
ନୂଆଦିଲ୍ଲୀ, ୨୬/୧୨ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନରେ ତାଙ୍କ ବାୟୋପିକ୍ ‘ମେଁ ଅଟଳ ହୁଁ’ର ମୋଶନ ପିକ୍ଚର ଜାରି ହୋଇଛି । ଏଥିରେ ବାଜପେୟୀଙ୍କ ଚରିତ୍ରରେ ପଙ୍କଜ ତ୍ରିପାଠୀ ରହିଛନ୍ତି । ବାଜପେୟୀଙ୍କ ଲୁକ୍ରେ ପଙ୍କଜ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହି ଲୁକ୍ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି। ଏଥିରେ ପଙ୍କଜ ଅବିକଳ ବାଜପେୟୀଙ୍କ ପରି ଦେଖାଯାଉଛନ୍ତି ।
ଜଣେ ସଫଳ ରାଜନେତା ହେବା ସହ ବାଜପେୟୀଙ୍କ ବ୍ୟକ୍ତିତ୍ୱ ମଧ୍ୟ ବେଶ୍ ଆକର୍ଷଣୀୟ ଥିଲା । ସେ ଜଣେ କବି ଭାବେ ମଧ୍ୟ ପରିଚିତ । ପଙ୍କଜ ଶେୟାର କରିଥିବା ପୋଷ୍ଟରରେ ୪ଟି ଭିନ୍ନ ଲୁକ୍ରେ ନଜର ଆସିଛନ୍ତି । କବି, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରନେତା ଏବଂ ଜେଣ୍ଟଲମ୍ୟାନ୍ ଅଟଳ ବିହାରୀ ବାଜପେୟୀ ଅଭିନେତା ପଙ୍କଜଙ୍କ ଚେହେରାରେ ନଜର ଆସିଛନ୍ତି । ଟୁଇଟରରେ ପଙ୍କଜ ଲେଖିଛନ୍ତି, ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିତ୍ୱକୁ ପରଦାରେ ସଫଳ କରିବା ପାଇଁ ମୋତେ ସଂଯମତାର ସହ କାର୍ଯ୍ୟ କରିବା ଆବଶ୍ୟକ । ଉତ୍ସାହ ଏବଂ ମନୋବଳ ଆଧାରରେ ନୂଆ ଚରିତ୍ରରେ ଅଭିନୟକୁ ସଫଳ କରିବି ବୋଲି ଅଟଳ ବିଶ୍ୱାସ ରହିଛି । ମୋଶନ ପିକ୍ଚରରେ ସୋନୁ ନିଗମଙ୍କ ସ୍ୱର ମଧ୍ୟ ଦମ୍ଦାର ଲାଗୁଛି । ୨୦୨୩ ଡିସେମ୍ବରରେ ଏହି ଫିଲ୍ମ ମୁକ୍ତିଲାଭ କରିବ ।