ଶକ୍ତି ପୀଠରେ ଆଜି ମହା ସପ୍ତମୀ, ମଣ୍ଡପରେ ଷଷ୍ଠୀ
ମାଆଙ୍କ ଆଗମନ ପାଇଁ ଚଳଚଞ୍ଚଳ ଧରାପୃଷ୍ଠ

ଆଜିଠୁ ପୂଜା ମଣ୍ଡପରେ ଅନୁଷ୍ଠିତ ହେବ ମା’ ଦୁର୍ଗାଙ୍କ ଷଷ୍ଠୀ ପୂଜା । ସଂଧ୍ୟାରେ ବିଲ୍ବ ବରଣ କରାଯାଇ ମା’ଙ୍କ ଆବାହନ କରାଯିବ । ମା’ଙ୍କ ପୂଜାକୁ ଦୃଷ୍ଟିରେ ରଖି ପୂଜା ମଣ୍ଡପ ଗୁଡିକରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ମୂର୍ତ୍ତିର ରଙ୍ଗ କାମ ସିରିଥିବା ବେଳେ, ମା’ଙ୍କୁ ବସ୍ତ୍ର ଓ ଆଭୂଷଣରେ ଭୂଷିତ କରାଯାଉଛି । ତେବେ ଚଳିତ ବର୍ଷ କରୋନା କଟକଣା ଅନୁଯାୟୀ ପୂଜା ପାଇବେ ମା’ । ମଣ୍ଡପରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି।
ରାଜ୍ୟ ସରକାରଙ୍କ କଟକଣା ଅନୁଯାୟୀ, ମଣ୍ଡପରେ ୭ ଜଣରୁ ଅଧିକ ଲୋକ ରହିବେ ନାହିଁ। ଚାରିପଟେ ସ୍କ୍ରିନ୍ ରହିବ। ପୂଜା ମଣ୍ଡପରେ ଡାକବାଜି ଯନ୍ତ୍ର ବାଜିବ ନାହିଁ। ପୂଜା ମଣ୍ଡପରେ ଲାଇଟ୍ ଲଗାଇବାରେ କଟକଣା ନାହିଁ, କିନ୍ତୁ ପୂଜା ମଣ୍ଡପ ବାହାରେ ଲଗାଇବାରେ କଟକଣା ରହିଛି। ଏହାସହ ମଣ୍ଡପରେ ଭୋଜିଭାତ ଉପରେ ମଧ୍ୟ କଟକଣା ରହିଛି। ଭସାଣି ଶୋଭାଯାତ୍ରା ହେବ ନାହିଁ। ସାମାଜିକ ଦୂରତ୍ୱ ଏବଂ ମାସ୍କ ପିନ୍ଧିବାର ନିୟମ କଡ଼ାକଡ଼ି କରାଯିବ। ମୂର୍ତ୍ତି ବିସର୍ଜନ କିଭଳି ହେବ ତାହାକୁ ସ୍ଥାନୀୟ ପ୍ରଶାସନ ସ୍ଥିର କରିବେ। ଶ୍ରଦ୍ଧାଳୁଙ୍କୁ ମଣ୍ଡପ ମନା । ଏଥିପାଇଁ ମଣ୍ଡପ ଚାରିପାଖ ଆବଦ୍ଧ ରହିବ । ତେବେ ସୋସିଆଲ ମିଡିଆରେ ଲାଇଭ ବ୍ୟବସ୍ଥା କରାଯାଉଛି । ପୀଠରେ ଆଜି ମା ଙ୍କ ସପ୍ତମୀ ପୂଜା । ଶକ୍ତି ପୀଠ ମା କଟକ ଚଣ୍ଡୀ, ଗଡଚଣ୍ଡୀ, ଚାଉଳିଆଗଂଜ ସ୍ଥିତ ଅନ୍ନପୂର୍ଣ୍ଣା, ଏସମସ୍ତ ପୀଠରେ ଆଜି ଦେବୀଙ୍କର ସପ୍ତମୀ ପୁଜା ଚାଲିଛି ।