ଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ

ରାଜ୍ୟରେ ବର୍ଷା ଲାଗି ରହିବ । ଗୋଟିଏ ଲଘୁଚାପ ନ ଯାଉଣୁ ଆଉ ଗୋଟିଏ ଆସିପାରେ । ଏମିତି ଆକଳନ କରୁଛନ୍ତି ପାଣିପାଗ ବିଶେଷଜ୍ଞ ଓ ବିଭିନ୍ନ ମଡେଲ୍‌ ।କେତେକ ପାଣିପାଗ ମଡେଲର ପ୍ରାକ୍‌ ଆକଳନ ଅନୁଯାୟୀ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ଚୀନ ସାଗର ପଟୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଏକ ଲଘୁଚାପ ଆସିପାରେ । ଏହା ଅଧିକ ଘନୀଭୂତ ହେବ କି ନାହିଁ? କେଉଁ ଦିଗରେ ଗତି କରିବ?

ଓଡ଼ିଶାକୁ ମୁହାଁଇବ କି ନାହିଁ? ଏଭଳି ଅନେକ ପ୍ରଶ୍ନ ରହିଛି ସମ୍ଭାବ୍ୟ ପାଣିପାଗ ଚିତ୍ରକୁ ନେଇ । ମାତ୍ର ଏବେଠାରୁ ଆକଳନ କରିବା ସହଜ ନୁହେଁ । ହେଲେ ଏପରି ଆଶଙ୍କାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇନପାରେ । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଏକାଧିକ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ ପାଗ ଅନୁକୂଳ ଅଛି । ବର୍ତ୍ତମାନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ରହିଥିବା ଲଘୁଚାପ ବଳୟ ଆସନ୍ତା ୨୯ରେ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ରୂପ ନେଇପାରେ । ଏହା ଉତ୍ତର ଆଡ଼କୁ ଗତି କରିବ । ଉତ୍ତର ବିହାର ଓ ସଂଲଗ୍ନ ଉତ୍ତର ପଶ୍ଚିମବଙ୍ଗ ଉପରେ ଅକ୍ଟୋବର ୪ରେ ଏହା ଅବପାତରେ ପରିଣତ ହୋଇପାରେ । ଫଳରେ ଓଡ଼ିଶା ଉପକୂଳରେ ଅକ୍ଟୋବର ୩ ପର୍ଯ୍ୟନ୍ତ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅକ୍ଟୋବର ୧ରୁ ୫ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଉତ୍ତର ଉପକୂଳ ଓଡ଼ିଶାରେ ଅକ୍ଟୋବର ପହିଲାରୁ ୩ ତାରିଖ ଯାଏ ମଧ୍ୟମ ଧରଣର ବର୍ଷା ହେବ । ସ୍ଥାନେ ସ୍ଥାନେ ପ୍ରାୟତଃ ପ୍ରବଳ ବର୍ଷା ହୋଇପାରେ ।

ଅକ୍ଟୋବର ୩ରେ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଆସନ୍ତା ୫ ତାରିଖରେ ଏହା ଫିଲିପାଇନ୍ସ ଓ ୬ରେ ଦକ୍ଷିଣ ଚୀନ ସାଗର ଦେଇ ୭ରେ ମିଆଁମାର ଉପକୂଳରେ ପହଞ୍ଚିବ। ୮ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଆସିବ । ୯ରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ଅଛି। ପରବର୍ତ୍ତୀ ସମୟରେ ଏହା କି ରୂପ ନେବ, ଏବେଠାରୁ ସ୍ପଷ୍ଟ ଆକଳନ କରିହେବନି । ଆସନ୍ତା ୩ ତାରିଖ ପରେ ଚିତ୍ର ଅଧିକ ସ୍ପଷ୍ଟ ହୋଇପାରେ। ଡକ୍ଟର ପଶୁପାଳକ କହିଛନ୍ତି, ଆସନ୍ତା ୫ ଦିନ ପର୍ଯ୍ୟନ୍ତ କେନ୍ଦ୍ରୀୟ ଓ ଦକ୍ଷିଣ ଉପକୂଳ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । ଉତ୍ତର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ୨୯ରୁ ବର୍ଷା ବଢ଼ିବ । ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବା ସହ ୧ କିମ୍ବା ୨ ତାରିଖରୁ ବର୍ଷା ବଢ଼ିପାରେ । ପାଣିପାଗ ବିଭାଗ ଆକଳନ ଅନୁଯାୟୀ ବର୍ତ୍ତମାନ ପ୍ରତ୍ୟେକ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ଅଛି । ମଙ୍ଗଳବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଭଦ୍ରକରେ ପ୍ରବଳ ବର୍ଷା ସହ କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

Show More

Related Articles

Back to top button