ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଭାରତବାସୀ ଶସ୍ତାରେ ପେଟ୍ରୋଲ କିଣୁଛନ୍ତି ବୋଲି କହିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ଲୋକମାନେ ପେଟ୍ରୋଲ ଲିଟର ପିଛା ୧୦୦ରୁ ଅଧିକ ଟଙ୍କା ଦେଇ କିଣୁଛନ୍ତି। ତଥାପି ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତବାସୀ ଶସ୍ତାରେ ପେଟ୍ରୋଲ କିଣୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ। ଏଥିସହ ବିଶ୍ୱର ପରିସ୍ଥିତି ଓ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ସତ୍ତ୍ୱେ ୨୦୨୧-୨୦୨୨ ପିରିୟଡରେ ଭାରତରେ ପେଟ୍ରୋଲ ଦର ମାତ୍ର ୨% ବୃଦ୍ଧି ପାଇଥିବା ଦାବି କରିଛନ୍ତି।

ସଂସଦରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ପୁରୀ କହିଛନ୍ତି ଯେ, କିଛି ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରୁଥିବା ଭ୍ୟାଟ ହ୍ରାସ କରିଛନ୍ତି। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ସେମାନା ଭ୍ୟାଟ କମାଇଥିଲେ। କିନ୍ତୁ କିଛି ବିରୋଧୀ ଶାସିତ ଅଞ୍ଚଳରେ ଭ୍ୟାଟ ହ୍ରାସ କରୁ ନାହାନ୍ତି। ସେଠାରେ ପେଟ୍ରୋଲ ଓ ଡିଜେଲ ଦାମ ଅଧିକ ରହିଥିବା ସେ କହିଛନ୍ତି।

ଶ୍ରୀ ପୁରୀ କହିଛନ୍ତି, “ମୁଁ ଗୃହରେ କହିବାକୁ ଚାହେଁ ଯେ ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ର, କେରଳ ଓ ଝାରଖଣ୍ତ ତୈଳ ଦର ଉପରେ ଲାଗୁ କରୁଥିବା ଟିକସ ହ୍ରାସ କରିନାହାନ୍ତି। ଲୋକଙ୍କୁ ଉଚିତ ମୂଲ୍ୟରେ ପେଟ୍ରୋଲ ଓ ଡିଜେଲ ଯୋଗାଇ ଦେବାକୁ କେନ୍ଦ୍ର ସରକାର ୨୦୨୧ ନଭେମ୍ବର ଓ ୨୦୨୨ ମେ’ ମାସରେ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି।

ମୁଁ ଖୁସିର ସହ କହିବାକୁ ଚାହେଁ ଯେ କେନ୍ଦ୍ରର ଏପରି ନିଷ୍ପତ୍ତି ପରେ କିଛି ରାଜ୍ୟ ମଧ୍ୟ ଭ୍ୟାଟ ହ୍ରାସ କରିଛନ୍ତି। ବର୍ତ୍ତମାନ ଆମେ ଏମିତି ଏକ ସ୍ଥିତିରେ ରହିଛୁ ଯେ କିଛି ରାଜ୍ୟ, ମୁଁ ସେମାନଙ୍କୁ ବିଜେପି ଶାସିକ ରାଜ୍ୟ କହିବି ନାହଁ, କାରଣ ଅନ୍ୟ ଗୋଟିଏ କିମ୍ବା ଦୁଇଟି ରାଜ୍ୟ ମଧ୍ୟ ଭ୍ୟାଟ ହ୍ରାସ କରିଛନ୍ତି। ସେମାନଙ୍କୁ ମଧ୍ୟରୁ କିଛି ରାଜ୍ୟ ଭ୍ୟାଟ ବାବଦରେ ୧୭ ଟଙ୍କା ଚାର୍ଜ କରୁଥିବା ବେଳେ ଅଣ ବିଜେପି ରାଜ୍ୟ ଗୁଡ଼ିକ ୩୨ ଟଙ୍କା ନେଉଛନ୍ତି।

ତେଣୁ ତୈଳ ଦରରେ ପାର୍ଥକ୍ୟ ଦେଖାଯାଉଛି। ଏହାକୁ ଆଧାର କରି ପେଟ୍ରୋଲ ୧୦୦ ଟଙ୍କାରେ ମିଳୁଥିବା ପ୍ରଚାର କରାଯାଉଛି। ଭ୍ୟାଟ ହ୍ରାସ ହୋଇଥିବା ରାଜ୍ୟରେ ପେଟ୍ରୋଲ ୮ରୁ ୧୦ ଟଙ୍କା ଶସ୍ତାରେ ମିଳୁଛି। ବିଶ୍ୱର ନ୍ୟ ରାଷ୍ଟ୍ରଗୁଡ଼ିକରେ ତୈଳ ଦାମ ୫୦ରୁ ଅଧିକ ପ୍ରତିଶତ ବଢ଼ିଛି। ହେଲେ ଭାରତରେ ସମ୍ଭବତଃ ଶାସ୍ତରେ ପେଟ୍ରୋଲ ମିଳୁଛି।”

ସେ ଆହୁରି କହିଛନ୍ତି, “ପେଟ୍ରୋଲ ଦର ଅନ୍ତର୍ଜାତୀୟ ସ୍ତରରେ ବହୁତ ବଢ଼ିଥିଲା। ସେମାନେ କେତେବେଳେ ୪୦% ତ କେତେବେଳେ ୫୦% ବୃଦ୍ଧି କରିଥିଲେ। ହେଲେ ଭାରତରେ ପେଟ୍ରୋଲର ଦାମ ୨୦୨୧-୨୦୨୨ ପିରିୟଡରେ ମାତ୍ର ୨% ବଢ଼ିଛି। କାହିଁକି ଏମିତି ହେଲା? କାରଣ ଉତ୍ପାଦ ଶୁଳ୍କ ହ୍ରାସ କରାଯିବା ସହ ରାଜ୍ୟଗୁଡ଼ିକ ଭ୍ୟାଟ କମାଇବାକୁ କୁହାଯାଇଥିଲା। କିଛି ରାଜ୍ୟ ମାନିଲେ ଓ କିଛି ରାଜ୍ୟ ମାନିଲେ ନାହିଁ।

Show More

Related Articles

Back to top button