ଓଡ଼ିଶାମୁଖ୍ୟ ଖବର

୨୪ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ

ଏବେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ତାଉକ୍‌ତେ’ ଭୟଙ୍କର ରୂପ ନେବାରେ ଲାଗିଛି । ଏହା ଅତି ଭୀଷଣ ବାତ୍ୟା ରୂପ ନେବାରେ ଲାଗିଛି । ୧୮ ତାରିଖ ସକାଳବେଳକୁ ଗୁଜରାଟ ଉପକୂଳରେ ପହଞ୍ଚିଯିବ । ଅପରାହ୍ନରୁ ସନ୍ଧ୍ୟା ଭିତରେ ପୋରବନ୍ଦରରୁ ନାଲିୟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ଭୟାନକ ବାତ୍ୟା ‘ତାଉକ୍‌ତେ’

ପବନର ବେଗ ଘଣ୍ଟା ପ୍ରତି ୧୫୦ କିମିରୁ ୧୬୦ କିମି ଥିବ । ମଝିରେ ମଝିରେ ୧୭୫ କିମି ବେଗରେ ଧକ୍କା ମାରିପାରେ ପବନର ବେଗ । ବାତ୍ୟା ନେଇ ଗୁଜରାଟ,ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଗୋଆକୁ ହାଇଆଲର୍ଟ କରାଯାଇଛି ।

ଏହି ବାତ୍ୟାର ସିଧାସଳଖ ଓଡ଼ିଶା ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । ତେବେ କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ଆସନ୍ତା ୨୪ ତାରିଖବେଳକୁ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । କେତେକ ପାଣିପାଗ ମଡେଲ ଏଭଳି ସଙ୍କେତ ଦେଖାଉଛନ୍ତି । ଏହି ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ ହେବ । ଏହା ମିଆଁମାର ଓ ବାଂଲାଦେଶ ଉପକୂଳରେ ପ୍ରବଳ ବର୍ଷା କରାଇପାରେ । ତେବେ ଓଡ଼ିଶାରେ ଏହାର କି ପ୍ରଭାବ ପଡ଼ିବ, ତାହା ୨୨ ତାରିଖବେଳକୁ ସ୍ପଷ୍ଟ ହେବ ।

ସେ କହିଛନ୍ତି, ଭାରତ ମହାସାଗରରେ ମୌସୁମୀ ବର୍ଷା ପାଇଁ ପାଗ ଅନୁକୂଳ ହେବାରେ ଲାଗିଛି । ଚଳିତ ମାସ ଚତୁର୍ଥ ସପ୍ତାହରେ କେରଳରେ ଭାରି ବର୍ଷା ସମ୍ଭାବନା ଅଛି । ସମ୍ଭବତଃ ତାହା ମୌସୁମୀ ବର୍ଷା । ୨୭ ତାରିଖବେଳକୁ କେରଳ ଛୁଇଁପାରେ ମୌସୁମୀ, ଯାହାକି ସ୍ୱାଭାବିକଠାରୁ ୪ ଦିନ ଆଗୁଆ । ଓଡ଼ିଶାରେ କେବେ ମୌସୁମୀ ଆସିବ, ତାହା ଜୁନ୍‌ ୧ ତାରିଖ ପରେ ଅଧିକ ସ୍ପଷ୍ଟ ହେବ ।

କେତେକ ମଡେଲ୍‌ର ଦୀର୍ଘ ଅବଧି ଆକଳନ ଅନୁଯାୟୀ ଓଡ଼ିଶାରେ ଜୁନ୍‌-ସେପ୍ଟେମ୍ବର ମଧ୍ୟରେ ସମୁଦାୟ ମୌସୁମୀ ବର୍ଷା ସ୍ୱାଭାବିକ ରହିଛି । ଜୁନ୍‌ ମାସରେ ଉପକୂଳର କିଛି ଅଞ୍ଚଳରେ ବର୍ଷା କମିପାରେ । ମାତ୍ର ଚାଷ କାମ ଆରମ୍ଭ ପାଇଁ ବର୍ଷା କମ୍‌ ହେବନି । ସେପ୍ଟେମ୍ବର ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଜୁଲାଇ ଓ ଅଗଷ୍ଟରେ ସ୍ୱାଭାବିକଠାରୁ ବର୍ଷା କମିବା ସମ୍ଭାବନା ନାହିଁ ।

ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ୧୭ ତାରିଖଠାରୁ ତାପମାତ୍ରା ବଢ଼ିବା ସହ କାଳବୈଶାଖୀ କମିବ । ୧୮ରୁ ୨୩ ତାରିଖ ମଧ୍ୟରେ ତାପମାତ୍ରା ୪ ଡିଗ୍ରୀ ବଢ଼ିପାରେ । ୧୭ ତାରିଖ ପରେ ରାଜ୍ୟକୁ ପୁଣି ତତଲା ପଶ୍ଚିମା ପବନ ଫେରିବ । ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୧୮ରୁ ୨୨ ତାରିଖ ଭିତରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି । ତେଣୁ ଉପକୂଳଠାରୁ ତାତି ପ୍ରକୋପ କମ୍‌ ରହିବ ।

ଏପଟେ ରାଜ୍ୟ ତମାମ ତାତି ବଢ଼ିଛି । କାଳବୈଶାଖୀ ବର୍ଷା ବି କମିଯାଇଛି । ଶନିବାର ମାଲକାନଗିରି ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବାବେଳେ ଫୁଲବାଣୀ, ଟିଟିଲାଗଡ଼ ୩୯ରେ ପହଞ୍ଚିଛି । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ପାରଦ ୩୭ ଡିଗ୍ରୀ ଟପିଛି ।

Show More

Related Articles

Back to top button