
ଟୋକିଓ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସରେ ଭାରତ ଇତିହାସ ରଚିଛି । ଅନ୍ତିମ ଦିବସରେ ୨ଟି ପଦକ ସହ ଭାରତ ମୋଟ ୧୯ଟି ପଦକ ଜିତି ସ୍ମରଣୀୟ ଯାତ୍ରା ଶେଷ କରିଛି । ଯେଉଁଥିରେ ୫ ସ୍ୱର୍ଣ୍ଣ, ୮ ରୌପ୍ୟ ଏବଂ ୬ ବ୍ରୋଞ୍ଜ ପଦକ ସାମିଲ ଅଛି । ପଦକ ତାଲିକାରେ ଭାରତ ୨୪ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ପୂର୍ବରୁ ପାରାଲିମ୍ପିକ୍ରେ ଭାରତ ମାତ୍ର ୧୨ଟି ପଦକ ଜିତିବାର ରେକର୍ଡ ଥିଲା । ଟୋକିଓରେ ଦଳ ପ୍ରଥମଥର ପଦକରେ ଦୁଇଅଙ୍କ ଟପିବା ସହ ମୋଟ ପଦକ ରେକର୍ଡ଼କୁ ବି ଟପି ଯାଇଛି।
ଅନ୍ତିମ ଦିବସରେ ରବିବାର ଭାରତ ପାଖରେ ୫ଟି ପଦକ ସୁଯୋଗ ରହିଥିଲା । ବ୍ୟାଡ଼ମିଣ୍ଟନର ପୁରୁଷ ସିଙ୍ଗଲ୍ସ ଏସ୍ଏଚ୍-୬ କ୍ଲାସ ଇଭେଣ୍ଟରେ କ୍ରିଷ୍ଣା ନାଗର ଭାରତକୁ ପଞ୍ଚମ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିବାବେଳେ ସୁହାସ ୟଥିରାଜ ପୁରୁଷ ସିଙ୍ଗଲ୍ସ ଏସ୍ଏଲ୍-୪ କ୍ଲାସ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ । କ୍ରିଷ୍ଣା ଫାଇନାଲ୍ରେ ୨୧-୧୭, ୧୬-୨୧, ୨୧-୧୭ ଗେମ୍ରେ ହଂକଂର ଚୁ ମାନ୍ କାଇଙ୍କୁ ପରାଜିତ କରିଥିଲେ । ଏହି ବିଜୟ ସହ ସେ ଟୋକିଓରେ ଓଡ଼ିଶାର ପ୍ରମୋଦ ଭଗତଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ଅପରାଜେୟ ସାବ୍ୟସ୍ତ ହୋଇଥିଲେ । ଶନିବାର ପ୍ରମୋଦ ଏସ୍ଏଲ୍-୩ କ୍ଲାର୍ସ ଇଭେଣ୍ଟରେ ଭାରତକୁ ବ୍ୟାଡ଼ମିଣ୍ଟନ କ୍ରୀଡ଼ାରେ ଐତିହାସିକ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲେ । ଏସ୍ଏସ୍-୬ କ୍ଲାସ୍ ଇଭେଣ୍ଟର ତୃତୀୟ ସ୍ଥାନ ମ୍ୟାଚ୍ରେ ତରୁଣ ଇଣ୍ଡୋନେସିଆର ଫ୍ରୋଡ୍ ସେତିୱାନ୍ଙ୍କ ନିକଟରୁ ହାରି ବ୍ରୋଞ୍ଜ ପଦକ ହାତଛଡ଼ା କରିଥିଲେ ।
ଭାରତୀୟ କ୍ରୀଡ଼ା ଇତିହାସରେ ଟୋକିଓ ପାରାଲିମ୍ପିକ୍ସ ସବୁବେଳେ ସ୍ମରଣୀୟ ହୋଇ ରହିବ । ପ୍ରଥମ ପଦକ ଦିବସରୁ ଆରମ୍ଭ କରି ଅନ୍ତିମ ଦିବସ ପର୍ଯ୍ୟନ୍ତ ଭାରତୀୟ ପ୍ରତିଯୋଗୀ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ରେକର୍ଡ଼ ପଦକ ହାତେଇଥିଲେ । ଟୋକିଓରେ ଭାରତ ଅଭିଯାନ ରୌପ୍ୟରୁ ଆରମ୍ଭ ହୋଇ ରୌପ୍ୟରେ ଶେଷ ହୋଇଥିଲା । ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ୧୯ଜଣିଆ ଦଳ ରେକର୍ଡ଼ ୪ଟି ପଦକ ହାସଲ କରିଥିଲେ । କିନ୍ତୁ ଟୋକିଓରେ ଦଳର ପ୍ରଦର୍ଶନ ଅବିଶ୍ୱସନୀୟ ରହିଥିଲା ।