ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୁରତୀ

ଦିନକ ପରେ ରଥାରୁଢ ହେବେ ଶ୍ରୀଜୀଉ

ଅଣସର ଗୁପ୍ତ ସେବା ପରେ ନବଯୌବନ ପାଇଛନ୍ତି ଶ୍ରୀବିଗ୍ରହ । ଶୁକ୍ରବାର ବିନା ଭକ୍ତରେ ବଡ଼ଦେଉଳରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ନୀତି ସମ୍ପନ୍ନ ହୋଇଛି । ୧୧ ତାରିଖରେ ରଥକୁ ଆଜ୍ଞାମାଳ ବିଜେ କରାଯିବ । ୧୨ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ଶ୍ରୀଜିଉ ।କୋଭିଡ୍‌ ସଂକ୍ରମଣ ଆଶଙ୍କାରେ ଶ୍ରୀମନ୍ଦିରରେ ଭକ୍ତ ପ୍ରବେଶ ଉପରେ ପ୍ରଶାସନ କଟକଣା ଜାରି କରିଛି । ଏହି କାରଣରୁ ପ୍ରଭୁଙ୍କ ନବଯୌବନ ଦର୍ଶନରୁ ଭକ୍ତମାନେ ଦୂରେଇ ରହିଛନ୍ତି । ଭକ୍ତ ନଥିବାରୁ ନବଯୌବନ ପ୍ରାପ୍ତି ପରେ ବି ମହାପ୍ରଭୁଙ୍କ ଶ୍ରୀମୁଖରେ ଉଲ୍ଲାସର ଚିହ୍ନ ଦେଖିବାକୁ ମିଳି ନଥିଲା । ଶୁକ୍ରବାର ଅଣସର ତାଟି ଫିଟିବା ପରେ ପ୍ରଭୁଙ୍କ ନବଯୌବନ ଦର୍ଶନ କରିଥିଲେ ସେବାୟତ ।ଭକ୍ତଙ୍କୁ ନ ଦେଖି ପ୍ରଭୁଙ୍କ ଶ୍ରୀମୁଖରୁ ଉଲ୍ଲାସର ଆଭା ଦେଖିବାକୁ ମିଳି ନ ଥିଲା । ପ୍ରଭୁଙ୍କ ଅଧରରେ ହସର ଲହରୀ ଖେଳୁ ନଥିଲା । ଭକ୍ତ ଆଉ ଭଗବାନଙ୍କ ମିଳନ ହୋଇପାରି ନଥିଲା । ଏହି କାରଣରୁ ସିଙ୍ଗାର ସତ୍ତ୍ୱେ ଶ୍ରୀମୁଖ ମଳିନ ଦେଖାଯାଉଥିଲା । ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବାୟତମାନେ କହିଥିଲେ କୋଭିଡ୍‌ ପୂର୍ବବର୍ଷ ମାନଙ୍କରେ ଶ୍ରୀମୁଖ ସିଙ୍ଗାର ପରେ ଶ୍ରୀବିଗ୍ରହଙ୍କ ଶୋଭା ଝଲସି ଉଠୁଥିଲା ।

ଭକ୍ତ ବିନୋଦିଆ ଜଗା ଚଳିତ ବର୍ଷ ବି ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ନବଯୌବନ ଦର୍ଶନ ପର୍ବରେ ବଡ଼ଦେଉଳରେ ସାହାଣ ମେଲା ଦର୍ଶନ ହେଉଥିଲା । ଚଳିତ ବର୍ଷ କଟକଣା ଯୋଗୁ ଭକ୍ତମାନେ ପ୍ରଭୁଙ୍କ ନବଯୌବନ କରି ପାରିନାହାନ୍ତି । ଶ୍ରୀମୁଖ ସିଙ୍ଗାର ପରେ ସୁଦର୍ଶନ ଦେବଙ୍କ ବୁଣାଟ, ଚକା ଅପସର, ମଙ୍ଗଳ ଆଳତି, ମଇଲମ, ଅବକାଶ ସରି ଅବତାର ଦିଅଁଙ୍କ ଆଳତି ସରି ଦକ୍ଷିଣି ଘରକୁ ବାହୁଡ଼ା ବିଜେ ହୋଇଥିଲେ ।ପଟିଦିଅଁଙ୍କ ବାହୁଡ଼ା ବିଜେ ପରେ ପାଣି ପଡ଼ି ଧୁଆଧୁଇ ଏବଂ ଚୂନ ପାଣି ପଡ଼ି ସେବାୟତମାନେ ପ୍ରଭୁଙ୍କ ଦର୍ଶନ କରିଥିଲେ । ଦର୍ଶନ ପରେ ଧୂଆଧୁଇ ହୋଇ ଚୂନ ପଡ଼ିବା ପରେ ଦଇତାପତି ସର୍ବାଙ୍ଗ, ବନ୍ଦାପନା ବଢ଼ାନୀତି ବଢ଼ାଇଥିଲେ । ପରେ ଶ୍ରୀବିଗ୍ରହଙ୍କ ନେତ୍ରୋତ୍ସବ ବନ୍ଦାପନା ନୀତି ହୋଇଥିଲା । ନେତ୍ରୋତ୍ସବ ବଢ଼ି ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ଘଣ୍ଟଛତା ସର୍ବାଙ୍ଗ ନୀତି ସମ୍ପନ୍ନ ହୋଇଥିଲା ।ବଡ଼ଦେଉଳରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ବଢ଼ିବା ବେଳକୁ ନୀତି ବିଳମ୍ବ ସୁଧୁରି ନଥିଲା । ଏହା ପରେ ବେଶ ଶେଷ, ଗୋପାଳ ବଲ୍ଲଭ, ଘଣ୍ଟଛତା ସକାଳ ଧୂପ, ଭୋଗ ମଣ୍ଡପ, ମଇଲମ, ମଧ୍ୟାହ୍ନ ଧୂପ, ଦକ୍ଷିଣି ଘର ଭୋଗ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ମଇଲମ, ଚନ୍ଦନ ଲାଗି, ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ ବଢ଼ି ପ୍ରଭୁଙ୍କ ପହୁଡ଼ ନୀତି ସମ୍ପନ୍ନ ହେବାବେଳକୁ ମଧ୍ୟରାତ୍ରି ଅତିକ୍ରମ କରିଥିଲା ।

Show More

Related Articles

Back to top button