ଓଡ଼ିଶାଦେଶ ବିଦେଶ

ରାଜ୍ୟରେ ଶୀତ ଗାଏବ

ଫେବ୍ରୁଆରୀ ଅଧାରୁ ବଢିବ ତାତି

ରାଜ୍ୟରେ ଶୀତ ଏକରକମ ଗାଏବ। ଆଗକୁ ଆଉ ହାଡ଼ଭଙ୍ଗା ଶୀତ ସମ୍ଭାବନା ବି ଦିଶୁନାହିଁ। ଏବେ ଦିନ ତାପମାତ୍ରା କମିଲା ଭଳି ଲାଗୁନାହିଁ। ଏମିତିରେ ଏ ବର୍ଷ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରୁ ଖରାର ପ୍ରକୋପ ବୃଦ୍ଧି ପାଇବ। ସେତେବେଳକୁ ଭୁବନେଶ୍ୱରରେ ଦିନ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଛୁଇଁବା ନେଇ ସମ୍ଭାବନା ରହିଛି। ଚଳିତବର୍ଷ ପାଣିପାଗକୁ ନେଇ ଏଭଳି ପୂର୍ବାନୁମାନ କରିଛନ୍ତି ସୋଆ ଜଳବାୟୁ ଓ ପରିବେଶ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।

ଏବେ ରାଜ୍ୟରେ ଦିନ ତାପମାତ୍ରା ବାଧିଲାଣି । ସୋମବାର ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୪.୪ ଡିଗ୍ରୀ ସେଲସୟସ୍‌ ଛୁଇଁଛି। ମାଲକାନଗିରି ତାପମାତ୍ରା ୩୪ ଡିଗ୍ରୀ ଥିବାବେଳେ କଟକ, ଅନୁଗୁଳ, ବଲାଙ୍ଗିର, ନୟାଗଡ଼ ବି ୩୩ ଡିଗ୍ରୀ ଟପିଛି। ଭୁବନେଶ୍ୱରରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୪ ଡିଗ୍ରୀ ଅଧିକ ରହୁଥିବାବେଳେ ସମ୍ବଲପୁରରେ ୫ ଡିଗ୍ରୀ ଅଧିକ ଅଛି । ପ୍ରାୟତଃ ଦିନ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଛି ।

ପାଣିପାଗ ବିଭାଗର ସୂଚନାନୁସାରେ, ଏବେ ରାତି ତାପମାତ୍ରା ଖସିବ । ଏପରିକି ମଙ୍ଗଳବାରଠୁ ଦୁଇଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୩-୫ ଡିଗ୍ରୀ କମିପାରେ । ମାତ୍ର ବର୍ତ୍ତମାନ ରାତି ତାପମାତ୍ରା ଏତେ ବଢ଼ିଯାଇଛି ଯେ ୪-୫ ଡିଗ୍ରୀ ଖସିଲେ ମଧ୍ୟ ବିଶେଷ ଥଣ୍ଡା ଅନୁଭୂତ ହେବନି । ଅର୍ଥାତ୍‌ ପାରଦ ଖସିଲେ ବି ସ୍ଥିତି ସ୍ୱାଭାବିକ ରହିବ । ଉପକୂଳରେ ବି ମଙ୍ଗଳବାର ପରେ ରାତି ତାପମାତ୍ରା ୨-୩ ଡିଗ୍ରୀ କମିବ । ଏବେ ଉପକୂଳ ଓଡ଼ିଶାରେ ରାତ୍ରିକାଳିନ ତାପମାତ୍ରା ୧୮-୨୦ ଡିଗ୍ରୀ ରହୁଥିବାବେଳେ ପାରଦ ୨ ଡିଗ୍ରୀ କମିଲେ ୧୫-୧୬ ଡିଗ୍ରୀ ପାଖାପାଖି ରହିବ ।

ଏବେ ଧୀରେଧୀରେ ବଙ୍ଗୋପସାଗରରୁ ଜଳୀୟବାଷ୍ପ ଭରା ପବନ ବହିବା କମୁଛି । ମଙ୍ଗଳବାରକୁ ଆହୁରି କମିଯିବ । ଅନ୍ୟପକ୍ଷରେ ଉତ୍ତର ପଟୁ ଥଣ୍ଡା ପବନ ରାଜ୍ୟକୁ ଆସିବ । ତେଣୁ ରାତି ତାପମାତ୍ରା କମିବ । ମାତ୍ର କମିଲେ ମଧ୍ୟ ପାଗରେ ବଡ଼ ପରିବର୍ତ୍ତନ ହେବନି । ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇପାରେ ଆସନ୍ତା ୧୬ରୁ ୧୮ ତାରିଖ ଭିତରେ । ମାତ୍ର ସେତେବେଳେ ବି ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୪ରୁ ୧୬ ଡିଗ୍ରୀ ମଧ୍ୟରେ ରହିବା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ପ୍ରାୟତଃ ୧୨ ଡିଗ୍ରୀ ପାଖାପାଖି ରହିବ । କିନ୍ତୁ ଆଉ ହାଡ଼ଭଙ୍ଗା ଜାଡ଼ ବା ଶୀତ ଲହରୀ ଅନୁଭୂତ ହେଲା ଭଳି ସ୍ଥିତି ଦେଖାଯାଉନି । ମଝିରେ ସାମାନ୍ୟ ଶୀତ ବଢ଼ିପାରେ । ଏବେ ଉତ୍ତର ଭାରତରେ ଏବେ ଶୀତ ଲହରୀ ପ୍ରକୋପ କମିଛି । ତେଣୁ ଆଉ ଶୀତ ଲହରୀ ରାଜ୍ୟକୁ ଫେରିବା ସମ୍ଭାବନା କମ୍‌ । ଅପରପକ୍ଷରେ ବର୍ତ୍ତମାନ ଦିନ ତାପମାତ୍ରା ୩୨ ଡିଗ୍ରୀ ତଳକୁ ଖସିବା ସମ୍ଭାବନା କମ୍‌ ରହିଛି । ତେବେ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହବେଳକୁ ରାଜ୍ୟରେ ଗରମ ପ୍ରକୋପ ବଢ଼ିଯିବ ବୋଲି ଅନୁମାନ କରାଯାଉଛି ।

Show More

Related Articles

Back to top button