Breaking PLUSଓଡ଼ିଶାମୁଖ୍ୟ ଖବର

୧୮ରୁ ଆଉ ଏକ ଲଘୁଚାପ

୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ବର୍ଷା ଆଶଙ୍କା କମିନି । ଆସନ୍ତା ୧୭/୧୮ରୁ ପୁଣି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗ କହିଛି, ଆସନ୍ତା ଦୁଇଦିନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଅଳ୍ପ କେତେକ ଜାଗାରେ ବର୍ଷା ହୋଇପାରେ । ୧୮ରୁ ପୁଣି ବର୍ଷା ବଢ଼ିପାରେ । ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୧୯ରେ ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ସମ୍ଭାବନା ଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୨୦ରୁ ୨୨ ଯାଏ କେତେକ ଜାଗାରେ ପ୍ରବଳ ବର୍ଷା ହେବ । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଗକୁ ଦୁଇଟି ଲଘୁଚାପ ସମ୍ଭାବନା ଅଛି । ୧୮ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇ ୧୯ରେ ପଶ୍ଚିମବଙ୍ଗର ମେଦିନପୁର ଓ ସଂଲଗ୍ନ ବାଲେଶ୍ୱର ନିକଟରେ ରହିବ । ଏହା ବର୍ତ୍ତମାନର ଲଘୁଚାପ ବଳୟ ଓ ମୌସୁମୀ ଟ୍ରଫର ପୂର୍ବଭାଗରେ ମିଶିଯିବ । ଏହାପରେ ସୁନ୍ଦରଗଡ଼ ଦେଇ ମଧ୍ୟପ୍ରଦେଶ ଦେଇ ରାଜସ୍ଥାନ କିମ୍ବା ପଶ୍ଚିମ ଉତ୍ତରପ୍ରଦେଶକୁ ଯାଇପାରେ । ୨୧ ତାରିଖ ଯାଏ ଏହା ବିଶେଷ ଘନୀଭୂତ ହେବା ସମ୍ଭାବନା କମ୍‌ । ୨୩ରେ ମିଆଁମାର ନିକଟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବ ।

ଏହା ମଧ୍ୟ ବିଶେଷ ଘନୀଭୂତ ହେବା ସମ୍ଭାବନା କମ୍‌ । ସଙ୍କେତ ମିଳୁଛି, ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହା ବଳୟରେ ହିଁ ସୀମିତ ରହିବ । ତା’ପରେ ସ୍ଥିତି କିଭଳି ରୂପ ନେବ, ଏବେ ସ୍ପଷ୍ଟ ଚିତ୍ର ମିଳୁନାହିଁ । ଆକଳନ କରାଯାଉଛି, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ । ସମୁଦାୟ ବର୍ଷା ୫୦ରୁ ୭୦ ମିମି ରହିପାରେ । କେତେକ ସ୍ଥାନରେ ହାରାହାରି ୯୦ ମିମି ବର୍ଷା ହୋଇପାରେ । ଉପକୂଳରେ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ (୧୫ରୁ ୩୫ ମିମି), ଦକ୍ଷିଣ ଆଭ୍ୟନ୍ତରୀଣରେ ୨୨ରୁ ୨୪ ତାରିଖ ଭିତରେ ସ୍ପଳ୍ପରୁ ମଧ୍ୟମ ଏବଂ ଉତ୍ତର ଆଭ୍ୟନ୍ତରୀଣରେ ୧୯ରୁ ୨୨ ତାରିଖ ଭିତରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୪ରୁ ମାସ ଶେଷ ପର୍ଯ୍ୟନ୍ତ ବର୍ଷା ଆହୁରି କମିପାରେ । ତେବେ ମୌସୁମୀ ସକ୍ରିୟ ରହିବା ହେତୁ ବିକ୍ଷିପ୍ତ ହାଲୁକା ବର୍ଷା ହୋଇପାରେ । ସେହିପରି ବୈତରଣୀ ଜଳସ୍ତର ଆଖୁଆପଦାରେ ବିପଦ ସଙ୍କେତ (୧୭.୮୩ ମି)ଠାରୁ ଉପରେ ପ୍ରବାହିତ (୧୮.୨୬ ମି) ହେଉଥିଲା ରାତି ୯ଟାବେଳେ । ଜଳସ୍ତର କମୁଥିବାରୁ ବିପଦ ବି କମିଛି । ବୁଢ଼ାବଳଙ୍ଗ ଜଳସ୍ତର ଏନଏଚ୍‌-୫ରେ ସତର୍କ ସଙ୍କେତ ଟପି ୭.୨୨ ମିଟରରେ ପ୍ରବାହିତ ହେଉଥିଲା । ଏଠାରେ ବିପଦ ସଙ୍କେତ ସ୍ତର ୮.୧୩ ମିଟର । ଜଳସ୍ତର ବଢ଼ି ଚାଲିଛି । ବ୍ରାହ୍ମଣୀ ଜଳସ୍ତର ପାନପୋଷରେ ବଢ଼ି ୧୭୬.୫୨ ମି ଛୁଇଁଛି । ଏଠି ବିପଦ ସଙ୍କେତ ସ୍ତର ୧୭୮.୪୨ ମିଟର । ହେଲେ ଜେନାପୁରରେ ବ୍ରାହ୍ମଣୀ ଖସୁଛି । ସୁବର୍ଣ୍ଣରେଖା ସତର୍କ ସଙ୍କେତ ଟପିଛି ରାଜଘାଟରେ । ଏଠରେ ସତର୍କ ସଙ୍କେତ ୯.୪୫ ମିଟର ଥିବାବେଳେ ଜଳସ୍ତର ୯.୪୯ ମିଟର ଛୁଇଁଛି । ଉପରମୁଣ୍ଡରେ ବର୍ଷା କମିଥିବାରୁ ବିଶେଷ ବିପଦ ନଥିବା କୁହାଯାଉଛି । ବଂଶଧାରା ଜଳସ୍ତର କାଶିନଗରରେ ସତର୍କ ସଙ୍କେତ ଉପରେ ୫୩.୭୯ ମିଟରରେ ପ୍ରବାହିତ ହେଉଥିଲା ରାତି ୯ଟାବେଳେ । କ୍ରମଶଃ ପାଣି କମୁଛି । ଋଷିକୂଲ୍ୟା ଜଳସ୍ତର ଖସୁଥିବାବେଳେ ଜଳକା ଏବେ ବି ବିପଦ ସଙ୍କେତ ଉପରେ । ମାଥାନିରେ ଜଳକା ୬.୬୩ ମିଟରରେ ପ୍ରବାହିତ ହେଉଥିବା ସୂଚନା ମିଳିଛି ।

Show More

Related Articles

Back to top button