ଓଡ଼ିଶା

କାଳବୈଶାଖୀର ତାଣ୍ଡବ

ଘନ ଘନ ବଜ୍ରପାତରେ ଜଳିଗଲା ଚାଳ ଛପର ଘର

ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଗତ ୩-୪ ଦିନ ହେଲା କ୍ରମାଗତ ଭାବେ କାଳବୈଶାଖୀର ତାଣ୍ଡବ ପରିଲକ୍ଷିତ ହୋଇଛି । ଅପରାହ୍ନ ସମୟ ଆସିଲେ ଆକାଶ ହଠାତ୍ ମେଘାଚ୍ଛନ୍ନ ହୋଇ ପ୍ରଚଣ୍ଡ ଘଡଘଡି ସହ ବର୍ଷା ହେଉଛି ।ମଧ୍ୟାହ୍ନରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସକୁ ଅତିକ୍ରାନ୍ତ କରିଥିଲା । ସକାଳୁ ସକାଳୁ ଗୁଳୁଗୁଳି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଅପରାହ୍ନରେ ତୁହାକୁ ତୁହା ଅଦିନିଆ ବର୍ଷା ସାଧାରଣରେ ଆଶ୍ୱସ୍ତି ଆଣିଥିଲା । କିନ୍ତୁ ଅପରାହ୍ନରେ ଅକସ୍ମାତ ପ୍ରବଳ ପବନ ସହିତ ଘନ ଘନ ବଜ୍ରପାତ ପରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡ଼ିଥିଲା ।ସାନଖେମୁଣ୍ଡି ବ୍ଲକ ଅଧିନ ପାଟପୁର, ଗଙ୍ଗାପୁର, ଜୀଉରା,ଏସ. ଗୋପାଳପୁର, ସାହାସପୁର, ଚୁଡଙ୍ଗପୁର, କଲରାପଦର, ଗୌତମୀ ଆଦି ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଝଡବର୍ଷା ସହ ବଜ୍ରପାତ ହୋଇଥିଲା ।

ବର୍ଷା ପୂର୍ବରୁ ପ୍ରବଳ ବେଗରେ ପବନ କାରଣରୁ ଅନେକ ଗାଁର ଚାଳ ଛପର ବାସଗୃହ ଗୁଡ଼ିକ ଅନେକାଂଶରେ କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି ।ଗତକାଲି ଗୌତମୀ ଗ୍ରାମରେ ବିଚିତ୍ର ଦାସଙ୍କ ଚାଳ ଛପର ଝାଟି ମାଟିରେ ନିର୍ମିତ ବାସଗୃହ ଉପରେ ବଜ୍ରପାତ ହେବାରୁ ବାସଗୃହଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ନେଇ ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ସ୍ବାଇଁ କହିଛନ୍ତି । ବିଚିତ୍ର ଜଣେ ନିହାତି ଗରିବ ଅସହାୟ ବ୍ୟକ୍ତି ହୋଇଥିବାରୁ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇଦେବାକୁ ସେ ଦାବି କରିଛନ୍ତି । ବିପନ୍ନ ପରିବାରଙ୍କୁ ପଞ୍ଚାୟତ ପକ୍ଷରୁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ସେ ଜଣାଇଛନ୍ତି ।

Show More

Related Articles

Back to top button