ଦେଶ ବିଦେଶ

ଦେଶରେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

କହିଲେ ଅଧିକ ସଂକ୍ରମିତ ଅଞ୍ଚଳରେ କଟକଣା ବୃଦ୍ଧି କରାଯାଉ

ଦେଶର ଯେଉଁ ଜିଲ୍ଲାରେ ଅଧିକ କରୋନା ସଂକ୍ରମଣ ହେଉଥିବା ଜାଣାପଡ଼ୁଛି, ସେହି ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ଆବଶ୍ୟକ । ଏନେଇ ଶନିବାର ଦେଶରେ କରୋନା ମହାମରୀ ସ୍ଥିତି ଏବଂ ଟକାକରଣ ନେଇ ସମୀକ୍ଷା କରୁଥିବା ବେଳେ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ସେ ସିଧାସଳଖ କହିଛନ୍ତି ଯେ, ଯେଉଁ ଜିଲ୍ଲା ଗୁଡ଼ିକ ଅଧିକ ପ୍ରଭାବିତ ସେଠାରେ କଟକଣାକୁ ଆହୁରି କଡ଼ାକଡ଼ି କରାଯାଉ । ସେହିପରି ସେହି ଅଞ୍ଚଳ ଗୁନିକରେ ପରୀକ୍ଷଣକୁ ମଧ୍ୟ ଅଧିକ ଗୁରୁତ୍ୱ ଦେବା ସହ ଟେଷ୍ଟିଂ ସଂଖ୍ୟା ମଧ୍ୟ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଠାରେ ଉଭୟ ଆର୍ଟିପିସିଆର୍ ଏବଂ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଅଧିକ ମାତ୍ରାରେ କରାଯିବା ଦରକାର ।ସେହିପରି ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ତ୍ୱରାନ୍ୱିତ କରି ଡୋର୍ ଟୁ ଡୋର୍ ଟେଷ୍ଟିଂ ଓ ସର୍ଭିଲାନ୍ସ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ଗ୍ରାମୀଣ ଅଞ୍ଚଳରେ କୋଭିଡ ସହ ଲଢେଇ ପାଇଁ ଆଶା ଏବଂ ଅଙ୍ଗନବାଡି କର୍ମୀଙ୍କୁ ସମସ୍ତ ଆବଶ୍ୟକୀୟ ସରଞ୍ଜାମ ଯୋଗାଇବା ସହ ସଠିକ୍ ଭାବେ ଅକ୍ସିଜେନ୍ ଯୋଗାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହାସହ ଭେଣ୍ଟିଲେଟର ଏବଂ ଅନ୍ୟ ଉପକରଣ ପରିଚଳାନା ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆବଶ୍ୟକ ତାଲିମ ଦେବା ଜରୁରୀ ବୋଲି ମୋଦି କହିଛନ୍ତି । ଦେଶରେ ଗତ ମାର୍ଚ୍ଚ ପ୍ରାରମ୍ଭରେ ପ୍ରତି ସପ୍ତାହରେ ୫୦ ଲକ୍ଷ ଟେଷ୍ଟ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୧.୩ କୋଟିରେ ପହଞ୍ଚିଛି । ଅନ୍ୟପଟେ ଦେଶରେ ଧିରେ ଧିରେ ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ ସୁସ୍ଥତା ହାର ମଧ୍ୟ ବଢିଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

ତେବେ ଦେଶରେ ଶନିବାର ୩ ହଜାର ୮୯୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୬୬ ହଜାର ୨୦୭କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ୩ ଲକ୍ଷ ୨୬ ହଜାର ୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଲକ୍ଷ ୫୩ ହଜାର ୨୯୯ ଜଣ ସୁସ୍ଥ ହୋଇ ଫେରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ଅନ୍ୟପଟେ ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ କିଛି ସପ୍ତାହ ଧରି ୨୧ ପ୍ରତିଶତରୁ ଅଧିକ ଥିବା ସଂକ୍ରମିତଙ୍କ ସଂଖ୍ୟାରେ ଏବେ ହ୍ରାସ ଘଟିଥିବ ତଥ୍ୟରୁ ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲଭ ଅଗ୍ରୱାଲ୍ । ଦେଶରେ ଗତ କିଛି ସପ୍ତାହ ହେବ ୨୧.୯ ପ୍ରତିଶତ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୧୯.୮ ପ୍ରତିଶତରେ ପହଞ୍ଚିଛି ।ଗତ ୧୨ ଦିନରେ ଆକଟିଭ୍ କେସ୍ ସଂଖ୍ୟା କମିଛି । ବିଶେଷ ଭାବେ ଦିଲ୍ଲୀ, ଛତିଶଗଡ଼, ହରିୟାଣା ଏବଂ ଡାମନ୍ ଓ ଡିଉରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ତେବେ ମଧ୍ୟପ୍ରଦେଶରେ ସବୁଠୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ରିପୋର୍ଟ କହୁଛି । ଅନ୍ୟପଟେ ଦିଲ୍ଲୀରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ବି କିଛି ଅଂଚଳରେ ଏବେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ତାସହ କିଛି ରାଜ୍ୟରେ ଏବେ ବି ସଂକ୍ରମଣ ପିକରେ ରହିଛି । ଯେପରି ତାମିଲନାଡ଼ୁ, ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ଏବଂ ହିମାଚଳପ୍ରଦେଶ ।ତେଣୁ ଏହି ସବୁ ଅଞ୍ଚଳରେ କଡ଼ାକଡ଼ି ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଛନ୍ତି । ଏବେ ଦେଶର ୧୧ ରାଜ୍ୟରେ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

Show More

Related Articles

Back to top button