
ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା ୧୦ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋହନ ସିଂହ ରାତଭା ଶେଷରେ କଂଗ୍ରେସର ହାତ ଛାଡିଦେଇଛନ୍ତି।
ବିଜେପି ଗୁଜରାଟରେ ଦୀର୍ଘ ୨୭ ବର୍ଷ ହେଲା କ୍ଷମତାରେ ଥିବା ବେଳେ ରାତଭା କିନ୍ତୁ କଂଗ୍ରେସରୁ କ୍ରମାଗତ ଭାବେ ଜିତି ଆସୁଥିଲେ। କିନ୍ତୁ ଏଥର ଗୁରଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ୭୮ ବର୍ଷୀୟ ମୋହନ ସିଂହ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।
ଛୋଟା ଉଦୟପୁର ଅନୁସୂଚିତ ଜାତି ଜନଜାତି ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଥିବା ମୋହନ ସିଂହ ତାଙ୍କ ଇସ୍ତଫାପତ୍ର ଗୁଜରାଟ କଂଗ୍ରେସ ବସ୍ ଜଗଦୀଶ ଠାକୁରଙ୍କ ନିକଟକୁ ପଠାଇ ଦେଇଛନ୍ତି। ଆଦିବାସୀଙ୍କ ମଧ୍ୟରେ ମୋହନ ସିଂହ ବେଶ ଲୋକପ୍ରିୟ। ଆଦିବାସୀ ଅଞ୍ଚଳ ହେଉଛି ତାଙ୍କ ଗଡ଼।
୨୦୧୨ ପୂର୍ବରୁ ସେ ଛୋଟା ଉଦୟପୁରର ପାଭି-ଜେତପୁର(ଏସ୍ଟି) ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଥିଲେ। ନିକଟରେ ସେ ଘୋଷଣା କରିଥିଲେ ଯେ ଚଳିତ ଗୁଜରାଟ ବିଧାନସଭା ନିର୍ବାଚନରେ ସେ ଆଉ ପ୍ରାର୍ଥୀ ହେବେ ନାହିଁ। କିନ୍ତୁ ପୁଅ ରାଜେନ୍ଦ୍ର ସିଂହ ରାତଭା ତାଙ୍କ ସିଟ୍ରୁ ପ୍ରାର୍ଥୀ ହେବେ ବୋଲି ସେ କହିଥିଲେ। ଏହାପରେ ସେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।
ବିଜେପିରେ ମିଶିବା ପରେ ସେ କହିଛନ୍ତି, “ମୁଁ ଟିକେଟ ମାଗିନାହିଁ। ଏବେ ମୁଁ ବୁଢ଼ା ହୋଇଗଲିଣି। ମୋ ପୁଅ ରାଜେନ୍ଦ୍ର ସିଂହ ଜଣେ ଇଞ୍ଜିନିୟର। ସେ ସିଭିଲ୍ରେ ବିଇ କରିଛି। ତା’ର ଗୋଟିଏ ଇଚ୍ଛା ଥିଲା ଯେ ଆମେ ବିଜେପିରେ ସାମିଲ ହେଉ। ତେଣୁ ଆମେ ବିଜେପିରେ ସାମିଲ ହୋଉଛୁ।
କ’ଣ କଂଗ୍ରେସ ପୁଅ ରାଜେନ୍ଦ୍ରଙ୍କୁ ଟିକେଟ ଦେବାକୁ ମନା କରିବାରୁ ରାତଭା ଦଳ ଛାଡ଼ିଛନ୍ତି ବୋଲି ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରେ ସେ କହିଛନ୍ତି, “କଂଗ୍ରେସ କେବେ ହେଲେ ମୋତେ ମୋ ପୁଅ ପାଇଁ ଟିକେଟ ଦେବାକୁ ମନା କରିନି। କଂଗ୍ରେସ ଏହା ଉପରେ ନିଷ୍ପତ୍ତି ନେବା ପୂର୍ବରୁ ମୁଁ ଦଳ ଛାଡ଼ିଛି।
ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିବାସୀଙ୍କ ପାଇଁ କରିଥିବା କାମ ଦ୍ୱାରା ମୁଁ ଆକର୍ଷିତ ହୋଇଥିଲି। ଏଥିପାଇଁ ମୁଁ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଥିଲି। କଂଗ୍ରେସ ସାଂସଦ ନାରଣ ରାତଭା ମଧ୍ୟ ତାଙ୍କ ପୁଅଙ୍କ ପାଇଁ ସମାନ ଆସନରୁ ଦଳକୁ ଟିକେଟ ଦେବାକୁ ଦାବି କରିଛନ୍ତି।