ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଭୂକମ୍ପରେ ଥରିଲା ପଞ୍ଜାବର ଅମୃତସର

ଚଣ୍ଡିଗଡ଼: ଗତ ଶନିବାର ନେପାଳରେ ହୋଇଥିବା ଭୂକମ୍ପ ପ୍ରଭାବରେ ଭାରତର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଦିଲ୍ଲୀ ଏବଂ ଏନସିଆରରୁ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଏହାର କମ୍ପନ ଅନୁଭୂତ ହୋଇଥିବା ବେଳେ ଆଜି ଭୋରୁ ଭୋରୁ ପଞ୍ଜାବର ଅମୃତସରରେ ଭୂକମ୍ପର ଏକ ତୀବ୍ର ଝଟକା ଅନୁଭୂତ ହୋଇଛି।

ଆଜି ଭୋର ପ୍ରାୟ ୩ଟା ୪୨ ମିନିଟ୍‌ରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ଥିଲା ।  ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଭୂକମ୍ପର ଗଭୀରତା ଭୂମି ଭିତରେ ୧୨୦ କିମି ଯାଏ ବ୍ୟାପିଛି। ହେଲେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ।

ଶନିବାର ନେପାଳରେ ୫.୪ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଯୋଗୁଁ ଦିଲ୍ଲୀ ଏବଂ ଏନସିଆରରୁ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଏହାର କମ୍ପନ ଅନୁଭୂତ ହୋଇଥିଲା। ଉତ୍ତରାଖଣ୍ଡର ପିଥୋରାଗଡର ୧୦୧ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବରେ ଏହି ଭୂକମ୍ପ ଘଟିଛି। ଏହା ପ୍ରଭାବରେ ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଶ୍ଚିମ ଉତ୍ତରପ୍ରଦେଶର ବିଜନୋର, ମୁଜାଫରନଗର ଏବଂ ଶାମଲି ଆଦି ସ୍ଥାନରେ ଏହାର କମ୍ପନ ଅନୁଭୂତ ହୋଇଥିଲା।

ଶନିବାର ଅପରାହ୍ନ ପ୍ରାୟ ୪ଟା୧୫ରେ ଉତ୍ତରାଖଣ୍ଡରେ ୩.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା, ଯାହାର କେନ୍ଦ୍ର ଗଡ଼ୱାଲ ଅଞ୍ଚଳରେ ଥିଲା। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ତଥ୍ୟ ଅନୁଯାୟୀ, ଉତ୍ତରପ୍ରଦେଶ-ନେପାଳ ସୀମାରେ ଥିବା ହିମାଳୟ ଅଞ୍ଚଳରେ ଗତ କିଛି ଦିନ ମଧ୍ୟରେ ଭିନ୍ନ ଭିନ୍ନ ତୀବ୍ରତାର ପ୍ରାୟ  ୮ଟି ଭୂକମ୍ପ ଅନୁଭୂତ ହୋଇଛି।

ଏନେଇ ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ବିଏସ ମହାର କହିଛନ୍ତି ଯେ, ନେପାଳର ସିଲାଙ୍ଗ ସହରଠାରୁ ତିନି କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା, କିନ୍ତୁ ଏହାର କମ୍ପନ ଭାରତ, ଚୀନ୍ ଏବଂ ନେପାଳରେ ଅନୁଭୂତ ହୋଇଥିଲା।

Show More

Related Articles

Back to top button