
ମେଲବୋର୍ଣ୍ଣ: ଆଜି ଟି-୨୦ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ଇଂଲଣ୍ଡ । ମେଲବର୍ଣ୍ଣରେ ଖେଳାଯିବ ଫାଇନାଲ ମ୍ୟାଚ୍। ଦିନ ଗୋଟାଏ ୩୦ରେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ। ଟ୍ରଫି ହାତେଇବାକୁ କସରତ କରିବେ ଦୁଇ ଦଳ। ତେବେ ପାକିସ୍ତାନ ଥରେ ଟି-୨୦ ବିଶ୍ୱକପ ଟାଇଟଲ ହାସଲ କରିଥିବା ବେଳେ ଇଂଲଣ୍ଡ ମଧ୍ୟ ଥରେ ବିଶ୍ୱକପ ଟାଇଟଲ ହାତେଇଛି ।
କୁହାଯାଏ ଯେ, କ୍ରିକେଟ ଏକ ଅନିଶ୍ଚିତ ଖେଳ। ଏଠାରେ ଚାଲିଥିବା ଟି-୨୦ ବିଶ୍ୱକପରେ କ୍ରିକେଟ ଖେଳଠାରୁ ପାକିସ୍ତାନ ଖେଳାଳିଙ୍କ ପ୍ରଦର୍ଶନ ମଧ୍ୟ ଅଧିକ ଅନିଶ୍ଚିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟର ସୁପର-୧୨ରେ ଭାରତ ଓ ଜିମ୍ବାୱେଠାରୁ ପରାଜିତ ହୋଇ ପ୍ରତିଯୋଗିତାରୁ ବିଦାୟ ନେବାର ଦ୍ୱାରଦେଶରେ ପହଞ୍ଚିଥିଲା ପାକିସ୍ତାନ। କିନ୍ତୁ ଏହି ରାଉଣ୍ଡରେ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡ୍ସ ହରାଇବା ପରେ ପାକିସ୍ତାନ ତିଷ୍ଠି ରହିଥିଲା ଓ ଏହାର ପର ମ୍ୟାଚରେ ବାଂଲାଦେଶକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ଏହା ପରେ ପାକିସ୍ତାନ ଆତ୍ମବିଶ୍ୱାସ ଫେରିପାଇଥିଲା ଓ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏଠାରେ ରବିବାର ଫାଇନାଲ ମୁକାବିଲା ଇଂଲଣ୍ଡ ସହ ଅନୁଷ୍ଠିତ ହେବ। ୧୯୯୨, ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍ରେ ପାକିସ୍ତାନ ଯେତେବେଳେ ବିଦା ହେବା ସ୍ଥିତିରେ ପହଞ୍ଚିଥିଲା ଠିକ୍ ସେତିକିବେଳେ ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରତିଯୋଗିତାରେ ତିଷ୍ଠି ରହିଥିଲା।
ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଥିଲା। ଇମ୍ରାନ ଖାନ୍, ଜାଭେଦ ମିଆଁଦାଦ୍ ଓ ୱାସିମ ଆକ୍ରମଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇଥିଲା। ଏହି ଇତିହାସକୁ ପାଥେୟ କରି ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ନାଟକୀୟ ଭାବେ ବିଶ୍ୱକପ୍ ଜିତିବାକୁ ଆଶା ରଖିଛି। ଟାଇଟଲ ବିଜୟରେ ପ୍ରତିବନ୍ଧକ ହେଉଛି ଜୋଶ୍ରେ ଥିବା ଜୋଶ୍ ବଟ୍ଟଲରଙ୍କ ଇଂଲଣ୍ଡ ଦଳ। ଏହି ଦଳରେ ଅଛନ୍ତି ଏକାଧିକ ମ୍ୟାଚ୍ ବିଜେତା ଓ ସବୁଠାରୁ ବଡ଼ କଥା ହେଉଛି ଇଂଲଣ୍ଡ ଖେଳାଳିଙ୍କ ମାନସିକତା। ବଟ୍ଟଲର, ଆଲେକ୍ସ ହେଲ୍ସ, ବେନ ଷ୍ଟୋକ୍ସ, ମୋଇନ ଅଲିଙ୍କ ପରି ପ୍ରତିଷ୍ଠିତ ଖେଳାଳି ଅଛନ୍ତି। ଏହି ଦଳ ନିକଟରେ ନିର୍ଭୟରେ ଖେଳିବାର ମାନସିକତା ରହିଛି। ଏମାନେ ସେମିଫାଇନାଲରେ ଭାରତ ବିପକ୍ଷରେ ୧୦ ୱିକେଟରେ ଜିତି ଏହାକୁ ଦେଖାଇ ସାରିଛନ୍ତି। ନିକଟରେ ଏହି ଦଳ ଏକାଧିକ ବିଶ୍ୱକପ୍ ଜିତିବାରେ ସମର୍ଥ ହୋଇଛି। ଇଓନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଘରୋଇ ମାଟିରେ ଅନୁଷ୍ଠିତ ୨୦୧୯ ଦିନିକିଆ ବିଶ୍ୱକପ୍ରେ ଚାମ୍ପିଅନ୍ ହୋଇଥିଲା। ଏଣୁ ଫର୍ମ, ଆତ୍ମବିଶ୍ୱାସ, ଆକ୍ରମଣାତ୍ମକ ଖେଳ ଓ ଦକ୍ଷତାରେ ଇଂଲଣ୍ଡ ଦଳ ସାମାନ୍ୟ ଆଗୁଆ ରହିଛି।