ଦେଶ ବିଦେଶ

ହନୁମାନଙ୍କ ରୋଚକ କଥା : ଆସନ୍ତୁ ଜାଣିବା ରାମ ଭକ୍ତ ହନୁମାନଙ୍କ ଅହଙ୍କାର ଦୂର ହେଲା କିପରି

ରାମ ନାମ ସ୍ମରଣ କରୁଥିବା ବ୍ୟକ୍ତି ଅଞ୍ଜନେୟଙ୍କର ଅତି ପ୍ରିୟ । ସେ ସର୍ବଦା ତାଙ୍କ ସମ୍ମୁଖରେ ଆବିର୍ଭୂତ ହୋଇ ଅଭୟ ପ୍ରଦାନ କରିଥାନ୍ତି ବୋଲି ଅଦ୍ୟାବଧି ଜନଶ୍ରୁତି ପ୍ରଚଳିତ ଅଛି । ଦିନେ ଜଣେ ସାଧୁ ତାଙ୍କର ବ୍ରାହ୍ମଣ ଶିଷ୍ୟଙ୍କୁ ଉପଦେଶ ଦେଇ କହିଲେ ପ୍ରତ୍ୟହ ଅଳ୍ପ କିଛି ସମୟ ହେଉ ପଛକେ ଭକ୍ତିର ସହ ରାମନାମ ଜପ କରିବା ପାଇଁ

ସକାଳୁ ନିଦରୁ ଉଠିବାଠାରୁ ରାତିରେ ନିଦ୍ରାଯିବା ପର୍ଯ୍ୟନ୍ତ ଅହରହ ନାନା ଜଞ୍ଜାଳ ଭିତରେ ଆବଦ୍ଧ ଥିବା ଶିଷ୍ୟ ଜଣକ କିନ୍ତୁ ନାମ ଜପ ପାଇଁ ସମୟର ଅଭାବ ଦର୍ଶାଇଲେ ।

ତହୁଁ ସାଧୁ କହିଲେ ଦେଖ, ଯଦି ସମୟ ନାହିଁ, ତେବେ ନିତ୍ୟ କର୍ମ କରିବା ସମୟରେ ନାମ ଜପିପାର । ଶିଷ୍ୟ ଜଣକ କିନ୍ତୁ ଅଶୌଚ ସମୟରେ ନାମ ଜପ କରିବା ସମୀଚୀନ ନୁହେଁ ବୋଲି କହିବାରୁ ସାଧୁ କହିଲେ – ବିଭୁନାମ ସଦା ପବିତ୍ର, ରାମ ନାମ ଯେତେବେଳେ ନେଲେ କିଛି ଦୋଷ ନାହିଁ । ଗୁରୁଙ୍କ କଥା ଶିଷ୍ୟ ଏଡ଼ାଇ ପାରି ନଥିଲେ । କ୍ରମେ ଏହା ଅଭ୍ୟାସରେ ପଡ଼ିଗଲା । ଦିନେ ସେ ଦୈବାତ୍ ଅଞ୍ଜନେୟଙ୍କ ହାବୁଡ଼ରେ ପଡ଼ିଗଲେ, “ଅଶୌଚ ଅବସ୍ଥାରେ ମୋ ଆରାଧ୍ୟଙ୍କ ନାମ ଜପୁଛ?’ – ଏଭଳି କହି ମହାବୀର ହନୁମାନ ହଠାତ୍ ବ୍ରାହ୍ମଣ ଶିଷ୍ୟଙ୍କ ଗାଲରେ ଶକ୍ତ ଚାପୁଡ଼ାଏ ଦେଲେ ଓ ତାଗିଦ୍ କରିଦେଲେ ଭବିଷ୍ୟତରେ ଏଭଳି ଦୁଷ୍କର୍ମ ନ କରିବା ପାଇଁ ।

ସନ୍ଧ୍ୟା କାଳରେ ପ୍ରଭୁଙ୍କ ସେବା କରିବା ସମୟରେ ପବନତନୟ ଦେଖିଲେ ଆରାଧ୍ୟଙ୍କ ଗାଲରେ ପାଞ୍ଚ ଆଙ୍ଗୁଳି ଚିହ୍ନ ଦିଶୁଛି । ଆଶ୍ଚର୍ଯ୍ୟ ହୋଇଗଲେ ଅଞ୍ଜନେୟ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ପରିସ୍ଥିତିକୁ ଯଥାସମ୍ଭବ ହାଲୁକା କରିବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ହନୁମାନ ଜାଣିବାକୁ ଚାହିଁଲେ ପ୍ରଭୁଙ୍କୁ ଏଭଳି କିଏ ଆଘାତ ଦେଇଛି? ହନୁମାନଙ୍କ ଏଭଳି ଜିଦ୍ ଦେଖି ରଘୁନାଥ ଅଗତ୍ୟା କହିବାକୁ ବାଧ୍ୟ ହୋଇଥିଲେ ତୁମେ ହିଁ ମୋତେ ଏଭଳି ଆଘାତ ଦେଇଛ । ହନୁମାନ କିନ୍ତୁ ଏଥିରେ ବିଚଳିତ ହୋଇଗଲେ । ତାଙ୍କର ଏଭଳି ଅବସ୍ଥା ଦେଖି ପ୍ରଭୁ ଶ୍ରୀରାମଚନ୍ଦ୍ର ସତ୍ୟ ପ୍ରକାଶ କରି କହିଲେ, ଆଜି ସକାଳେ ଅଶୌଚ ଅବସ୍ଥାରେ ମୋର ନାମ ଜପ କରୁଥିବା ବ୍ରାହ୍ମଣଙ୍କୁ ଶକ୍ତ ଚାପୁଡ଼ାଏ ଦେଇଥିଲ । ସହସ୍ର ମତ୍ତହସ୍ତୀ ସମ ବଳବାନ ରାବଣ ଏଭଳି ଏକ ଚାପୁଡ଼ାରେ ରଥରୁ ଗଳି ପଡ଼ିଥିଲା । ବ୍ରାହ୍ମଣ କି ଛାର? ବ୍ରହ୍ମହତ୍ୟା ଦୋଷ ଲାଗିଥାନ୍ତା, ମୋର ପି୍ରୟ ଭକ୍ତକୁ ବ୍ରହ୍ମହତ୍ୟା ପାତକରୁ ଉଦ୍ଧାର କରିବା ପାଇଁ ମୁଁ ସେ ଚାପୁଡ଼ାକୁ ମୋ ଗାଲରେ ସହିନେଲି ।

ଯେକୌଣସି ସମୟରେ ମୋ ନାମ ତୁଣ୍ଡରେ ଧରିଲେ ମଙ୍ଗଳ ହିଁ ମଙ୍ଗଳ । ମୋ ନାମ ପବିତ୍ର ଓ ଚିନ୍ମୟ, ଏହା ମୋ ସ୍ୱରୂପ ତେଣୁ ଏଭଳି ବ୍ୟକ୍ତିଙ୍କୁ ଦଣ୍ଡିତ ନକରି ସେମାନଙ୍କ ରକ୍ଷକ ହୁଅ । ଆବଶ୍ୟକ ପଡ଼ିଲେ ମୋର ନାମାନୁରାଗୀମାନଙ୍କୁ ଗଦାଧାରୀ ହୋଇ ଅଭୟ ପ୍ରଦାନ କର । ଆଶୀର୍ବାଦ କରୁଛି ଏହାଦ୍ୱାରା ଅଧିକ ଲୋକବନ୍ଦ୍ୟ ହୁଅ । ସେହିଦିନୁ ରାମଭକ୍ତଙ୍କୁ ନିଜ ଜୀବନ ବିନିମୟରେ ରକ୍ଷା କରିବା ଅଞ୍ଜନେୟଙ୍କ ଜୀବନର ବ୍ରତ ବନିଗଲା । ହନୁମାନଙ୍କର ଅହଙ୍କାର ଦୂର ହେଲା ।

ସେହିପରି ଆଉ ଏକ ସୁନ୍ଦର କାହାଣୀ ଅଛି ହନୁମାନଙ୍କ ସମ୍ପର୍କରେ । ଭଗବାନ ମଣିଷକୁ ସତ୍ କାର୍ଯ୍ୟ ନିମନ୍ତେ ସୃଷ୍ଟି କରିଛନ୍ତି । ସତ୍କାର୍ଯ୍ୟ ପୁଣ୍ୟଦାୟୀ ହୋଇଥାଏ ନିଶ୍ଚୟ । କରିଥିବା ସତ୍କାର୍ଯ୍ୟ ନିମନ୍ତେ ଯଦି ମନରେ ଗର୍ବ ଆସିଥାଏ ତେବେ ସତ୍କାର୍ଯ୍ୟର ପୁଣ୍ୟ କମ୍ ହୋଇଥାଏ । ଏ ସମ୍ପର୍କରେ ଏକ କଥା ରହିଛି । ଲଙ୍କା ଦହନ କରି ହନୁମାନ ଫେରିବା ବେଳେ ତାଙ୍କ ମନକୁ ଅହଙ୍କାର କବଳିତ କଲା । ଏ କଥା ପ୍ରଭୁ ଶ୍ରୀରାମଙ୍କୁ ଅବିଳମ୍ବେ ଜଣା ପଡ଼ିଗଲା । ଫେରିବା ରାସ୍ତାରେ ହଠାତ୍ ହନୁମାନଙ୍କୁ ଶୋଷ ଲାଗିଲା ।

ଏହି ସମୟରେ ତାଙ୍କର ଦୃଷ୍ଟି ଶାନ୍ତ ଭାବେ ବସିଥିବା ଜଣେ ଋଷିଙ୍କ ଉପରେ ପଡ଼ିଲା । ମୁନିଙ୍କ ନିକଟକୁ ଯାଇ ମହାବଳୀ ହନୁମାନ କହିଲେ, “ମୁନିବର, ମୁଁ ଏବେ ଏବେ ଶ୍ରୀରାମଚନ୍ଦ୍ରଙ୍କ ଧର୍ମପତ୍ନୀ ସୀତା ମାତାଙ୍କ ଅନ୍ୱେଷଣ କରି ଫେରୁଛି । ମୁଁ ଖୁବ୍ ତୃଷାତୁର । ଦୟାକରି ମୋର ତୃଷା ନିବାରଣ ନିମନ୍ତେ କିଛି ଜଳ ପ୍ରଦାନ କରନ୍ତୁ ଅଥବା ମୋତେ କୌଣସି ଜଳାଶୟର ସ୍ଥିତି ବତାଇ ଦିଅନ୍ତୁ ।” ମୁନିବର ତାଙ୍କୁ ଜଳାଶୟର ଠିକଣା ବତାଇ ଦେଲେ । ସୀତାଙ୍କ ଦ୍ୱାରା ପ୍ରଦତ୍ତ ଚୁଡ଼ାମଣି, ମୁଦି୍ରକାକୁ ମୁନିଙ୍କ ନିକଟରେ ରଖି ଜଳାଶୟ ନିକଟକୁ ଗଲେ । ଏହି ସମୟ ମଧ୍ୟରେ ଏକ ମାଙ୍କଡ଼ ସେଠାକୁ ଆସିଲା ଓ ଏସବୁ ବସ୍ତୁକୁ ମୁନିଙ୍କର କମଣ୍ଡଳୁ ମଧ୍ୟରେ ପକାଇଦେଲା ।

ଜଳପାନ କରି ହନୁମାନ ଯେତେବେଳେ ଫେରିଲେ ଏହି ବସ୍ତୁଗୁଡ଼ିକ ସମ୍ପର୍କରେ ମୁନିଙ୍କୁ ପଚାରିବାରୁ ତାଙ୍କୁ କମଣ୍ଡଳୁ ଭିତରେ ରାମ ନାମ ଲିଖିତ ହଜାର ହଜାର ମୁଦି୍ରକା ଦେଖିବାକୁ ମିଳିଲା । ସେଗୁଡ଼ିକ ମଧ୍ୟରୁ ତାଙ୍କର କେଉଁଟି ଓ ରାମନାମ ଲିଖିତ ଏତେ ସଂଖ୍ୟକ ମୁଦ୍ରିକା କେଉଁଠୁ ପାଇଲେ ବୋଲି ପ୍ରଶ୍ନ କଲେ । ଏହା ଶୁଣି ମୁନି ଉତ୍ତର ଦେଲେ ଯେବେ ଯେବେ ପ୍ରଭୁ ଶ୍ରୀରାମ ଅବତାର ଗ୍ରହଣ କରିଛନ୍ତି, ସୀତାଙ୍କ ଅନୁସନ୍ଧାନ ପରେ ହନୁମାନ ଏହିସବୁ ମୁଦି୍ରକାଗୁଡ଼ିକୁ ଏହିଠାରେ ହିଁ ଛାଡ଼ି ଚାଲିଯାଆନ୍ତି ।

ମୁନିଙ୍କଠାରୁ ଏହା ଶୁଣିବା ପରେ ହନୁମାନଙ୍କର ଗର୍ବ ଏଥି ନିମନ୍ତେ ନଷ୍ଟ ହୋଇଗଲା କାରଣ, ଭଗବାନ ଏହିପରି ଅନେକ ଜନ୍ମ ନେଇଛନ୍ତି । ତାଙ୍କ ପରି ଅନେକ ହନୁମାନ ପ୍ରଭୁଙ୍କର ଏହି କାର୍ଯ୍ୟ ସମାପନ କରିଛନ୍ତି । ଅହଙ୍କାର କ୍ଷୟ ହେବାରୁ ହନୁମାନ ପ୍ରଭୁ ଶ୍ରୀରାମଙ୍କ ନିକଟକୁ ଯାଇ କ୍ଷମା ମାଗିବାରୁ ଭଗବାନ କହିଲେ ମୁଁ ହିଁ ମୁନି ରୂପ ଧାରଣ କରି ତୁମର ଅହଙ୍କାର ଦୂର କରିବା ନିମନ୍ତେ ନାଟକ କରିଥିଲି । ନିଜର ସତ୍କାର୍ଯ୍ୟ ନିମନ୍ତେ ଗର୍ବ କରିବା ଦ୍ୱାରା ଏହାର ଫଳ ନୂ୍ୟନ ହୋଇଯାଉଥିବାରୁ ମୋତେ ଏହି ନାଟକ କରିବାକୁ ପଡ଼ିଲା । ସତରେ ନିଜର ଭକ୍ତମାନଙ୍କୁ ରକ୍ଷା କରିବା ପାଇଁ ଭଗବାନ ବିଭିନ୍ନ ରୂପରେ ଆସି ପହଞ୍ଚôଯାଆନ୍ତି ।

Show More

Related Articles

Back to top button