକ୍ରି କରି ୧୭.୬ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ୱାଗନ୍‌ଆର୍‌, ସେଲେରିଓ, ବାଲେନୋ, ଡିଜାୟାର ଭଳି ଗାଡ଼ିର ବିକ୍ରି ୨୬.୬% ବଢ଼ିଥିବା ବେଳେ ଭିଟାରା ବ୍ରିଜା, ଏର୍ଟିଗା, ଏକ୍ସଏଲ୍‌୬ ଓ ଏସ୍‌-କ୍ରସ୍‌ ବିକ୍ରିରେ ୯.୯ ପ୍ରତିଶତ ବୃଦ୍ଧି ହୋଇଛି। କଂପାନିର ଭ୍ୟାନ୍‌ ବିକ୍ରି ୩୨.୯ ପ୍ରତିଶତ ବଢ଼ିଛି। ଆଲୋଚ୍ୟ ମାସରେ କଂପାନି ୩୦.୫ ପ୍ରତିଶତ ଅଧିକ ହାଲୁକା ବାଣିଜ୍ୟିକ ଯାନ ସୁପର କ୍ୟାରି ବିକ୍ରି କରିଛି।

ରେଳବାଇ ମାଲ୍‌ ପରିବହନରେ ୧୫% ବୃଦ୍ଧି
ଚଳିତ ବର୍ଷ ଅକ୍ଟୋବରରେ ରେଳବାଇ ୧୦୮.୧୬ ନିୟୁତ ଟନ୍ ମାଲ୍ ପରିବହନ କରିଛି ଯାହା ଗତବର୍ଷର ସମାନ ମାସରେ ପରିବହନ ହୋଇଥିବା ୯୩,୭୫ ନିୟୁତ ଟନ୍‌ ମାଲ୍ ତୁଳନାରେ ୧୫ ପ୍ରତିଶତ ଅଧିକ। ମାଲ୍ ପରିବହନରୁ ରେଳବାଇ ୧୦,୪୦୫.୧୨ କୋଟି ଟଙ୍କା ଆୟ କରିଛି। ଗତବର୍ଷ ଏହି ସମୟରେ କଂପାନିର ମାଲ୍‌ ପରିବହନ ଜନିତ ଆୟ ୯୫୩୬.୨୨ କୋଟି ଟଙ୍କା ଥିଲା। ଚଳିତ ବର୍ଷ ‌ଅକ୍ଟୋବରରେ ରେଳବାଇ ୪୬.୯୭ ନିୟୁତ ଟନ୍‌ କୋଇଲା, ୧୪.୬୮ ନିୟୁତ ଟନ୍ ଲୁହାପଥର, ୫.୦୩ ନିୟୁତ ଟନ୍‌ ଖାଦ୍ୟଶସ୍ୟ, ୫.୯୩ ନିୟୁତ ଟନ୍‌ ସାର ଏବଂ ୬.୬୨ ନିୟୁତ ଟନ୍‌ ସିମେଣ୍ଟ୍‌ ପରିବହନ କରିଛି। ମାଲ୍ ପରିବହନକୁ ତ୍ବରାନ୍ବିତ କରିବା ଲାଗି ନିକଟରେ ରେଳବାଇ ପକ୍ଷରୁ ଇସ୍ପାତ, ସିମେଣ୍ଟ୍‌, ବିଦ୍ୟୁତ, କୋଇଲା, ଗାଡ଼ି ଉତ୍ପାଦନକାରୀ ଏବଂ ଲଜିଷ୍ଟିକ୍ସ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର ପରିଚାଳନା ମୁଖ୍ୟମାନଙ୍କ ସହ ଆଲୋଚନା କରାଯାଇଥିଲା।

ୟୁପିଆଇ କାରବାର ୮୦% ବଢ଼ିଲା
କରୋନା ମହାମାରୀ ବ୍ୟାପିବା ପରେ ନଗଦ ରାଶିର ବ୍ୟବହାର କମିଥିବା ବେଳେ ଡିଜିଟାଲ୍ କାରବାରରେ ବୃଦ୍ଧି ଘଟିଛି। ଚଳିତ ବର୍ଷ ଅକ୍ଟୋବରରେ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ କାରବାର ହୋଇଛି। ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋ‌ରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ତରଫରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଅକ୍ଟୋବରରେ ୨୦୦ କୋଟିରୁ ଅଧିକ ଥର ଡିଜିଟାଲ୍ କାରବାର ହୋଇଛି ଯାହାର ମୂଲ୍ୟ ହେଉଛି ୩,୮୬,୧୦୬ କୋଟି ଟଙ୍କା। ଗତବର୍ଷ ଅକ୍ଟୋବରରେ ୧୧୪ କୋଟି ଥର ଡିଜିଟାଲ୍ କାରବାର ହୋଇଥିଲା ଯାହାର ମୂଲ୍ୟ ୧,୯୧,୩୫୯ କୋଟି ଟଙ୍କାରେ ସୀମିତ ଥିଲା।

Show More

Related Articles

Back to top button