Breaking PLUSଓଡ଼ିଶାଖେଳମୁଖ୍ୟ ଖବର

ଦୂତୀ ଓ ପ୍ରମୋଦଙ୍କ ନାଁ ରେ ହେବ ଷ୍ଟାଡିୟମ !

ଟୋକିଓ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନ୍ ରେ ସ୍ୱର୍ଣ୍ଣପଦକ ବିଜେତା ପ୍ରମୋଦ ଭଗତ ଏବଂ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାମରେ କିଟ୍ ର ଦୁଇଟି ଷ୍ଟାଡିୟମ୍ କୁ ନାମିତ କରାଯିବ । କିଟ୍ ଓ କିସ୍ ପକ୍ଷରୁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଆଜି ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ଏହି ଘୋଷଣା କରିଛନ୍ତି ।

୧୨ ନମ୍ବର କ୍ୟାମ୍ପସ୍ ରେ ଥିବା ଇନଡୋର ଷ୍ଟାଡିୟମ୍ କୁ ‘ପ୍ରମୋଦ ଭଗତ ଇନଡୋର ଷ୍ଟାଡିୟମ୍’ ନାମରେ ନାମିତ କରାଯିବ । ପାରା ଅଲିମ୍ପିକ୍ସ ଯିବା ପୂର୍ବରୁ ପ୍ରମୋଦ ଏହି ଷ୍ଟାଡିୟମ୍ ରେ ଦୀର୍ଘ ଦିନ ଧରି ଅଭ୍ୟାସ କରୁଥିଲେ । ସେହିଭଳି କିଟ୍ ର ସିନ୍ଥେଟିକ୍ ଆଥଲେଟିକ୍ ଷ୍ଟାଡିୟମ୍ କୁ ‘ଦୂତୀ ଚାନ୍ଦ ଷ୍ଟାଡିୟମ୍’ ନାମରେ ନାମିତ କରାଯିବ ବୋଲି ଡ. ସାମନ୍ତ ଘୋଷଣା କରିଛନ୍ତି ।

ଦୁଇ ଜଣ ଅଲିମ୍ପିଆନଙ୍କ ନାମରେ ଗୋଟିଏ ବିଶ୍ୱବିଦ୍ୟାଳୟର ଦୁଇ ଦୁଇଟି ଷ୍ଟାଡିଅମ ଏକାଥରକେ ନାମିତ ହେବାରେ କିଟ୍‍ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ବୋଲି କୁହାଯାଉଛି । ଆସନ୍ତା ଡିସେମ୍ବରରେ ଏହି ନାମକରଣ ହେବ ।କିଟ୍ କିମ୍ବା କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତାବର୍ଷ ଦୁହିଁଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ପ୍ରଦାନ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି ।

ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଡ. ସାମନ୍ତ କିଟ୍‍ ଓ କିସର ବରିଷ୍ଠ ପଦାଧିକାରୀଙ୍କ ଗହଣରେ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବାବଦରେ ପ୍ରମୋଦଙ୍କୁ ନଗଦ ୫ ଲକ୍ଷ ଟଙ୍କା ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ସେହିପରି ଭାରତର ଦୌଡ଼ରାଣୀ ତଥା କିଟ୍‍ ଛାତ୍ରୀ ଦୂତୀ ଚାନ୍ଦଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ୨୦୧୩ ମସିହାରୁ କିଟ୍‍ ଓ କିସ୍‍ ପକ୍ଷରୁ ଦୂତୀଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ଅନ୍ୟାନ୍ୟ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଇ ଆସୁଛି । ଦୂତୀ ଦୁଇ ଦୁଇ ଥର ଅଲମ୍ପିକ୍‍ ଟ୍ରାକରେ ଦୌଡ଼ିବାର ଗୌରବ ଅର୍ଜନ କରିଥିବା ବେଳେ ଏସିଆଡ, ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆଦି ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ହାସଲ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରି ଆସୁଛନ୍ତି ବୋଲି ଶ୍ରୀ ସାମନ୍ତ ତାଙ୍କ ଭାଷଣରେ କହିବା ସହ ପ୍ରମୋଦ ଭଗତ ଓ ଦୂତୀ ଚାନ୍ଦଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନେକ କିଛି କରିଛନ୍ତି ବୋଲି କହିଥିଲେ । ଏହି ଅବସରରେ ହୁଇଲ୍‍ ଚେୟାର ଅସି ଚାଳକ ବିଶ୍ୱ ଚାମ୍ପିଅନ୍‍ ରାଖାଲ୍‍ ସେଠୀଙ୍କୁ ୨.୭ଲକ୍ଷ ଟଙ୍କା ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା । ଏହି ଅର୍ଥରେ ସେ ଏକ ହୁଇଲ୍‍ ଚେୟାର କିଣି ଆସନ୍ତା ନଭେମ୍ବରରେ ଇଟାଲୀର ପିସାଠାରେ ଅନୁଷ୍ଠିତ ହେବାକୁ ଥିବା ଦି ଲିନିଂ ଟାୱାର ବିଶ୍ୱକପରେ ଅଂଶଗ୍ରହଣ କରିପାରିବେ ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ କିଟ୍‍ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Show More

Related Articles

Back to top button