ବାଣିଜ୍ୟ

ମଧ୍ୟବିତ୍ତଙ୍କ ଉପରେ ପଡ଼ୁଛି ପେଟ୍ରୋଲ୍‌ ଚଡ଼କ

ଗତବର୍ଷ ଏପ୍ରିଲ୍‌ରୁ ବଢ଼ିଲାଣି ୪୦ ପ୍ରତିଶତରୁ ଅଧିକ

ଦେଶରେ ତୈଳ ଦରରେ ଅହେତୁକ ବୃଦ୍ଧି ସାଧାରଣ ମନୁଷ୍ୟକୁ ବ୍ୟତିବ୍ୟସ୍ତ କରିସାରିଲାଣି । ପେଟ୍ରୋଲ୍ କେବେଠାରୁ ସେନ୍‌ଚୁରୀ ମାରିସାରିଲାଣି ଅର୍ଥାତ ୧୦୦ଟଙ୍କା ଅତିକ୍ରମ କରିସାରିଲାଣି । କରୋନା କାଳରେ ରୋଜଗାର ଏକ ପ୍ରକାରର ଠପ୍‌ ହୋଇଯାଇଥିବା ବେଳେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦରରେ ବୃଦ୍ଧି ଜଣେ ମଧ୍ୟବିତ୍ତ ଉପରେ ଚଡ଼କ ସଦୃଶ ହୋଇଛି ।ତୈଳ କମ୍ପାନୀଗୁଡ଼ିକ ୨୨ ଦିନ ଧରି ପେଟ୍ରୋଲ୍‌ ଏବଂ ଡିଜେଲ୍‌ରେ କୌଣସ ପରିବର୍ତ୍ତନ କରିନାହାନ୍ତି । ତଥ୍ୟରୁ ଯାହା ଜଣାପଡ଼ିଛି ଅନ୍ତରାଷ୍ଟ୍ରିୟ ସ୍ତରରେ ଅଶୋଧିତ ତୈଳର ଦାମ୍‌ରେ ହ୍ରାସ ହେଉଛି । ଯେଉଁ କାରଣରୁ କିଛିଦିନ ଧରି ତେଲର ଦାମ୍‌ ବୃଦ୍ଧି ହୋଇନାହିଁ । କିନ୍ତୁ ଗତ ବର୍ଷ ଏପ୍ରିଲ୍‌ରୁ ଏ ପର୍ଯ୍ୟନ୍ତ ପେଟ୍ରୋଲ୍‌-ଡିଜେଲ୍‌ର ଦାମ୍‌ରେ ୪୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଥିବା ଜଣାପଡ଼ିଛି ।

ଏପ୍ରିଲ୍‌ ୨୦୨୦ରୁ ଆଜି ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍‌ର ଦାମ୍‌ରେ ୩୨.୨୫ ଟଙ୍କା ବୃଦ୍ଧି ହୋଇ ୬୯.୫୯ ଟଙ୍କାରୁ ୧୦୧.୮୪ ଟଙ୍କାରେ ପହଞ୍ଚିଛି । ଅର୍ଥାତ ଏକ ବର୍ଷରୁ ଅଧିକ ସମୟ ମଧ୍ୟରେ ୪୬.୩୪ ପ୍ରତିଶତ ଦାମ୍‌ ବଢ଼ିଛି । ସେହିପରି ରାଜଧାନୀରେ ଡିଜେଲ୍‌ ଲିଟର ପ୍ରତି ୨୭.୫୮ ଟଙ୍କା ବଢ଼ି ୬୨.୨୯ ଟଙ୍କାରୁ ୮୯.୮୭ଟଙ୍କା ରେ ପହଞ୍ଚିଛି । ଅର୍ଥାତ ଡିଜେଲ୍‌ ଦାମ୍‌ରେ ୪୪.୨୭ ପ୍ରତିଶତ ବଢ଼ିଛି ।ପେଟ୍ରୋଲ୍‌ ଦାମ୍‌ ଜୁଲାଇ ୧୮ ତାରିଖରୁ ସ୍ଥିର ରହିଛି । ମୁମ୍ୱାଇ ସହରରେ ପ୍ରଥମେ ମେ ୨୯ରେ ଦାମ୍‌ ୧୦୦ ପାର୍‌ କରିଥିବା ବେଳେ ବର୍ତ୍ତମାନ ଦାମ୍‌ ୧୦୭.୮୩ଟଙ୍କା ପ୍ରତିଲିଟର ରହିଛି । ଏଥି ସହିତ ଡିଜେଲ୍‌ ମଧ୍ୟ ୯୭.୪୫ ଟଙ୍କା ରହିଛି । ଦେଶର ପ୍ରାୟ ମହାନଗର ନିଗମ ଗୁଡ଼ିକରେ ଦାମ୍‌ ୧୦୦ ପରେ ରହିଛି । ଚେନ୍ନାଇରେ ପେଟ୍ରୋଲ୍‌ ୧୦୨.୪୯ ଟଙ୍କା ଥିବା ବେଳେ କୋଲକାତାରେ ୧୦୧.୦୮ ପ୍ରତି ଲିଚର ରହିଛି । ଦୁଇ ସହରରେ ଡିଜେଲ୍‌ ମଧ୍ୟ ଯଥାକ୍ରମେ ୯୪.୩୯ଟଙ୍କା ଏବଂ ୯୩.୦୨ଟଙ୍କା ରହିଛି ।

Show More

Related Articles

Back to top button