ବନ୍ଦ ହେବ କରୋନା ରୋଗୀଙ୍କ ପ୍ଲାଜମା ଥେରାପି ଚିକିତ୍ସା, ସୂଚନା ଦେଲା ଆଇସିଏମଆର୍
କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁହାର ରୋକିବାରେ ପ୍ରଭାବୀ ହୋଇପାରୁନାହିଁ ପ୍ଲାଜମା ଥେରାପି । ତେଣୁ ତାକୁ ବନ୍ଦ କରିଦେବା ଲାଗି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର) ବିଚାର କରୁଛି । ଆଜି ଏହି ସୂଚନା ଦେଇଛନ୍ତି ଆଇସିଏମ୍ଆର ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ

କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁହାର ରୋକିବାରେ ପ୍ରଭାବୀ ହୋଇପାରୁନାହିଁ ପ୍ଲାଜମା ଥେରାପି । ତେଣୁ ତାକୁ ବନ୍ଦ କରିଦେବା ଲାଗି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର) ବିଚାର କରୁଛି । ଆଜି ଏହି ସୂଚନା ଦେଇଛନ୍ତି ଆଇସିଏମ୍ଆର ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ ।ନୂଆଦିଲ୍ଲୀ ଠାରେ ସୂଚନା ଦେଇ ଡକ୍ଟର ଭାର୍ଗବ କହିଛନ୍ତି ପ୍ଲାଜମା ଥେରାପିକୁ ନ୍ୟାସନାଲ ହେଲ୍ଥ କ୍ଲିନିକାଲ ପ୍ରୋଟୋକଲରୁ ହଟାଯିବାର ସମ୍ଭାବନା ରହିଛି ।କୋଭିଡ-୧୯ ଉପରେ ଗଠିତ ନ୍ୟାସନାଲ ଟାସ୍କଫୋର୍ସ ପକ୍ଷରୁ ଏହା ଉପରେ ବିଚାର ଆଲୋଚନା କରାଯାଉଛି । ପୂର୍ବରୁ ମଧ୍ୟ ଅଧ୍ୟୟନରୁ ପ୍ଲାଜମା ଥେରାପି ସେତେଟା ଫଳପ୍ରଦ ହେଉନଥିବା ଜଣାପଡିଥିଲା । ଗତ ଏପ୍ରିଲରୁ ଜୁଲାଇ ମଧ୍ୟରେ ୩୯ଟି ହସ୍ପିଟାଲରେ ୪୬୪ ରୋଗୀଙ୍କ ପ୍ଲାଜମା ଥେରାପି ଚିକିତ୍ସା ଉପରେ ଆଇସିଏମ୍ଆର ଅଧ୍ୟୟନ କରିଥିଲା । ଅଧ୍ୟୟନରୁ ଜଣାପଡିଛି କି ମଧ୍ୟମ ଧରଣରୁ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବାରେ ଏହା ଫଳପ୍ରଦ ହେଉନାହିଁ । ବର୍ତ୍ତମାନ କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ବଦଳରେ ଆଣ୍ଟିସେରା (ହର୍ସ ସେରା) କୁ ବିକଳ୍ପ ଭାବେ ବ୍ୟବହାର କରାଯିବ ।ଆଇସିଏମ୍ଆର ଦାବି କରିଛି ଯେ ସଙ୍ଗଠନ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଘୋଡାର ରକ୍ତ ସିରମ ବ୍ୟବହାର କରି ଅତ୍ୟନ୍ତ ପ୍ରଭାବଶାଳୀ ଆଣ୍ଟିସେରା ବିକଶିତ କରିଛି । ଆଇସିଏମ୍ଆରର ପ୍ରମୁଖ ବୈଜ୍ଞାନିକ ଡକ୍ଟର ଲୋକେଶ ଶର୍ମା କହିଛନ୍ତି ଯେ ଆଣ୍ଟିସେରା ହେଉଛି ପଶୁଙ୍କ ଠାରୁ ମିଳିଥିବା ରକ୍ତ ସିରମ । ଯେଉଁଥିରେ ସ୍ୱତନ୍ତ୍ର ଆଣ୍ଟିଜେନ ବିରୋଧରେ ଲଢ଼ିବା ଲାଗି ଆଣ୍ଟିବଡି ରହିଛି । କେତେକ ବିଶେଷ ରୋଗ ଲାଗି ବର୍ତ୍ତମାନ ଏହାର ମଧ୍ୟ ବ୍ୟବହାର କରାଯାଉଛି ।ସବୁଠାରୁ ବଡକଥା ହେଉଛି ବର୍ତ୍ତମାନ ଅନେକ ରାଜ୍ୟ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ପ୍ଲାଜମା ଥେରାପି ପ୍ରୟୋଗ କରୁଛନ୍ତି ।ଏପରିକି ଦିଲ୍ଲୀ ସମେତ ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ପ୍ଲାଜମା ଦାନ କରିବାକୁ ଅଭିଯାନ ଜାରି ରଖିଛନ୍ତି । କରୋନା ସମୟରେ ପ୍ଲାଜମା ଥେରାପି ଚର୍ଚ୍ଚାକୁ ଆସିଥିଲା । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରକ୍ତରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ । ତେଣୁ ତାଙ୍କ ରକ୍ତରୁ ପ୍ଲାଜମା ଆଣି ଆକ୍ରାନ୍ତ ବ୍ୟକ୍ତିଙ୍କୁ ଦିଆଯାଏ । ଯାହାଫଳରେ ରୋଗୀଙ୍କ ଶରୀରରେ କରୋନା ବିରୋଧରେ ଲଢ଼ିବା ଲାଗି ଆଣ୍ଟିବଡି ସୃଷ୍ଟି ହୋଇଥାଏ ।ବିଶ୍ୱର ଅନେକ ଦେଶରେ ପ୍ଲାଜମା ଥେରପି ଜାରି ରହିଛି । ଭାରତ ବ୍ୟତୀତ ଆମେରିକା, ସ୍ପେନ, ଦକ୍ଷିଣ କୋରିଆ, ଇଟାଲୀ, ତୁର୍କୀ, ଚୀନ୍ ଆଦି ଦେଶରେ ଏହା ବ୍ୟବହାର କରାଯାଉଛି ।