Breaking PLUSଓଡ଼ିଶାମୁଖ୍ୟ ଖବର

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ନିମନ୍ତେ ଦାବି

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପାଇକ ବିଦ୍ରୋହର ଅବଦାନ ଚିରସ୍ମରଣୀୟ । ଖୋର୍ଦ୍ଧାର ବୀର ପାଇକମାନେ ହିଁ ସମଗ୍ର ଦେଶରେ ପ୍ରଥମ ଥର ବ୍ରିଟିଶ ସରକାର ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ । ଏ ବିଦ୍ରୋହର ସ୍ୱର ଦେଶର କୋଣ ଅନୁକୋଣକୁ ବ୍ୟାପିଥିଲା । ଓଡ଼ିଆ ସଂଗ୍ରାମୀଙ୍କ ଏ ତ୍ୟାଗକୁ କେନ୍ଦ୍ର ସରକାର ସମ୍ମାନ ଦିଅନ୍ତୁ ।

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରନ୍ତୁ । ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟି ଏ ଦାବି ରଖିଛନ୍ତି । ଏହି ମର୍ମରେ ଏକ ସ୍ମାରକପତ୍ର ମଧ୍ୟ ଦେଇଛନ୍ତି ।

ବିଜେଡି ସାଂସଦମାନେ ସ୍ମାରକପତ୍ରରେ ଦର୍ଶାଇଛନ୍ତି, ୧୮୧୭ ମସିହାରେ ପାଇକମାନେ ବ୍ରିଟିଶ ସରକାର ବିରୋଧରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ହୋଇ ବିଦ୍ରୋହ କରିଥିଲେ । ୧୮୫୭ ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଏ ଲଢ଼େଇ ହୋଇଥିଲା । ଏ ସଂଗ୍ରାମ ବ୍ରିଟିଶ ସରକାରଙ୍କ ବିରୋଧରେ ବିଦ୍ରୋହର ନିଆଁକୁ ଆହୁରି ତେଜିଥିଲା । ୨୦୧୭, ଜୁଲାଇ ୧୮ରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଲା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିବା ସହ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ଅନୁରୋଧ କରିଥିଲେ । ଓଡ଼ିଆ ସ୍ୱାଭିମାନ, ଅସ୍ମିତା ଓ ବୀରତ୍ୱର ସମ୍ମାନ ପାଇଁ ସାରା ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରସ୍ତାବକୁ ହୃଦୟରୁ ସମର୍ଥନ କରିଥିଲେ । ସେଇବର୍ଷ ଜୁଲାଇ ୨୦ରେ ପାଇକ ବିଦ୍ରୋହର ଦ୍ୱିଶତବାର୍ଷିକୀ ଉତ୍ସବ ନୂଆଦିଲ୍ଲୀରେ ପାଳିତ ହୋଇଥିଲା । ଏହାକୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦଘାଟନ କରିଥିଲେ । ଏହି ସଭାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଏ ଦାବିକୁ ଦୋହରାଇ ଥିଲେ ।

୨୦୧୭ ଅକ୍ଟୋବର ୨୩ରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର ଭୁବନେଶ୍ୱରରେ ଏକ ପ୍ରେସ ମିଟରେ ଘୋଷଣା କଲେ, ଇତିହାସ ବହିରେ ପାଇକ ବିଦ୍ରୋହକୁ ସ୍ୱତନ୍ତ୍ର ସ୍ଥାନ ମିଳିବ । ଓଡ଼ିଶାବାସୀ ଆଶା କରିଥିଲେ, କେନ୍ଦ୍ର ପାଇକ ବିଦ୍ରୋହକୁ ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବ । ମାତ୍ର ବିଡମ୍ବନା ଏବେ କେନ୍ଦ୍ର ରାଜ୍ୟର ଏହି ଦାବିକୁ ଗୋଡରେ ଏଡ଼ାଇ ଦେଇଛି । ଏହା ରାଜ୍ୟବାସୀଙ୍କୁ ଆଘାତ ଦେଇଛି । ଓଡ଼ିଶା ଅସ୍ମିତା, ଇତିହାସ, ପରମ୍ପରା ଓ ସାଢ଼େ ୪ କୋଟି ଓଡ଼ିଆଙ୍କ ପ୍ରତି ଏହା ଅପମାନ । କେନ୍ଦ୍ର ସରକାର ତୁରନ୍ତ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ବିଜେଡି ସାଂସଦମାନେ ମେଘୱାଲଙ୍କ ନିକଟରେ ଦାବି ରଖିଛନ୍ତି ।

Show More

Related Articles

Back to top button