
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସରେ ହେବ +୨ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମାର୍ଚ୍ଚ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। ଏନେଇ ସିଏଚଏସଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ଦୁଇ ବର୍ଷ କରୋନାକୁ ନେଇ ପରୀକ୍ଷାରେ ଅନିଶ୍ଚିତା ଦେଖା ଦେଇଥିବା ବେଳେ ଚଳିତ ବର୍ଷରୁ ସମସ୍ତ ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ସୂଚୀରେ ଆୟୋଜନ ହେବ। ତେଣୁ ସ୍ୱାଭାବିକ ସ୍ଥିତିରେ +୨ ପରୀକ୍ଷା ଆୟୋଜନ ପାଇଁ ସିଏଚଏସଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।
ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ହେବାକୁ ଥିବାବେଳେ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ। ନଭେମ୍ବର ୧୪ରୁ ୧୯ ମଧ୍ୟରେ ଫର୍ମ ପୂରଣ ହେବାକୁ ଥିବାବେଳେ ୨୧ରୁ ୨୩ ତାରିଖ ମଧ୍ୟରେ ଫି ଦାଖଲ ହେବ। ସେହିପରି ଶହେ ଟଙ୍କା ଜରିମାନା ଦେଇ ୨୧ରୁ ୨୬ ଏବଂ ୪୫୦ ଟଙ୍କା ଫାଇନ୍ ଦେଇ ୨୮ରୁ ୩୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବେ। ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଏହି ସମୟରେ ଫର୍ମ ପୂରଣ କରିବେ। ତେବେ ମାର୍ଚ୍ଚ ପ୍ରଥମ ସପ୍ତାହରେ ପରୀକ୍ଷା ଆୟୋଜନ ପାଇଁ ସିଏଚଏସଇ ତାରିଖ ନିର୍ଦ୍ଧାରଣ କରିଥିବା ପରିଷଦ ସୁତ୍ରରୁ ସୂଚନା ମିଳିଛି। ସବୁ ବର୍ଗର ଛାତ୍ରଛାତ୍ରୀ ୩୦ ତାରିଖ ସୁଦ୍ଧା ଫର୍ମ ପୂରଣ ପ୍ରକ୍ରିୟା ସାରିବେ। ୩୦ ପରେ କୌଣସି ପିଲାଙ୍କ ଫର୍ମ ପୂରଣ ଗ୍ରହଣ କରାଯିବ ନାହିଁ। ତେବେ ରେଗୁଲାର ବର୍ଗର ପିଲାଙ୍କ କ୍ଷେତ୍ରରେ ୫୨୦ ଟଙ୍କା ଫର୍ମ ପୂରଣ ଫି’ ଓ ପ୍ରାକ୍ଟିକାଲ୍ ବିଷୟ କ୍ଷେତ୍ରରେ ୪୦ ଟଙ୍କା ଲେଖାଏଁ ଦାଖଲ କରିବେ।