Breaking PLUSଓଡ଼ିଶାବିଧାନସଭାମୁଖ୍ୟ ଖବରରାଜନୀତି

ଜାତିଭିତିକ ଜନଗଣନା ନେଇ ଆସିପାରେ ସଂକଳ୍ପ ପ୍ରସ୍ତାବ

ବିରୋଧ ସମ୍ଭାବନା କ୍ଷୀଣ

ଆଜି ବିଧାନସଭାରେ ଓବିସି ଗଣନା ଓ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ହଟାଇବା ନେଇ ଏକ ସଂକଳ୍ପ ପ୍ରସ୍ତାବ ପାରିତ ହୋଇପାରେ । ଏହି ପ୍ରସଙ୍ଗରେ ପୂର୍ବରୁ କଂଗ୍ରେସର ସମର୍ଥନ ମିଳିଥିଲାବେଳେ ବିଜେପି ବିଧାନସଭାରେ ସଂକଳ୍ପ ପ୍ରସ୍ତାବକୁ ବିରୋଧ କରିବାର ସମ୍ଭାବନା କ୍ଷୀଣ।  ସେପଟେ ପଂଚାୟତ ଓ ପୌର ନିର୍ବାଚନ ପର୍ଯ୍ୟନ୍ତ ବିଜେଡି ନିଜର ‘ଓବିସି ଗଣନା’ କାର୍ଡକୁ ଜୋରସୋର ଢଙ୍ଗରେ ଉଠାଇ ରାଜ୍ୟର ୫୪ ପ୍ରତିଶତ ଓବିସି ଲୋକଙ୍କ ଆସ୍ଥାଭାଜନ ହେବାକୁ ଲକ୍ଷ୍ୟ ରଖିଛି।

ବିଜେଡି ଏବେ ଓବିସି ସଂରକ୍ଷଣ ଦାବିକୁ ଜୋରସୋରରେ ଉଠାଇ ନିର୍ବାଚନୀ ବୈତରଣୀ ପାର ହେବାକୁ ଚାହୁଁଛି। ବିଜେଡି ଯୁକ୍ତି ବାଢ଼ିଛି ଯେ,ରାଜ୍ୟରେ ଓବିସି ଜନଗଣନାରେ ସଂଘୀୟ ଢାଂଚା ପ୍ରତିବନ୍ଧକ ସାଜିଛି। ପଛୁଆ ବର୍ଗଙ୍କୁ ନ୍ୟାୟ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତିବଦ୍ଧ। ସଂରକ୍ଷଣ ବୃଦ୍ଧି ଓ ଜାତିଭିତ୍ତିକ ଜନଗଣନା ହେଉଛି ଗୋଟଇଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଜାତିଭିତ୍ତିକ ଜନଗଣନା ହେଲେ ହିଁ ରାଜ୍ୟରେ ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିବ । ସେପଟେ ଏନଡିଏର ଅନେକ ସହଯୋଗୀ ଦଳ ବି ସମାନ ଦାବି ଉଠାଇଛନ୍ତି । ତେଣୁ ଜାତିଭିତ୍ତିକ ଜନଗଣନା କରିବାକୁ ଓ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ହଟାଇବାକୁ ବିଜେଡି ଦାବି କରୁଛି ।

ଜାତିଭିତ୍ତିକ ପଛୁଆବର୍ଗଙ୍କ ଗଣନା ପାଇଁ କେନ୍ଦ୍ର ସରକାର ମନା କରିଦେବା ପରେ ୨୦୨୦ ଜାନୁଆରୀ ୧୧ତାରିଖରେ ରାଜ୍ୟ କ୍ୟାବିନେଟ ଓଡ଼ିଶାରେ ପଛୁଆ ବର୍ଗଙ୍କ ଗଣନା ପାଇଁ ଏକ ସଂକଳ୍ପ ପାରିତ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ। ଜନଗଣନାରେ ଓବିସିଙ୍କ ପାଇଁ ସ୍ୱତନ୍ତ୍ର ଗଣନା କରାଯାଇପାରିବ ନାହିଁ ବୋଲି ରୋକଠୋକ୍ ଜଣାଇବା ପରେ ଓଡ଼ିଶା ସରକାର ୨୦୨୦ ଫେବୃୟାରୀ ୧୨ରେ ଓବିସି କମିଶନ ଗଠନ କରିଥିଲେ।  ରାଜ୍ୟରେ ଏବେ ଓବିସି ବର୍ଗଙ୍କୁ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ସୁବିଧା ମିଳୁଛି । ତେଣୁ ଏହି ପ୍ରସଙ୍ଗକୁ ନେଇ ଆଜିର ବିଧାନସଭା ଉପରେ ସମସ୍ତଙ୍କ ନଜର ରହିଛି  ।

Show More

Related Articles

Back to top button