ଓଡ଼ିଶାମୁଖ୍ୟ ଖବର

ଆସନ୍ତା ୯ତାରିଖ ପର୍ଯନ୍ତ କମ ରହିବ ଶୀତର ପ୍ରକୋପ

ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା

ରାଜ୍ୟରେ ରବିବାର ସକାଳେ ୫ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଫଳରେ ଗାଡ଼ି ଚଳାଇବା ଅସମ୍ଭବ ହୋଇପଡ଼ିଛି। ଅନୁଗୋଳ, କଟକ, ଜଗତସିଂହପୁର, ଭଦ୍ରକ ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ହୋଇଛି। ସେଥିପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଏତତ୍ ବ୍ୟତୀତ ୧୧ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ ବୋଲି କେନ୍ଦ୍ର ଆକଳନ କରିଛି। ତେଣୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି କୁହୁଡ଼ି ଯୋଗୁଁ ଜାତୀୟ ରାଜପଥରେ ଦୁର୍ଘଟଣା ସମ୍ଭାବନା ଥିବାରୁ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଓ ପରିବହନ ଅଧିକାରୀମାନଙ୍କୁ କୁହାଯାଇଛି।

ସୋମବାର ମଧ୍ୟ ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କନ୍ଧମାଳରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ କହିଛନ୍ତି ଯେ, ଆସନ୍ତା ୨ଦିନ ରାଜ୍ୟରେ ରାତି ସମୟରେ ସର୍ବନିମ୍ନ ତାପମାତ୍ରାରେ ସେତେଟା ପରିବର୍ତ୍ତନ ଦେଖାଯିବ ନାହିଁ। ଦୁଇ ଦିନ ପରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବଢ଼ିବ। ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ସୋମବାର ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିବ। ଫଳରେ ଶୀତ କମିବ । ରାଜ୍ୟରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଶୀତ କମ୍‌ ରହିବ। ୯ ପରେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପବନ ବୋହିବାର ସମ୍ଭାବନା ରହିଛି । ତେଣୁ ପୁଣି ଶୀତର ପ୍ରକୋପ ବଢ଼ିବ।

Show More

Related Articles

Back to top button