ଦେଶ ବିଦେଶମୁଖ୍ୟ ଖବର

ଡିସେମ୍ବର ୩୧ ସୁଦ୍ଧା ଦେଶର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଦିଆଯିବ ଟିକା

ସୁପ୍ରିମକୋର୍ଟକୁ ଜଣାଇଲେ କେନ୍ଦ୍ର ସରକାର

ଦେଶରେ କରୋନାର ଦ୍ଵିତୀୟ ଲହର ସମୟରେ ଟିକାକରଣ ଦ୍ରୁତ ବେଗରେ ଜାରି ରହିଛି। ସଂପ୍ରତି ଦେଶରେ ଟିକାକରଣ କିପରି ଚାଲିଛି ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି କେନ୍ଦ୍ର ସରକାର। ଡିସେମ୍ବର ୩୧ ତାରିଖ ସୁଦ୍ଧା ଦେଶରେ ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ଦିଆଯିବ। ଏନେଇ ଉଦ୍ୟମ ଆରମ୍ଭ ହୋଇଯାଇଛି ବୋଲି ଶନିବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି। ଏଥି ସହ ଟିକା କିଣିବାର ନୀତିରେ ପରିବର୍ତ୍ତନ କରାଯାଇଛି ବୋଲି କୋର୍ଟରେ ସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର।କେନ୍ଦ୍ର ସରକାର କହିଛନ୍ତି ଯେ, ଦେଶରେ ୧୮ ବୟସରୁ ଅଧିକ ବୟସର ୯୩-୯୪ କୋଟି ଲୋକଙ୍କୁ ଟିକା ଦେବାକୁ ବର୍ତ୍ତମାନ ଟିକାର ୧୮୬-୧୮୮ କୋଟି ଡୋଜ୍‌ ଆବଶ୍ୟକ। ଏଥିରୁ ଜୁଲାଇ ୩୧ ସୁଦ୍ଧା ୫୧.୬ କୋଟି ଟିକା ଉପଲବ୍ଧ ହୋଇଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ଦିଆଯାଇଥିବା ସତ୍ୟପାଠରେ କୁହାଯାଇଛି ଯେ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ୧୩୫ କୋଟି ଟିକା କିଣିବାରେ ଯୋଜନା କରାଯାଇଛି। ସେଥିରୁ ୫୦ କୋଟି କୋଭିସିଲ୍ଡ, ୪୦ କୋଟି କୋଭାକ୍ସିନ ଡୋଜ୍, ୩୦ କୋଟି ବାଇୟୋସ୍ ଟିକା, ୧୦ କୋଟି ସ୍ପୁଟନିକ ଭି ଓ ୫ କୋଟି ଜାୟଡୁସ କାଡିଲାର ଡିଏନ୍‌ଏ ଭ୍ୟାକ୍ସିନ ରହିଛି।ସେହିପରି ଉପାନ୍ତ ଅଞ୍ଚଳରେ ମଧ୍ୟ ଟିକାକରଣ ନେଇ କୌଣସି ସମସ୍ୟା ହେବ ନାହିଁ ବୋଲି କୋର୍ଟଙ୍କୁ କହିଛନ୍ତି କେନ୍ଦ୍ର ସରକାର। ଇଣ୍ଟର୍‌ନେଟ ସେବା ବାଧାପ୍ରାପ୍ତ ହେଲେ ବି ଟିକାକରଣରେ ସମସ୍ୟା ହେବ ନାହିଁ ବୋଲି ସରକାର କହିଛନ୍ତି। ଦେଶରେ ୭୪.୪୫ ପ୍ରତିଶତ ଟିକାକରଣ ସେଣ୍ଟର କେବଳ ଗ୍ରାମାଞ୍ଚଳରେ ହୋଇଛି ବୋଲି ସରକାର କହିଛନ୍ତି।ସରକାର ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି ଯେ ଟିକା ନେଇଥିବା ଭାରତୀୟମାନଙ୍କ ମଧ୍ୟରୁ ୧୯.୧୨(୫୯ ପ୍ରତିଶତ) କୋଭି୍‌ଡ ସେଣ୍ଟରରେ ହିଁ ବୁକିଂ କରି ଟିକା ନେଇଛନ୍ତି। ସେମାନଙ୍କ କୋ-ୱିନ୍‌ ଆପ୍‌ର ବ୍ୟବାହର କରିନାହାଁନ୍ତି। ତେଣୁ ଇଣ୍ଟର୍‌ନେଟ୍‌ ପାଇଁ ଉପାନ୍ତ ଅଞ୍ଚଳରେ ଟିକାଦାନ ବାଧାପ୍ରାପ୍ତ ହେବ ନାହିଁ ବୋଲି କୋର୍ଟଙ୍କୁ ଜଣାଇଛନ୍ତି କେନ୍ଦ୍ର ସରକାର।

Show More

Related Articles

Back to top button