ଓଡ଼ିଶାପାଣିପାଗ

ବାତ୍ୟା ପରେ ବଦଳୁଛି ପାଗ, ପୁଣି ଫେରିବ ଶୀତ

ବାତ୍ୟା ପରେ ରାଜ୍ୟରେ ବଦଳୁଛି ପାଗ, ଏଥର ଫେରିବ ଶୀତ । ଆଜି ଉପକୂଳ ତଥା ତତ୍‌-ସଂଲଗ୍ନ ଜିଲ୍ଲା ଗୁଡିକରେ ପାଗ ମେଘୁଆ ରହିଛି । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ତେବେ ରାଜ୍ୟରୁ ବାତ୍ୟା ଜନିତ ସମସ୍ତ ସତର୍କ ସୂଚନା ହଟାଇ ଦିଆଯାଇଛି । ଏହାସହ ଆସନ୍ତାକାଲିଠାରୁ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବ । ଆସନ୍ତା ୨ ଦିନ ମଧ୍ୟରେ ଉପାନ୍ତ ଏବଂ ପାହାଡ଼ିଆ ଅଞ୍ଚଳରେ ଶୀତ ଅନୁଭୂତ ହେବ ।

ଅଧା ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଆଜି ସକାଳ ୫ଟା ୩୦ ସମୟରେ ଜୱାଦ ଦୁର୍ବଳ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ବାଂଲାଦେଶ ଉପକୂଳରେ ଏହା କେନ୍ଦ୍ରୀଭୂତ ଥିବାବେଳେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ସଂପୂର୍ଣ୍ଣ ଭାବରେ ଦୁର୍ବଳ ହେବ । ଗତ ୨୪ ଘଣ୍ଟା ରେ ଜଗତସିଂହପୁର ଜିଲ୍ଲା ଏରସମାରେ ସର୍ବାଧିକ ୨୩୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ପାରାଦୀପରେ ୨୦୦.୫ ମିଲିମିଟର, ଜଗତସିଂହପୁରର ବାଲିକୁଦାରେ ୧୫୪, କୁଜଙ୍ଗରେ ୧୪୦, ନାଉଗାଁରେ ୧୩୧, କେନ୍ଦ୍ରାପଡ଼ା ମାର୍ଶାଘାଇରେ ୧୨୮, ପୁରୀ କାକଟପୁରରେ ୧୧୭.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କୌଣସି ସତର୍କତା ଜାରି କରାଯାଇ ନଥିଲେ ମଧ୍ୟ କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

Show More

Related Articles

Back to top button