ବାଣିଜ୍ୟ

ମହଙ୍ଗା ହେବ ଏଲ୍‌ଇଡି ବଲ୍‌ବ ମୂଲ୍ୟ

ଏଲ୍‌ଇଡି ବଲ୍‌ବ ତିଆରିରେ ବ୍ୟବହୃତ ହେଉଥିବା ବିଭିନ୍ନ ସରଞ୍ଜାମ ଉପରେ କେନ୍ଦ୍ର ସରକାର ଶୁଳ୍କ ବୃଦ୍ଧି କରିବାକୁ ଯାଉଛନ୍ତି। ଏହାର ପ୍ରଭାବରେ ଏଲ୍‌ଇଡି ବଲ୍‌ବ ମହଙ୍ଗା ହେବ। ଏବେ ଏଲ୍‌ଇଡି ବଲ୍‌ବ ପାଇଁ ପ୍ରାୟ ସବୁ ପ୍ରକାର ସରଞ୍ଜାମ ଆମଦାନି କରାଯାଉଛି। କାରଣ ଦେଶ ଭିତରେ ସେଗୁଡ଼ିକ ଠିକ୍ ଭାବେ ଉପଲବ୍ଧ ହେଉନାହିଁ

ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା ଏଥିପାଇଁ ବିକଶିତ ହୋଇପାରିନାହିଁ। ତେଣୁ ନିର୍ମାତାମାନେ ଆମଦାନି ଉପରେ ନିର୍ଭରଶୀଳ ଅଛନ୍ତି। ଯଦି ବିଭିନ୍ନ ସରଞ୍ଜାମ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯିବ ତେବେ ସେଗୁଡ଼ିକ ଦେଶ ଭିତରେ ପ୍ରବେଶ କରିବା ବେଳେ ତାହା ଆହୁରି ମହଙ୍ଗା ହୋଇଯିବ। ଫଳରେ କଂପାନିଗୁଡ଼ିକ ବାଧ୍ୟ ହୋଇ ବଲ୍‌ବ କିମ୍ବା ଏଲ୍‌ଇଡିରେ ତିଆରି ଆଲୋକ ପ୍ରଦାନକାରୀ ଉତ୍ପାଦ ଦାମ୍ ବଢ଼ାଇବେ। ଇଲେକ୍ଟ୍ରିକ୍ ଲ୍ୟାମ୍ପ୍ ଓ କମ୍ପୋନେଟ୍ ନିର୍ମାତା ସଂଘ (ଇଏଲ୍‌ସିଓଏମ୍‌ଏ)ର ସଭାପତି ସୁମିତ ଯୋଶୀ କହିଛନ୍ତି ଯେ ଏଲ୍‌ଇଡି ବଲ୍‌ବ ତିଆରିରେ ବ୍ୟବହୃତ ହେଉଥିବା ଡ୍ରାଇଭର୍‌ ଓ ଏମ୍‌ସିପିସିବି ଉପରେ ସୀମା ଶୁଳ୍କକୁ ୫%ରୁ ବଢ଼ାଇ ୧୦% କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ସ୍ଥାନୀୟ ବଜାରରେ ଏହି ସବୁ ଉପାଦାନ ଉପଲବ୍ଧ ନହେବା ପର୍ଯ୍ୟନ୍ତ ସୀମା ଶୁଳ୍କ ବୃଦ୍ଧିର ପ୍ରଭାବ ରହିବ ବୋଲି ସେ କହିଛନ୍ତି।

ଏ ପ୍ରସଙ୍ଗରେ ସଂଘ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ତୁରନ୍ତ ଏହା ଉପରେ ଗୁରୁତ୍ବ ଦେବାକୁ ଦାବି କରାଯାଇଛି। ଏଲ୍‌ଇଡି ଲାଇଟ୍‌ ଓ ଫିକ୍ସଚର୍‌ ଆଦିରେ ସୀମା ଶୁଳ୍କକୁ ୧୦% ପର୍ଯ୍ୟନ୍ତ ହେଲେ ସେଗୁଡ଼ିକର ବଜାର ମୂଲ୍ୟ ବୃଦ୍ଧି ପାଇବ। ଶୁଳ୍କ ବୃଦ୍ଧି ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ ଘୋଷଣା କରିଛନ୍ତି। ହାଭେଲସ୍‌ ଇଣ୍ଡିଆର ବରିଷ୍ଠ ଉପସଭାପତି ପରାଗ ଭଟ୍ଟନାଗର କହିଛନ୍ତି ଯେ ଶୁଳ୍କ ବୃଦ୍ଧି ନିଷ୍ପତ୍ତିକୁ ନେଇ ଶିଳ୍ପ ଜଗତ ଚକିତ। ଏହା ଦ୍ବାରା ସ୍ଥାନୀୟ ଭାବେ ଉତ୍ପାଦନ ବୃଦ୍ଧିକୁ ପ୍ରୋତ୍ସାହନ ମିଳିବନାହିଁ। ଏଲ୍‌ଇଡି ତିଆରିରେ ବ୍ୟବହୃତ ହେଉଥିବା କେତେକ ଉପାଦାନ ଭାରତରେ ଆଦୌଁ ଉତ୍ପାଦନ ହେଉନାହିଁ। ସେଗୁଡ଼ିକୁ ଚୀନ୍, ଦକ୍ଷିଣ କୋରିଆ ଓ ଭିଏତନାମ୍ ଆଦି ଦେଶରୁ ଆମଦାନି କରାଯାଉଛି। ଭାରତରେ ବର୍ଷକୁ ୧୦ ହଜାର କୋଟି ଟଙ୍କାର ଏଲ୍‌ଇଡି ବଲ୍‌ବ ବିକ୍ରି ହେଉଛି। ସେଥିରୁ ୬୦ ପ୍ରତିଶତ ସାଧାରଣ ଲୋକମାନେ ଘରେ ବ୍ୟବହାର କରିବା ଲାଗି କିଣୁଥିବା ବେଳେ ବଳକା ବଲ୍‌ବ ବାଣିଜ୍ୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର ହେଉଛି।

Show More

Related Articles

Back to top button