ବାଣିଜ୍ୟ

ନୂଆବର୍ଷରେ ଲାଗିବ ନୂଆ ଝଟକା !

ମହଙ୍ଗା ହେବ ରେଡିମେଡ ପୋଷାକ ଓ ଜୋତା, ୫ରୁ ୧୨ ପ୍ରତିଶତକୁ ବଢ଼ିବ GST

ଏପର୍ଯ୍ୟନ୍ତ ମହଙ୍ଗା ପେଟ୍ରୋଲ, ଡିଜେଲ ଓ ରାସନ କିଣି ଆସିଥିବା ଗ୍ରାହକଙ୍କ ଲାଗି ପୁଣି ଏକ ଖରାପ ଖବର। ଜାନୁୟାରୀ ୨୦୨୨ରୁ ରେଡିମେଡ ପୋଷାକ ଓ ଜୋତା ବି ମହଙ୍ଗା ହେବ । ଏଥିଲାଗି ପ୍ରଚଳିତ ୫ ପ୍ରତିଶତ ସେବା ଓ ସାମଗ୍ରୀ କର (ଜିଏସଟି)କୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଏଣୁ ପୋଷାକ ଓ ଟେକ୍ସଟାଇଲ ସାଙ୍ଗକୁ ଫୁଟୱେର ବି ମହଙ୍ଗା ହେବା ନିଶ୍ଚିତ ହୋଇଯାଇଛି। ଏପରି ଫିନିସଡ୍ ସାମଗ୍ରୀ ଉପରେ ଏପର୍ଯ୍ୟନ୍ତ ୫ ପ୍ରତିଶତ ଜିଏସଟି ଲାଗୁ ହେଉଥିଲା। ଯାହାକୁ ୧୨ ପ୍ରତିଶତ କରାଯାଇଥିବା ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସ(ସିବିଆଇସି) ଶନିବାର ଜାରି କରିଥିବା ନୋଟିଫିକେସନରେ ସୂଚିତ କରିଛନ୍ତି । ନୂଆ ଶୁଳ୍କହାର ଜାନୁୟାରୀ ୨୦୨୨ରୁ ଲାଗୁ ହେବ। ଏହା ପୂର୍ବରୁ କେବଳ ୧୦୦୦ ଟଙ୍କା ମୂଲ୍ୟରୁ ଅଧିକ ଦରର ପୋଷାକ ଓ ଫୁଟୱେର ଉପରେ ୫ ପ୍ରତିଶତ ଜିଏସଟି ଅସୁଲ ହେଉଥିଲା। ନୂଆ ନିଷ୍ପତ୍ତିରେ କୌଣସି ମୂଲ୍ୟର ପୋଷାକ ହେଉ ଅଥବା ଜୋତା ସବୁ ଉପରେ ୧୨ ପ୍ରତିଶତ ଶୁଳ୍କ ଧାର୍ଯ୍ୟ ହେବ।

ସେହିପରି ଟେକ୍ସଟାଇଲ ଯେପରିକି ହାତରେ ବୁଣା ପୋଷାକ, ସିନ୍ଥେଟିକ ୟାର୍ଣ୍ଣ, ପାଇଲ ଫେବ୍ରିକ୍ସ, ବ୍ଲାଙ୍କେଟ, ଟେଣ୍ଟ ଓ ଟେବୁଲ କ୍ଲଥ ପରି ସାମଗ୍ରୀ ଉପରେ ମଧ୍ୟ ୫ ବଦଳେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କ୍ଲୋଦିଙ୍ଗ ମାନୁଫେକ୍ଚରିଂ ଆସୋସିଏସନ ଅଫ ଇଣ୍ଡିଆ (ସିଏମଏଆଇ) ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପ୍ପେରଲସ ଉପରେ ସରକାର ଜିଏସଟି ବୃଦ୍ଧି କରିବା ନିରାଶାଜନକ ବୋଲି ସଂଘ କହିଛି। ଏମିତିରେ ଉଦ୍ୟୋଗ କଞ୍ଚାମାଲ ମୂଲ୍ୟ ବୃଦ୍ଧି ଯୋଗୁ ଚାପରେ ରହିଛି। ଏହାଛଡା ପ୍ୟାକେଜିଂ, ମେଟେରିଆଲ ଓ ପରିବହନ ଭଡ଼ା ମଧ୍ୟ ବୃଦ୍ଧି ହୋଇଛି। ଏଥିରେ ଜିଏସଟି ବୃଦ୍ଧି ଗ୍ରାହକଙ୍କୁ ପ୍ରଭାବିତ କରିବ ନିଶ୍ଚିତ ବୋଲି ସଂଘ କହିଛି। ଜିଏସଟି ବୃଦ୍ଧି ନ ହେଉ ବୋଲି ବଜାର ଚାହୁଁଥିବା ବେଳେ ସରକାରଙ୍କ ଶୁଳ୍କ ନୀତି ବାସ୍ତବିକ ନିରାଶାଜନକ ବୋଲି ସଂଘର ସଭାପତି ରାଜେସ ମସନ୍ଦ କହିଛନ୍ତି।

Show More

Related Articles

Back to top button