ଓଡ଼ିଶାମୁଖ୍ୟ ଖବର

ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା !

୧୫ ଯାଏଁ ତାତିରୁ ମିଳିବ ତ୍ରାହି

ସୋମବାର ରାଜ୍ୟର ୧୧ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଓ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।ପାଣିପାଗ ବିଭାଗର ଅନୁମାନ ଅନୁସାରେ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ ।

ତେଣୁ ଏହି ଜିଲ୍ଲାଗୁଡିକ ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତିରୁ ଆଶ୍ୱସ୍ତି ମିଳିବ । ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀ ଜାରି ରହିବ । ଦକ୍ଷିଣ ଓଡ଼ିଶାରେ ପ୍ରାୟ ପ୍ରତିଦିନ ଏହା ପ୍ରଭାବରେ ବର୍ଷା ହେବ । ତାପମାତ୍ରା ବିଶେଷ ବୃଦ୍ଧି ପାଇବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ କହିଛନ୍ତି।ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତାକାଲି ସକାଳ ସମୟରେ ଖରା ପାଗ ହେବ। ମାତ୍ର ଉପରବେଳା କିଛି ସ୍ଥାନରେ କାଁ ଭାଁ ବର୍ଷା ହେବ । ୧୪ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ । ୧୫ରେ ଟ୍ରପଲାଇନ୍‌ ପ୍ରଭାବରେ ଅଧିକ ବର୍ଷା ହେବ । ଯାହା ୧୬ ପର୍ଯ୍ୟନ୍ତ ଅନୁଭୁତ ହେବ । ତେବେ ୧୯ରୁ ତାତି ପୁଣି ଲେଉଟିବ ବୋଲି ଡ. ସାହୁ ଆକଳନ କରିଛନ୍ତି । ରବିବାର ସକାଳ ୮ଟା୩୦ ସୁଦ୍ଧା ରାୟଗଡ଼ାରେ ୮ ମିଲିମିଟର, ମାଲକାନଗିରିରେ ୭ ମିଲିମିଟର ଓ କୋରାପୁଟରେ ୪ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି ।

Show More

Related Articles

Back to top button