ଓଡ଼ିଆ ଗଳ୍ପଓଡ଼ିଶା

ସମ୍ପର୍କ କେବଳ ରକ୍ତରେ ନଥାଏ !

ଚାରୋଟି କାନ୍ଧ ଭିତରୁ ଗୋଟିଏ କାନ୍ଧଥିଲା ଚନ୍ଦୁର । ଛାତିରେ ଛାତିଏ କୋହ….ଆଖିର ଲୁହ ବୋଲ ମାନୁନି…! ଦୁନିଆର ସବୁଠୁ ଆପଣାର ମଣିଷକୁ ହରେଇ ଅନାଥ ହେଇଯିବାର ଦୁଃଖ ଆଉ ଅନେକ ଋଣର ବୋଝରେ କଅଁଳ କାନ୍ଧ ତା’ର ଖୁବ୍ ଭାରି ହେଇ ଯାଉଥିଲା ଯେମିତି !

ମାମ୍ ନାହଁନ୍ତି ଆଉ ,ଏ ଦୁଃଖଟାକୁ ସେ ଗିଳି ପକେଇଲା ସିନା, କିନ୍ତୁ ହଜମ କରି ପାରୁନଥିଲା । ପାଞ୍ଚବର୍ଷ ତଳେ ଯେବେ ମାତ୍ର ଏଗାରବର୍ଷ ବୟସ, ସେତେବେଳେ ସେ ଏ ସହରକୁ ଆସିଲା କିଛି ରୋଜଗାର ଆଶାରେ,ବାପା ଚାଲିଗଲା ପରେ । ପୁଞ୍ଜିବୋଲି କିଛିନଥିଲା ପାଖରେ କେବଳ ମାଆର ଆଶୀର୍ବାଦ ଟିକକ ଛଡ଼ା ।

ଗାଁର ଦିନାଭାଇ,ଯାହାର ଏକନମ୍ବର ହାଟରେ ପରିବା ଦୋକାନଟିଏ ଅଛି,ତାଙ୍କଘରେ ରହିବାର କିଛିଦିନ ପରେ ଦେଖିଲା କିଛି ପରିବା ନଷ୍ଟ ହେଇଯାଉଛି ବିକ୍ରି ହେଇନପାରି । ଭାବିଲା,ଦିନାଭାଇଠୁ ଅଳ୍ପକିଛି ପରିବାନେଇ ରାସ୍ତାକଡ଼ରେ ବିକି ଦୁଇ ପଇସା ରୋଜଗାର କରିହେବ । ଦିନାଭାଇ ମନକୁବି କଥାଟା ଖୁବ୍ ପାଇଲା ।

ସବୁଦିନ ସମାନ ବିକ୍ରିହୁଏନି ଚନ୍ଦୁର । ମାମ୍ ଥିଲେ ତା’ର ନିତିଦିନିଆ ଗ୍ରାହକ । କେବେକେବେ ଡେରିରେ ଆସନ୍ତି । ଯୋଉଦିନ ପରିବା ରହି ଯାଇଥାଏ ମାମ୍ ସେଦିନ ସବୁତକ ନେଇଯାଆନ୍ତି । ହିସାବ କି ଓଜନ କରନ୍ତିନାହିଁ,ପଇସା ଧରେଇ ଦିଅନ୍ତି ସିଧା । ଚନ୍ଦୁ ହିସାବ କରେ,ଅଧିକ ସିନା ଥାଏ,କମ୍ କେବେ ହେଇନି ।

ଅନେକଥର ଏକଥା ସେ ତାଙ୍କୁ କୁହେ,ପ୍ରତିଥର କୁହନ୍ତି,
“ଖୁଚୁରା ନାହିଁପରା,ରଖିଥା ପରିବା ଦେଇଦବୁନି କେତେବେଳେ !”

କିନ୍ତୁ ସେମିତି କେବେହୁଏନି,ଚନ୍ଦୁ ଋଣୀ ହେଇହେଇ ଯାଉଥିଲା ଦିନକୁଦିନ । ଭଲମନ୍ଦ ଦିନରେ ପିଠାପଣା କଲେ ଜରି ପୁଡ଼ିଆଟେ ଧରେଇଦିଅନ୍ତି ମାମ୍ । ସେ ପୁଡ଼ିଆ ଖୋଲିଲେ ତାକୁ ତା’ ମାଆର ମୁହଁ ଦିଶେ,ସେ ପିଠାରୁ ମାଆ ହାତର ବାସ୍ନା ଆସେ । କିଛି ସମୟ ଚାହିଁରହେ ସେ ପୁଡ଼ିଆକୁ,ପିଠା ଯେବେ ଓଦାରେ ବତୁରି ଯାଏ,ଚନ୍ଦୁ ଗାଉଁ ଗାଉଁ କରି ଖାଇପକାଏ,ସତେ ଯେମିତି ଅନେକ ଦିନରୁ ଭୋକିଲା….!

ସବୁବେଳେ ଘାରି ହେଉଥାଏ,କ’ଣ ଦେଇ ଏ ଋଣ ଶୁଝିବ ମାମ୍ ଙ୍କର !
ଯେବେ କହେ,
“ମାମ ଖୁବ୍ ଋଣୀ ହେଇ ଗଲିଣି ।”

ମାମ୍ ହସିହସି ମୁଣ୍ଡରେ ହାତ ସାଉଁଳେଇ ଗୋଟିଏ କଥା କହନ୍ତି,
“ହଉ ଶୁଝିଦବୁ କେବେ ।”

ଦିନେଦିନେ ଭାବେ ଏତେ ପରିବା ନେଇ ମାମ୍ କ’ଣ କରୁଛନ୍ତି ? ଅନ୍ୟ ଦିନେତ ଏତେ ନିଅନ୍ତିନାହିଁ । ଯେଉଁଦିନ ବଳି ପଡିଥାଏ ସେଇଦିନହିଁ ସବୁ ନେଇଯାଆନ୍ତି । ହଁ, ବଡ଼ ପରିବାର ହୋଇଥିବ ନିଶ୍ଚୟ । ପଚାରିବାକୁ ଭାବେ,କିନ୍ତୁ ଗମ୍ଭୀର ମୁହଁକୁ ଦେଖି ସାହସ କରେନି । ପାଞ୍ଚବର୍ଷ ହେଇଗଲା,ଗୋଟିଏ ଧାରାରେ ଗଡ଼ିଚାଲିଛି ଜୀବନ ।ଏତେ ଗ୍ରାହକ ଭିତରେ ମାମ୍ ଜଣେ ନିଆରା ଗ୍ରାହକ । ମା’ ପରି,ଦୟାଳୁ,ସ୍ନେହୀ କିନ୍ତୁ ଖୁବ୍ ଚୁପଚାପ । ନୂଆ ନୂଆ ପରିଚୟ ବେଳେ ଯାହା ଘର,ପରିବାର କଥା ପଚାରିଥିଲେ ସେତିକି ! ବାସ୍,ଆଉ ଅଧିକ କେହି କାହାକୁ ଜାଣନ୍ତି ନାହିଁ ।

କି ଖରା, କି ବର୍ଷା,କି ଶୀତ, ମାମ୍ କିନ୍ତୁ ପ୍ରତିଦିନ ମାର୍କେଟ ଆସନ୍ତି । ପାଖ ମନ୍ଦିରକୁ ଆଳତୀ ପାଇଁ ଯାଆନ୍ତି ମୋ’ଠୁ କଦଳୀ ଦୁଇଟି ନେଇ, ହାତରେ ଥାଏ ଦୀପଟିଏ । ସେଠୁ ଫେରି ପରିବା ନେଇ ଘରକୁ ଫେରନ୍ତି । ବେଶଭୂଷାରୁ ଲାଗେ ବହୁତ ବଡ଼ଘର, ଲାଗେ ଯେମିତି ଦେବୀଟିଏ କୋଉ ମନ୍ଦିରର,କେଉଁଠୁ ଆସନ୍ତି କୁଆଡ଼େ ଯାଆନ୍ତି,କ’ଣ କରନ୍ତି କିଛି ଜାଣେନି ଚନ୍ଦୁ । ଦରକାର ମଧ୍ୟ ପଡ଼ିନି କେବେ ।

କ’ଣ ହେଇଛି ଜେଜାଣି,ଆଜିକି ତିନିଦିନ ହେଲା ମାମ୍ ଆସି ନାହଁନ୍ତି, ଖୁବ୍ ଛଟପଟ ହେଲା । ପାଞ୍ଚବର୍ଷ ଭିତରେ ଏମିତି ବ୍ୟତିକ୍ରମ କେବେ ହେଇନି । ମନକୁ ବୁଝେଇଲା ଚନ୍ଦୁ,ହେଇନି ବୋଲି କଣ ଆଉ କେବେ ହବନି ସେମିତି ? କ’ଣ ସୂର୍ଯ୍ୟ, ଚନ୍ଦ୍ର ହେଇଛନ୍ତି ଯେ,ଡେଲି ଆସିବେ ? ପୁଣି ତାକୁ ଲାଗିଲା,ମାମ୍ ତ ତା’ ଜୀବନରେ ସୂର୍ଯ୍ୟ ଚନ୍ଦ୍ରଠୁ କମ୍ ନୁହଁନ୍ତି ! ଅଜଣା ସହରର ଅନ୍ଧାରୀ ମୂଲକରେ ମାମ୍ ତା’ ପାଇଁ ଉଜ୍ଜ୍ୱଳ ଦୀପଶିଖା ଟିଏ ଯେମିତି । ଏତେଲୋକ ତ ଆସନ୍ତି,କେହିତ ମାମ୍ ଙ୍କ ପରି ନୁହଁନ୍ତି !

ସେ ଆକାଶକୁ ଚାହିଁଲା,ସୂର୍ଯ୍ୟ ଆସିଛନ୍ତି,ଚତୁର୍ଦିଗ ଆଲୋକିତ । ସଞ୍ଜ ନଇଁଲା,ଜହ୍ନ ହସିଲେ, ପାଖ ମନ୍ଦିରରେ ଘଣ୍ଟି ବାଜିଲା । ସବୁକିଛି ପୂର୍ବପରି ଚଳଚଞ୍ଚଳ,କିନ୍ତୁ ମାମ୍ କୋଉଠି ଅଟକି ଯାଇଛନ୍ତି….! ଚନ୍ଦୁ ଆଉ ଥୟ ଧରିପାରିଲାନି ।

ମୋବାଇଲକୁ ଚାହିଁଲା, ଯୋଉଟା ମାମ୍ ତା’କୁ ଦେଇଥିଲେ ।
“ରଖିଥା ଚନ୍ଦୁ,ତୋ’ ମା’ ସହିତ କଥା ହବୁ,ତୋ ସ୍ୱର ଶୁଣିଲେ ବହୁତ ଖୁସିହେବେ । ମନେରଖ,ମାକୁ କେବେ ଭୁଲି ଯିବୁନି ।”

ଭାବିଲା ଫୋନ କରିବ,ହେଲେ ନମ୍ବରତ ରଖିନି । ଏତିକି କ’ଣ କରିପାରି ନଥାନ୍ତା ! ଲିଷ୍ଟ ସବୁ ଘାଣ୍ଟି ପକେଇଲା, କାଳେ ମାମ୍ ନିଜେ ସେଭ କରି ଦେଇଥିବେ (?) ନା,ସେତକବି ନାହିଁ । ଆଜି ଚତୁର୍ଥ ଦିନ । ବେଳକୁ ବେଳ ସେ ଖୁବ୍ ଉଦ୍ବିଗ୍ନ ହେବାକୁ ଲାଗିଲା । ବେପାର ବନ୍ଦକରି ପରିବା ସବୁକୁ ଅଖାରେ ପୁରେଇ ପାଖ ଦୋକାନରେ ରଖି ବାହାରିଲା ମାମ୍ ଙ୍କ ଘରକୁ । ହେଲେ ଠିକଣା ?

ହଁ, ପୂଜା ଦୋକାନ ! ମାମ୍ ପ୍ରତିଦିନ ସେଠୁ ଦୀପ ଆଣନ୍ତି,ସେଇଠି ମିଳିଯାଇ ପାରେ । ଦୋକାନୀ ଭାଇ ଯାହା କହିଲେ, ମୁହଁ ଶୁଖିଗଲା ଶୁଣି ।
ହଠାତ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ମାମ୍ ।

ଚନ୍ଦୁ ମନେମନେ ସ୍ଥିରକଲା ଆଜି ରାତିହେଲାଣି,ସକାଳୁ ଡାକ୍ତରଖାନା ଯିବ । ବଡ଼ି ଭୋରରୁ ପହଁଚିଗଲା ପୂଜା ଦୋକାନ ପାଖରେ ହସ୍ପିଟାଲର ଠିକଣା ମାଗିବାକୁ ।
ଦୋକାନୀ ଭାଇ ଦୋକାନରେ ତାଲାଦେଇ ଚନ୍ଦୁକୁ ତାଙ୍କ ସହିତ ଯିବାପାଇଁ କହିଲେ ।
କିଛି ପ୍ରଶ୍ନ ନକରି ତାଙ୍କ ସହିତ ଗଲା,ଯେଉଁଠି ପହଁଚିଲା ସେଇଟା ଥିଲା ତା’ ପ୍ରିୟ ମାମ୍ ଙ୍କ ଘର । ହେଲେ ଏତେ ଲୋକ କାହିଁକି ?

ମାମ୍ ଆଉ ନାହଁନ୍ତି….ଚାଲିଗଲେଣି,ଗତ ରାତିରୁ…। ଶବ ଆଣିବାକୁ ଦାବିଦାର କେହି ନାହାଁନ୍ତି । ପୁଅବୋହୂ ବାହାରେ,କିନ୍ତୁ କଲୋନୀ ଲୋକ କେବେ ଦେଖି ନାହାଁନ୍ତି ସେମାନେ ଆସିବାର । ପଚାରିଲେ କୁହନ୍ତି, ଏତେ ବାଟ,ଛୁଟିବି ମିଳେନି ସେମାନଙ୍କୁ । ତାପରେ ନାତି ନାତୁଣୀଙ୍କ ପାଠପଢ଼ା । ଯେହେତୁ ସେଠିକା ଜଳବାୟୁରେ ସେମାନେ ଜନ୍ମ ହେଇଛନ୍ତି ଏଠି ଚଳିବାବି କଷ୍ଟ । ଏଇ ଥଣ୍ଡା ଦିନରେ ଆସିବେ ଇତ୍ୟାଦି ଇତ୍ୟାଦି କହି କଥା ଟାଳି ଦିଅନ୍ତି । ଏମିତି ଏମିତି କେତେ ଖରା ବର୍ଷା ଯାଇ କେତେ ଥଣ୍ଡା ଗଲାଣି, କିନ୍ତୁ ଥରଟେ ଆସିବାକୁ ଋତୁଟେ ହେଇନି ସେମାନଙ୍କୁ ।

ପଡ଼ୋଶୀ ମାନଙ୍କ ଭିତରେ ବିଚାର ବିମର୍ଷ ଚାଲିଛି,ମଡ଼ା ବାସି ହେଇଗଲାଣି,କ’ଣ କେମିତି ହେବ ? ଆମେସିନା ଶବ ସଂସ୍କାର କରିଦେବା, ବାକି କ୍ରିୟାକର୍ମ କିଏ କରିବ ?? କେମିତି କ’ଣ ହେବ ? ପୁଅତ ନାହିଁ ମୁଖାଗ୍ନି କିଏ ଦବ ?

ସବୁ ଶୁଣୁଥିଲା ଚନ୍ଦୁ,
“କିଏ କହିଲା ତାଙ୍କର କେହି ନାହିଁ ? ମୁଁ ଛୋଟପିଲା, ନୀତି ନିୟମ କିଛି ଜାଣିନି । କୁହ କ’ଣ କେମିତି କରିବାକୁ ହେବ,ସବୁ ମୁଁ କରିବି । ମୁଁ ତାଙ୍କ ପୁଅ । ସବୁ ପଇସା ମୁଁ ଖର୍ଚ୍ଚ କରିବି ।”

ହଠାତ କିଛିଲୋକ ଆସି ତା’ପାଖରେ ଠିଆ ହୋଇଗଲେ,ଭିନ୍ନ ଭିନ୍ନ ବୟସର, କେଇଜଣ ଭିନ୍ନକ୍ଷମ ମଣିଷ । ସମସ୍ତଙ୍କ ଶରୀର ରେ ଗରିବୀର ଛାପ,ମୁହଁ ଓ ଆଖିରେ ଦୈନ୍ୟତାର ଚିହ୍ନ । ସହଯୋଗ ଓ ମଣିଷ ପଣିଆର ହାତସବୁ ଲମ୍ବି ଆସୁଥିଲା,ଯେଉଁ ହାତର ରେଖାରେ ଭାଗ୍ୟ ବୋଲି ଚିଜଟିଏ ନଥିଲା ।

ଏମାନେ ଥିଲେ ମାମ୍ ଙ୍କର ସବୁଠୁ ପ୍ରିୟ । ଆଉ ମାମ୍ ଥିଲେ ଏମାନଙ୍କ ପାଇଁ ଦେବୀ ସ୍ୱରୂପା । ଚନ୍ଦୁ ପାଖରୁ ବୋହି ଆଣୁଥିବା ଆବଶ୍ୟକତାରୁ ଅଧିକ ପରିବା,ଫଳମୂଳ ଏଇ ହତଭାଗ୍ୟ ମାନଙ୍କ ଭାଗରେ ପଡୁଥିଲା । ଏସବୁ ଜାଣି କିଛି ସମୟ ସ୍ତବ୍ଧ ହୋଇଗଲା ସେ । ତାକୁ ବୋଧ ହେଉଥିଲା,କେହି କେହି ଈଶ୍ୱର ଈଶ୍ୱରୀ ମଣିଷମାନଙ୍କ ଭିତରେ ଅଛନ୍ତି ଲୁଚିଛପି,ଚନ୍ଦୁ ମାନଙ୍କପରି ହତଭାଗା ମଣିଷର ଦୁଃଖ ସୁଖରେ ଭାଗି ହେବାପାଇଁ ।

ମଶାଣୀରୁ ଅସ୍ଥି ସଂଗ୍ରହ କଲା ଚନ୍ଦୁ, ପୁରୀରେ ଯାଇ କ୍ରିୟାକର୍ମ କଲା ।
ମନ୍ଦିରରେ ପାଖ ପଡ଼ୋଶୀଙ୍କୁ ଏଗାରଦିନ ଭୋଜିଦେଲା ।

ସମସ୍ତେ ଚାଲିଗଲେ,ମନ୍ଦିର ବେଢ଼ାରେ ଏକୁଟିଆ ବସିରହିଲା ଚନ୍ଦୁ । ଦେବୀଙ୍କ ମୁହଁକୁ ଚାହିଁଲା,ଆଖିଲୁହରେ ଝାପ୍ସା ଦିଶୁଥିବା ମୂର୍ତ୍ତି ଧୀରେ ଧୀରେ ସ୍ପଷ୍ଟ ଦିଶିଲେ । ଚମକି ପଡ଼ିଲା ଦେବୀ ନୁହଁନ୍ତି, ମାମ୍…..ମାମ୍ ଙ୍କ ଆଖିରେ ଲୁହ…..

“ଚନ୍ଦୁରେ,ତତେ ଲାଗିବ ଋଣ ଶୁଝିଦେଲୁ,ମୁଁ କିନ୍ତୁ ଏଜନ୍ମର ଋଣ ଭାରନେଇ ଯାଉଛି….! ଯଦି ପରଜନ୍ମ ଥାଏ,ମୋ’ କୋଳରେ ଜନ୍ମନେବୁ ବୋଲି ଈଶ୍ୱରଙ୍କୁ ଉପରେ ଗୁହାରି କରିବି । ହୁଏତ କିଛି ଋଣ ଶୁଝି ପାରିବି…..!
– – – – – –
ତା’ ପରଠୁ ଚନ୍ଦୁକୁ ଆଉ ସେ ସହରରେ କେହି ଦେଖିନାହିଁ…. !

 

Show More

Related Articles

Back to top button