ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଏହା ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ । ଓଡ଼ିଶାର ଆଚାର ବିଚାର, ପ୍ରଥା ପରମ୍ପରା ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଜଡ଼ିତ । ଉତ୍କଳର ପ୍ରାଚୀନ ଇତିହାସ ଓ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ଦୃଷ୍ଟିକୋଣରୁ ଏହି ପର୍ବର ବୈଶିଷ୍ଟ୍ୟ ରହିଛି ।

ଏହି ପର୍ବରେ ଦୁର୍ଗାଙ୍କ ଶାରଦୀୟ ବନ୍ଦନା ପରେ ପରେ ଚନ୍ଦ୍ର ଏବଂ କାଳୀଙ୍କ ଆରାଧନା କରାଯାଏ । ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ଆରାଧନା ଓଡ଼ିଶାର ପୁରପଲ୍ଲୀରେ ଏହି ମାସରେ ସମ୍ପାଦିତ ହୁଏ ।

କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ମଧ୍ୟ ପାଳନ ହୋଇଥାଏ ଡଙ୍ଗାଭସା ଉତ୍ସବ । ଏହି ଦିନଟିକୁ ପଞ୍ଚକର ଶେଷ ଦିନ ଭାବେ ପାଳନ କରାଯାଇଥାଏ । ବିଭିନ୍ନ ଜଳାଶ୍ରୟରେ ଏହି ଦିନ ଭାସୁଥାଏ କଦଳୀ ପାଟୁକାରେ ତିଆରି ଡଙ୍ଗା, ଶୋଲରେ ତିଆରି ଡଙ୍ଗା ବା କାଗଜ ଡଙ୍ଗା । ଆଜିକାଲି ବଜାରରେ ବିଭିନ୍ନ ରକମର ଡଙ୍ଗା ମିଳୁଛି ।

ପୌରାଣିକ, ଧାର୍ମିକ ଦୃଷ୍ଟିକୋଣରୁ କାର୍ତ୍ତିକ ମାସର ବେଶ୍‌ ଗୁରୁତ୍ୱ ରହିଛି । କଥାରେ ରହିଛି କାର୍ତ୍ତିକ ମାସ ଶେଷ ପାଞ୍ଚଦିନ ପଞ୍ଚକ ସମୟରେ ବଗ ବି କାଳେ ମାଛ ଛୁଏଁନି । ଏହି ପଞ୍ଚକର ଶେଷ ଦିନ ପଡିଥାଏ କାର୍ତ୍ତିକ ପୂର୍ଣ୍ଣିମା । ଅତୀତରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରତୁ୍ୟଷରୁ ଉତ୍କଳର ସାଧବ ପୁଅମାନେ ସେମାନଙ୍କର ବିଭିନ୍ନ କାରିଗରୀ, ଶିଳ୍ପ, ବସ୍ତ୍ର, ସୁଗନ୍ଧ ଦ୍ରବ୍ୟ, ଅଳଙ୍କାର ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ବେପାର ପାଇଁ ବୋଇତରେ ବାହାରି ଯାଆନ୍ତି । ଯାହାର ପ୍ରତୀକ ସ୍ୱରୁପ ଏହି ଦିନ ଆଜି ବି ସକାଳୁ କଦଳୀ ପାଟୁକାରେ ପ୍ରସ୍ତୁତ ଡଙ୍ଗାରେ ପାନଗୁଆ ସଜାଇ ସଳିତା ସଜାଡ଼ି ତାହାକୁ ନଦୀ, ସମୁଦ୍ର ଓ ପୁଷ୍କରିଣୀରେ ଭସାନ୍ତି । ଏହି ଦିନ ଓଡିଶାରେ କିଛି ସ୍ଥାନରେ ବୋଇତ ବନ୍ଧାଣ ଉତ୍ସବ ମଧ୍ୟ ପାଳିତ ହୋଇଥାଏ ।

Show More

Related Articles

Back to top button