
ଭୁବନେଶ୍ବର : କିଛିଦିନ ହେବ ରାଜଧାନୀରେ ବ୍ରାଉନ୍ସୁଗାର କାରବାର ବୃଦ୍ଧି ପାଇବାରେ ଲାଗିଛି । ହଳଦୀପଡ଼ିଆ ବସ୍ତିରୁ ଆରମ୍ଭ କରି ଖଣ୍ଡଗିରି ଅଞ୍ଚଳର କିଛି ଛୋଟ ବେପାରୀ ଖୋର୍ଦ୍ଧା, ଛତିଆ ଓ ବାଲେଶ୍ବରର ବଡ଼ ବେପାରୀମାନଙ୍କଠାରୁ ମାଲ୍ ଆଣି ଏହି କାରବାର କରୁଥିଲେ । କିନ୍ତୁ ଏବେ ରାଜଧାନୀରେ ବଡ଼ ବଡ଼ ବେପାରୀ ମୁଣ୍ଡ ଟେକିଲେଣି।
ଏଭଳି ଏକ ବଡ଼ ରାକେଟ୍ ଗତକାଲି ଏସ୍ଟିଏଫ୍ ଟିମ୍ ହାତରେ ଧରାପଡ଼ିଛି। ଖଣ୍ଡଗିରି ଥାନା ପୁଲସ ଭୁବନେଶ୍ବର ଏମ୍ସ ରୋଡ୍ରେ ୩ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୨ କେଜି ୫୮ ଗ୍ରାମ୍ ବ୍ରାଉନ୍ସୁାଗର ଜବତ କରିଛି। ଅଭିଯୁକ୍ତ ବେପାରୀମାନେ ହେଲେ ତମାଣ୍ଡୋ ଥାନା ରଣସିଂହପୁରର ଭାଗିରଥୀ ଭଟ୍ଟ ଓରଫ ଭାଗା, ବାଲିପାଟଣାର ବିଶ୍ବଜିତ ନାୟକ ଓ ଡୁମୁଡୁମା ରଘୁନାଥନଗର ଅଞ୍ଚଳର ଚନ୍ଦନ ମଲ୍ଲିକ। ତେବେ ଚଢ଼ଉ ପୂର୍ବରୁ ଜଳେଶ୍ବରରୁ ମାଲ୍ ନେଇ ଆସିଥିବା ମାଫିଆ ଚମ୍ପଟ ମାରିଥିବା ଜଣାପଡ଼ିଛି। ଜବତ ବ୍ରାଉନ୍ସୁଗାରର ଆନୁମାନିକ ବଜାର ମୂଲ୍ୟ ୨କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି।
ଜଳେଶ୍ବରର ଉକ୍ତ ମାଫିଆ ବିପୁଳ ବ୍ରାଉନ୍ସୁଗାର ନେଇ ରାଜଧାନୀ ଆସିଥିବା ଖବର ଏସ୍ଟିଏଫ୍ ହାତରେ ଲାଗିଥିଲା। ତେଣୁ ତାକୁ ଧରିବା ପାଇଁ ଏସ୍ଟିଏଫ୍ ପକ୍ଷରୁ ଜାଲ ବିଛାଯାଇଥିଲା। ସନ୍ଧ୍ୟା ବେଳକୁ ସନ୍ଦିଗ୍ଧ ମାଫିଆ ଭୁବନେଶ୍ବର ଏମ୍ସ ନିକଟରେ ଥିବା ଜଣାପଡ଼ିଥିଲା। କିନ୍ତୁ ଏସ୍ଟିଏଫ୍ ଟିମ୍ ସେଠାରେ ଚଢ଼ଉ କଲା ବେଳକୁ ମାଫିଆ ଫେରାର୍ ହୋଇସାରିଥିଲା। ତେବେ ରାଜଧାନୀରେ କାରବାରର ମଙ୍ଗ ଧରିଥିବା ଭାଗା, ଚନ୍ଦନ ଓ ବିଶ୍ବଜିତ୍ ଧରାପଡ଼ିଯାଇଥିଲେ। ଏହି ଘଟଣା ପରେ ଅନୁମାନ କରାଯାଉଛି ଯେ ରାଜଧାନୀ ଉପକଣ୍ଠରେ ମାଫିଆମାନେ ଏଭଳି ବେପାର ଚଳାଇଛନ୍ତି।