Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଫେରିଯିବ ସୁନ୍ଦରୀ, ମଧ୍ୟପ୍ରଦେଶରୁ ଆସୁଛି ସ୍ୱତନ୍ତ୍ର ଟିମ୍

ବାନ୍ଧବଗଡ଼ର ବାଘୁଣୀ ତଥା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ବିଫଳ ନାୟିକା 'ସୁନ୍ଦରୀ' ଫେରିଯିବ । ସୁନ୍ଦରୀକୁ ନେବାକୁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ରପ୍ରକଳ୍ପରୁ ଏକ ଟିମ୍‌ ଆସୁଛି ।

ବାନ୍ଧବଗଡ଼ର ବାଘୁଣୀ ତଥା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ବିଫଳ ନାୟିକା ‘ସୁନ୍ଦରୀ’ ଫେରିଯିବ । ସୁନ୍ଦରୀକୁ ନେବାକୁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ରପ୍ରକଳ୍ପରୁ ଏକ ଟିମ୍‌ ଆସୁଛି । ଆଜି ସେମାନେ ସାତକୋଶିଆରେ ପହଞ୍ଚିବେ । ପ୍ରଥମେ ସେମାନଙ୍କ ସହ ଆସିଥିବା ଡାକ୍ତରଙ୍କ ଦ୍ୱାରା ସୁନ୍ଦରୀର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଯଦି ସୁନ୍ଦରୀ ସୁସ୍ଥ ଥିବ ତେବେ ୩/୪ ଦିନ ମଧ୍ୟରେ ତାକୁ ସ୍ୱତନ୍ତ୍ର ଗାଡ଼ିରେ ଫେରାଇ ନିଆଯିବ ।

ସୁନ୍ଦରୀକୁ ପ୍ରଥମେ ମଧ୍ୟପ୍ରଦେଶର ‘ଘୋରେଲା’ରିୱାଇଲ୍‌ଡ଼ିଂ ସେଣ୍ଟର୍‌କୁ ନିଆଯିବ । ସେଠାରେ ପୁଣି ତା’ର ଜଙ୍ଗଲୀ ପ୍ରକୃତିକୁ ଫେରାଇ ଅଣାଯିବା ପାଇଁ ଉଦ୍ୟମ କରାଯିବ । ଏଥିପାଇଁ କାହ୍ନା ବ୍ୟାଘ୍ର ପ୍ରକଳ୍ପର ସହକାରୀ ନିର୍ଦ୍ଦେଶକ, ଜଣେ ଡାକ୍ତରଙ୍କ ସହ ଅନ୍ୟ ୫ଜଣ କର୍ମଚାରୀ ସାତକୋଶିଆକୁ ଆସୁଛନ୍ତି । କାହ୍ନା ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ସଞ୍ଜୟ ସିଂହ ଏହି ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ମଣିଷମରା ‘ସୁନ୍ଦରୀ’ ମଧ୍ୟପ୍ରଦେଶ ଫେରାଇ ନେବାର ବନ୍ଦୋବସ୍ତ କରାଯାଉଛି ବୋଲି ପୂର୍ବରୁ ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୂଚନା ଦେଇଥିଲେ । ‘କାହ୍ନା’ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ବିଳମ୍ବ ଯୋଗୁଁ ସୁନ୍ଦରୀ ଫେରିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ କାହ୍ନା ବ୍ୟାଘ୍ର ପ୍ରକଳ୍ପର ଏକ ସ୍ୱତନ୍ତ୍ର ଟିମ୍‌ ସୁନ୍ଦରୀକୁ ଫେରାଇ ନେବାକୁ ଆସୁଥିବାରୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବାକୁ ଯାଉଛି ।
ଦୀର୍ଘ ଦିନ ଧରି ଏନ୍‌କ୍ଲୋଜର ମଧ୍ୟରେ ବନ୍ଦୀ ହୋଇ ରହିବା ଦ୍ୱାରା ସୁନ୍ଦରୀର ସହଜାତ ପ୍ରବୃତ୍ତି ହରାଇବାକୁ ବସିଛି ବାଘୁଣୀ । ଏପରିକି ତା’ର ହିଂସ୍ରପଣ, ଶିକାର ଦକ୍ଷତା ପ୍ରଭାବିତ ହୋଇଛି । ଖୁଆଡ଼ ମଧ୍ୟକୁ ଦିଆ ଯାଉଥିବା ଶିକାର ଖାଉଛି । ବଣୁଆ ପ୍ରକୃତି ହରାଇଲେ ଖୁଆଡ଼ ମୁକ୍ତ ହେବା ପରେ ଜଙ୍ଗଲରେ ବାଘୁଣୀର ସ୍ୱାଭାବିକ ଜୀବନଯାତ୍ରା ସାଂଘାତିକ ଭାବରେ ପ୍ରଭାବିତ ହେବା ମତ ପ୍ରକାଶ ପାଇଥିଲା । ତେଣୁ ଓଡ଼ିଶା ଓ ମଧ୍ୟପ୍ରଦେଶ ସରକାରଙ୍କ ବିଭାଗୀୟ ଶୀର୍ଷ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇ ମଧ୍ୟପ୍ରଦେଶର କୌଣସି ରିୱାଇଲ୍‌ଡ଼ିଂ ସେଣ୍ଟର୍‌ରେ ବାଘୁଣୀକୁ ଭର୍ତ୍ତି କରାଯିବାକୁ ସ୍ଥିର ହୋଇଥିଲା । ଶେଷରେ ‘ଘୋରେଲା’ ରିୱାଇଲ୍‌ଡ଼ିଂ ସେଣ୍ଟର୍‌ରେ ବାଘୁଣୀ ସୁନ୍ଦରୀକୁ ନେଇ ଛଡ଼ାଯିବ । ସେଠାରେ ସ୍ୱାଭାବିକ ପ୍ରକୃତି ଫେରିବା ପରେ ତାକୁ ଜଙ୍ଗଲରେ ମୁକ୍ତ କରାଯିବ ।

ସୂଚନା ଥାଉକି, ଓଡ଼ିଶା ସରକାରଙ୍କ ରାଜ୍ୟ ଜଙ୍ଗଲ ତଥା ବନ୍ୟପ୍ରାଣୀ ବିଭାଗ, ଏନ୍‌ଟିସିଏ (ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା) ଏବଂ ମଧ୍ୟପ୍ରଦେଶ ସରକାରଙ୍କ ମିଳିତ ଉଦ୍ୟମ କ୍ରମେ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ଭାରତର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ । ତିନି ଯୋଡ଼ା ଯୁବ ମହାବଳ ଦମ୍ପତି ସାତକୋଶିଆରେ ଛଡ଼ାଯିବାର ଯୋଜନା ରହିଥିବା ବେଳେ ମାତ୍ର ଗୋଟିଏ ଯୋଡ଼ା ମହାବଳ ପରିଚାଳନାରେ ବନବିଭାଗର ଅପାରଗ ପଣ ପଦାରେ ପଡ଼ିଥିଲା। ଜଙ୍ଗଲରେ ଛଡ଼ାଯିବାର ମାତ୍ର ୬ ମାସ ମଧ୍ୟରେ ‘କାହ୍ନା’ ପ୍ରକଳ୍ପରୁ ଆସିଥିବା ଯୁବ ଅଣ୍ଡିରା ମହାବଳ ‘ମହାବୀର’ ଶିକାରୀ ଫାଶରେ ପଡ଼ି ମୃତ୍ୟୁ ମୁଖରେ ପଡ଼ିଥିଲା । ବାନ୍ଧବଗଡ଼ ପ୍ରକଳ୍ପରୁ ଆସିଥିବା ମାଈ ବାଘୁଣୀ ‘ସୁନ୍ଦରୀ’ ମଣିଷ ଶିକାର କରିବାରୁ ଟ୍ରାଂକୁଲାଇଜ୍‌ କରି ୨୦୧୮ ନଭେମ୍ବର ୬ ତାରିଖଠାରୁ ଏନ୍‌କ୍ଲୋଜର ମଧ୍ୟରେ ବନ୍ଦୀ କରି ରଖାଯାଇଛି ।

Show More

Related Articles

Back to top button