ଓଡ଼ିଶାମୁଖ୍ୟ ଖବର

ସେପ୍ଟେମ୍ବର ଶେଷରେ ଓଡିଶା ଉପରେ ଆଉ ଏକ ଲଘୁଚାପ, ପୁଣି ଢାଳିବ !

ଓଡିଶାରୁ ଅପସରି ଯାଇଛି ବାତ୍ୟା ଗୁଲାବ । ଗୁଲବ ବିଶେଷ କ୍ଷତି କରିନଥିବା ବେଳେ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି ।

ଆନ୍ଧ୍ର ସୀମାନ୍ତ କୋରାପୁଟ ଶୁଙ୍କି ଘାଟିରେ ପାହଡ ଧସି ରାସ୍ତା ଅବରୋଧ ହୋଇଛି । ଗଛ ପଡି ମାଲକାନଗିରି ସଦର ବ୍ଲକରେ ୬ଟି ଘର ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି । ଆସନ୍ତା ୫ଦିନ ଭିତରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ସେପଟେ ସେପ୍ଟେମ୍ବର ଶେଷରେ ଓଡିଶା ଉପରେ ଆଉ ଏକ ଲଘୁଚାପ କ୍ଷେତ୍ର ନେଇ ପୂର୍ବାନୁମାନ କରିଛି ସ୍କାଏମେଟ୍‌ ।

ଗୁଲବ ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । କୋରାପୁଟ ପଟାଙ୍ଗୀରେ ସର୍ବାଧିକ ୧୪୮ ମିଲି ମିଟର ବର୍ଷା ହୋଇଛି। ମାଲକାନଗିରିର ଗୋଟିଏ ବ୍ଲକରେ ୧୦୭ ମିଲି ମିଟର ବର୍ଷା, ଗଜପତିର ଗୋଶାଣୀରେ ୮୩ ମିମି, ମୋହନାରେ ୩୩ ମିମି, ରାୟଗଡ଼ା ବ୍ଳକରେ ୬୦ ମିମି ଓ ନୂଆଗଡ଼ରେ ୩୩ ମିମି ବର୍ଷା ରେକର୍ଡ ହୋଇଛି। ତେବେ ପବନର ବେଗ କେଉଁଠି ବି ୫୦ରୁ ୫୫କିଲୋମଟିର ଟପିନଥିବା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ଆନ୍ଧ୍ର ସୀମାନ୍ତ କୋରାପୁଟ ଶୁଙ୍କି ଘାଟି ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହୋଇ ପାହାଡ଼ ଧସି ରାସ୍ତା ଜାମ ହୋଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହଛି ।

ମାଲକାନଗିରି ଜିଲ୍ଲାର କିଛି ରାସ୍ତାରେ ଗଛ ପଡ଼ିଛି । ୨୬ ନମ୍ବର ଜାତୀୟ ରାଜପଥର କୁନ୍ଦୁଲି ଓ ମାଳିପୁଟ ନିକଟରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ବାତ୍ୟା ଗୁଲାବ ଯୋଗୁଁ ମାଲକାନଗିରି ଖୈରପୁଟ, ଚିତ୍ରକୋଣ୍ଡା, କୋରୁକୋଣ୍ଡା, କାଲିମେଳା, ମାଥିଲି ଓ ମାଲକାନଗିରି ସଦର ବ୍ଲକରେ ୬ ଟି ଘର ସଂପୁର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ୭୫ଟି ଘର ଆଂଶିକ ଭାବେ ଭାଙ୍ଗିଥିବା ଜଣାପଡିଛି । ତେବେ ଆସନ୍ତା ୫ଦିନ ଭିତରେ ସମସ୍ତ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 

ସେପଟେ ବାତ୍ୟା ଗୁଲାବ ପ୍ରଭାବରେ ମାଲକାନଗିରି କାଲିମେଳା ବ୍ଲକ ଏମଭି- ୯୬ ଗାଁ ନିକଟରେ ବିଜୟୱାଡା- ରାଞ୍ଚି ୩୨୬ ନମ୍ବର ଜାତୀୟ ରାଜପଥର ପୋଲ ଉପରେ ଦୁଇରୁ ତିନିଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି। ପୋଲର ଉଭୟ ପାର୍ଶ୍ବରେ ଅନେକ ଗାଡି ମଟର ଅଟକି ରହିଥିବା ଦେଖିବାକୁ ମିଳିଛି ।

ଗଜପତି ଜିଲ୍ଲା ମୋହନା ବ୍ଲକର ମାଣିକପୁର ଠାରେ ଏକ ବଡ଼ଗଛ ପଡିବା ଯୋଗୁଁ ମୋହନା-ପାରଳାଖେମୁଣ୍ଡି ଯାତାୟାତ ଠପ ହୋଇଥିଲା। ପିଣ୍ଡିକି ନିକଟରେ ଗଛ ପଡିଥିବା ବେଳେ ଲିଲିଗଡ଼ ଠାରେ ମଧ୍ୟ ଗଛ ପଡି ମୋହନା -ବ୍ରହ୍ମପୁର ରାସ୍ତା ଅବରୋଧ ହୋଇଛି। ସେହିପରି ଆର. ଉଦୟଗିରି ବ୍ଲକ ଚମ୍ପା ଘାଟିରେ ଗଛ ପଡି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିଲା। ତେବେ ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ ଓ ପୋଲିସ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟିବା ସହ ରାସ୍ତାରେ ଯାତାୟତ ସ୍ଵାଭାବିକ କରିଛନ୍ତି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲାରେ ଅଧିକ ବର୍ଷା ଯୋଗୁଁ ହରଭଙ୍ଗୀ ଡ୍ୟାମର ୩ଟି ଗେଟ୍ ଖୋଲିବାପରେ ବଂଶଧାରା ଜଳସ୍ତର ବଢ଼ିବାରେ ଲାଗିଛି।

ଅନ୍ୟପଟେ ସେପ୍ଟେମ୍ବର ଶେଷ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ଥିବା ସ୍କାଏମେଟ ଆକଳନ କରିଛି । ବିଶେଷ କରି ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା ଏବଂ ବରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

Show More

Related Articles

Back to top button