Breaking PLUSଓଡ଼ିଶାମୁଖ୍ୟ ଖବର

ସାରା ରାଜ୍ୟରେ ଆହୁରି ଗାଳିବ ବର୍ଷା।

ଗଭୀର ଅବପାତର ରୂପ ନେଲା ଲଘୁଚାପ । ଉପକୂଳରୁ ଟିକେ ଥମିବା ବେଳେ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷିବ। ଏପଟେ ଅନର୍ଗଳ ବର୍ଷାକୁ ଦେଖି ଜଳ ସେଚନ ବିଭାଗ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ବନ୍ୟା ସ୍ଥିତି ଉପୁଜିନଥିବା ବେଳେ ଫୁଲୁଛି ବୈତରଣୀ ଏବଂ ଜଳକା ନଦୀ ।

ଏହାକୁ ଆଖି ଆଗରେ ରଖି ସମସ୍ତଙ୍କ ଛୁଟି ବାତିଲ କରିବା ସହ ୨୪ ଘଣ୍ଟିଆ ପେଟ୍ରୋଲିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ ୧୭ ତାରିଖରେ ଆଉ ଏକ ଘୁଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ପୁଣି ଟେନସନ ବଢ଼ାଇଛନ୍ତି । ଘରଦ୍ବାରା ରାସ୍ତାଘାଟ, ବନ୍ଧ ପୋଲ ସବୁ ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ଏଣେ ସରକାର କହୁଛନ୍ତି ବନ୍ୟା ପରିସ୍ଥିତି ଉପୁଜିନାହିଁ। ରାଜ୍ୟରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିର ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସମୀକ୍ଷା କରିଛନ୍ତି । କମିଶନର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍‌ସିଂଙ୍କରେ ଆଲୋଚନା କରିଛନ୍ତି। ଉପକୂଳରେ ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। କେବଳ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବାକି ନଦୀ କେବଳ ବନ୍ୟାପାଣିରେ ଫୁଲିଛନ୍ତି । ଲଗାଣ ବର୍ଷାକୁ ଆଖି ଆଗରେ ରଖି ୨୦ଟି ସ୍ଥାନରେ ଦୁର୍ବଳ ନଦୀ ବନ୍ଧ ଚିହ୍ନଟ ହୋଇଛି। ସେସବୁ ସ୍ଥାନରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯାଉଛି। ଏହାସହିତ ଜଳସମ୍ପଦ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଆଜି ଉପକୂଳରେ ବର୍ଷା ଟିକେ କମିଥିବା ବେଳେ ସେପଟେ ପଶ୍ଚିମରେ ଜାରି ରହିଛି । ଲଘୁଚାପ ଏବେ ଉତ୍ତର ଓଡିଶା ଦେଇ ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡକୁ ମୁହାଁଇଛି । କାଲି ପର୍ଯ୍ୟନ୍ତ ଲଘୁଚାପ ପ୍ରଭାବ ଅଧିକ ରହିବ । ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ଢେଙ୍କାନାଳ, ଝାରସୁଗୁଡା ଓ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରେଡ ଆଲର୍ଟ ଜାରି କରାଯାଇଛି । ବଲାଙ୍ଗୀର, ସୁନ୍ଦରଗଡ, ବୌଦ୍ଧ, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କଟକରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। କାଲି ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହୋଇପାରେ ।

ଏପଟେ ପୁଣି ଡରାଇଲାଣି ଲଘୁଚାପ। ୧୭ରୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆସନ୍ତା ୧୭ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକି ୧୮ ତାରିଖ ସକାଳ ସୁଦ୍ଧା ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିପାରେ। ଏହାର ପ୍ରଭାବରେ ୧୭ରୁ ଉପକୂଳ ଓଡ଼ିଶାରେ ପୁଣି ବର୍ଷାର ଧାରା ଜାରି ରହିବ ବୋଲି ଜଣାପଡ଼ିଛି । ଜୁନ୍ ୧ ତାରିଖରୁ ସେପ୍ଟେମ୍ବର ୧୩ ତାରିଖ ମଧ୍ୟରେ ରାଜ୍ୟରେ ୮୩୭.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ସୁଦ୍ଧା ୨ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୩ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଏବେ ବି ୧୫ଟି ଜିଲ୍ଲାରେ ନିଅଣ୍ଟିଆ ହୋଇଛି । କେବଳ ସେପ୍ଟେମ୍ବର ମାସରେ ସ୍ବାଭାବିକ ଠାରୁ ୪୮ ପ୍ରତିଶତ ଅଧିକ ବର୍ଷା ହୋଇଛି ।

Show More

Related Articles

Back to top button