ଓଡ଼ିଶାମୁଖ୍ୟ ଖବର

୫ ଦିନ ଯାଏଁ ଶୁଖିଲା ରହିବ ପାଗ, ବଢିବ ତାତି

ଜାରି ରହିବ ତାତି । ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ଜାରି ରହିବ । କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ତେବେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା ରହିବ । ତେବେ ତାପମାତ୍ରା ସ୍ୱାଭାବିକ ରହିବ ବୋଲି ସେ ଆକଳନ କରିଛନ୍ତି ।ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତାକାଲି ଖରା ରହିବ ।

କାଁ ଭାଁ କିଛି ସ୍ଥାନରେ ଘଡ଼ଘଡ଼ି ବର୍ଷା ହୋଇପାରେ । ତେବେ ଆରବ ସାଗରରେ ସୃଷ୍ଟି ହୋଇଥିବା ‘ତାଉତେ’ ପ୍ରଭାବରେ ୧୯ରୁ ୨୧ ତାରିଖ ବେଳକୁ ବର୍ଷା ହୋଇପାରେ ବୋଲି ସେ ଆକଳନ କରିଛନ୍ତି ।ଅପରପକ୍ଷେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ଅନୁସାରେ ‘ତାଉତେ’ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅତି ପ୍ରବଳ ଘୂର୍ଣ୍ଣି ଝଡର ରୂପ ନେଇପାରେ । ସେଥିପାଇଁ ଆଇଏମଡି ପକ୍ଷରୁ ସତର୍କ ସୂଚନା(ଅରେଞ୍ଜ ଆଲର୍ଟ)ଜାରି କରାଯାଇଛି । ‘ତାଉତେ’ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୮ ତାରିଖ ସକାଳେ ଗୁଜୁରାଟ୍‌ ଉପକୂଳ ଅତିକ୍ରମ କରିବ । ପୋର ବନ୍ଦର ଓ ଭାବାନଗର ଜିଲ୍ଲା ମହୁଭା ଦେଇ ଭୂ-ଭାଗକୁ ପ୍ରବେଶ କରିବ । ତେବେ ୧୭ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୧୫୦-୧୬୦ କିଲାମିଟର ବହିପାରେ । କେତେକ ସ୍ଥଳରେ ଏହା ୧୭୫ କିଲାମିଟର ଧକ୍କା ଦେବ ବୋଲି ବିଭାଗ ଆକଳନ କରିଛି ।

Show More

Related Articles

Back to top button