Breaking PLUSଓଡ଼ିଶାମୁଖ୍ୟ ଖବର

ବଢୁଛି ତାତି, ୧୭ରେ ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା

ରାଜ୍ୟରେ ତାତି ବଢ଼ୁଛି । ଶୀତ ଦିନରେ ବି ଲାଗୁଛି ଗରମ । ଖରାଦିନ ଭଳି ଅନୁଭବ ହେଉଛି । ୧୬ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଗରମ ଅନୁଭବ ହେବ । ୧୬ରେ ୬ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ୧୭ରେ ୧୧ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି

ବର୍ଷା ପରେ ରାଜ୍ୟରେ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।ରବିବାର ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ମାଲକାନଗିରିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି । ଅପରପକ୍ଷେ ୧୬ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ସହିତ ଗରମ ଅନୁଭୁତ ହେବ । ୧୬ରେ ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।୧୭ ତାରିଖରେ ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ବଲାଙ୍ଗୀର, ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗରମ ଅନୁଭୁତ ହେବ । କାଁ ଭାଁ ୧ ଡିଗ୍ରୀ ସେଲସିୟସ୍‌ ପରିବର୍ତ୍ତନ ହେବ । ଏବେ ରାଜ୍ୟକୁ ଦିନ ବେଳା ମହାରାଷ୍ଟ୍ର, ତେଲଙ୍ଗାନା ସମେତ ଦକ୍ଷିଣ-ପଶ୍ଚିମ ଦିଗରୁ ଗରମ ପବନ ବୋହୁଥିବାରୁ ଗରମ ଅନୁଭୁତ ହେଉଛି । ୧୭ ତାରିଖ ବର୍ଷା ପରେ ରାଜ୍ୟରେ ଗରମ କମିବା ସହିତ ପୁଣି ଶୀତ ଫେରିବ ବୋଲି ସେ ଆକଳନ କରିଛନ୍ତି ।ଶନିବାର କେବଳ ଫୁଲବାଣୀକୁ ବାଦ୍‌ ଦେଲେ ରାଜ୍ୟରେ ପ୍ରାୟ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି । ଶନିବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ରହିଛି । ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ସର୍ବୋଚ୍ଚ ତାପମାତ୍ରା ୩୩.୪ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଶନିବାର ୩୫.୬ ଡିଗ୍ରୀ ସେଲସିୟସ୍‌କୁ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି ।

Show More

Related Articles

Back to top button