Breaking PLUSଓଡ଼ିଶାଭକ୍ତିମୁଖ୍ୟ ଖବର

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଦର୍ଶନ ଲାଭ କରିବେ ଶ୍ରଦ୍ଧାଳୁ

ଆଜି କାର୍ତ୍ତିକ ମାସର ପବିତ୍ର ପଞ୍ଚୁକର ଦ୍ୱିତୀୟ ଦିନ । ଶ୍ରୀମନ୍ଦିରରେ ଆଜି ଭକ୍ତ ମାନଙ୍କୁ ମହାପ୍ରଭୁ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେବେ । ମହାପ୍ରଭୁଙ୍କ ସମସ୍ତ ବେଶ ମଧ୍ୟରେ ବାଙ୍କଚୂଡ଼ା ବେଶ ମଧ୍ୟ ଅନ୍ୟତମ । କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡ଼ୁଥିବା ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥାଏ ।

ଆଜିର ଦିନରେ ଅବକାଶ ନୀତି ଶେଷ ହେବା ପରେ ପାଳିଆ ମେକାପ, ଖୁଣ୍ଟିଆ, ଚାଙ୍ଗଡ଼ା ମେକାପ ଏବଂ କେତେଜଣ ପୁଷ୍ପାଳକ ଶ୍ରୀବିଗ୍ରହଙ୍କୁ ବାଙ୍କଚୂଡ଼ା ବେଶରେ ସଜ୍ଜିତ କରିଥାନ୍ତି । କଥାରେ ଅଛି, ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଭକ୍ତ ଅକ୍ରୁର ମଥୁରା ନେବା ପାଇଁ ଗୋପ ଆସିଥିଲେ । ଏହି ବେଶରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ସେହି ସ୍ମୃତିକୁ ଉଜ୍ଜିବୀତ କରିବା ପାଇଁ ଶ୍ରୀମନ୍ଦିରରେ ବହୁ ପୁରାତନ କାଳରୁ ବାଙ୍କଚୂଡ଼ା ବେଶ ହୋଇଆସୁଛି ।

ବାଙ୍କଚୂଡ଼ା ବେଶର ବିଶେଷତ୍ୱ ଯେ ଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ଼ ଖୋସା ପଡ଼େ ଏବଂ ଏହି ଖୋସାର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ । ଏକ ଛୋଟ ସ୍ୱର୍ଣ୍ଣ କୀରିଟ ଠାକୁରମାନଙ୍କ କପାଳର ଶୀର୍ଷ ଭାଗରେ ଶୋଭାପାଇଥାଏ । ଲକ୍ଷ୍ମୀନାରାୟଣ ବେଶରେ ଲାଗୁଥିବା ଅଧିକାଂଶ ଅଳଙ୍କାର ଏଥିରେ ବ୍ୟବହୃତ ହୋଇଥାଏ ।

ଜଗନ୍ନାଥ ଚକ୍ର ଓ ଶଙ୍ଖ ଏବଂ ବଳଭଦ୍ର ହଳମୂଷକ ଧାରଣ କରନ୍ତି । ଏହି ବେଶରେ ସୁଭଦ୍ରାଙ୍କ ଆଭୂଷଣ ପରିବର୍ତ୍ତନ ହୁଏ ନାହିଁ । ମାତ୍ର ତାଙ୍କର ମସ୍ତକ ସୂବର୍ଣ୍ଣ କିଆରେ ଶୋଭିତ ହୁଏ । ଭୋଗ ମଣ୍ଡପ ଶେଷ ହେବା ପରେ ଠାକୁରମାନଙ୍କ ଏହି ଆକର୍ଷଣୀୟ ବେଶ ଦର୍ଶନ ପାଇଁ ସର୍ବ ସାଧାରଣଙ୍କ ଉଦ୍ଦେଶ୍ୟରେ ସାହାଣ ମେଲା ଦର୍ଶନ ହୁଏ । ଗତକାଲି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଆଜି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗି ରହିଛି ।

Show More

Related Articles

Back to top button