ଓଡ଼ିଶା

ଆଇପିଏଲ୍ ପାଇଁ ଅନ୍ତର୍ଜାତୀୟ ସିରିଜ୍ ଛାଡି ଭାରତ ଆସୁଛନ୍ତି ୫ ଖେଳାଳି

ଆଇପିଏଲ ୨୦୨୧ର ୧୪ତମ ସଂସ୍କରଣ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି। ବିଶ୍ଵର ଏହି ବଡ ଟି-୨୦ ଲିଗ୍‌ ପାଇଁ ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ୍‌ ଛାଡିବାକୁ ପଛଘୁଞ୍ଚା ଦେଉ ନାହାନ୍ତି

ଦକ୍ଷିଣ ଆଫ୍ରିକାର ପାଞ୍ଚ ଖେଳାଳି ପାକିସ୍ତାନ ବିପକ୍ଷରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ମଝିରେ ଛାଡି ଭାରତ ଅଭିମୁଖେ ଯାତ୍ରା କରିଛନ୍ତି। ଦିନିକିଆ ସିରିଜ୍ ଏବେ ୧-୧ରେ ସମାନ ସ୍ଥିତିରେ ରହିଛି। ଅନ୍ତିମ ମ୍ୟାଚ୍ ଦୁଇ ଦଳ ପାଇଁ ନିର୍ଣ୍ଣାୟକ ରହିଛି।ଦକ୍ଷିଣ ଆଫ୍ରିକାର ଓପନର ବ୍ୟାଟସମ୍ୟାନ କ୍ଵିଣ୍ଟନ ଡିକକ୍, ଦ୍ରୁତ ବୋଲର କାଗିସୋ ରାବଡା, ବ୍ୟାଟସମ୍ୟାନ ଡେଭିଡ୍ ମିଲର, ଦ୍ରୁତ ବୋଲର ଏନରିଚ ନୋର୍ତ୍ତଜେ ଓ ଦ୍ରୁତ ବୋଲର ଲୁଙ୍ଗି ଏନଗିଡି ଆଇପିଏଲ ଖେଳିବା ପାଇଁ ଭାରତ ଅଭିମୁଖେ ଯାତ୍ରା କରିଛନ୍ତି। ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ଏପ୍ରିଲ ୭ରେ ଖେଳାଯିବ।

ଡିକକ୍‌ ମୁମ୍ବାଇ ତରଫରୁ ଖେଳୁଥିବା ବେଳେ ରାବଡା ଓ ନୋର୍ତ୍ତଜେ ଦିଲ୍ଲୀ କ୍ୟାପିଟାଲ୍ସ, ମିଲର ରାଜସ୍ଥାନ ରୟାଲ୍ସ ଏବଂ ଏନଗିଡି ଚେନ୍ନାଇ ସୁପରକିଙ୍ଗ୍ସ ଦଳ ପକ୍ଷରୁ ଖେଳୁଛନ୍ତି।କ୍ରିକେଟ୍ ଦକ୍ଷିଣ ଆଫ୍ରିକା ନିଜ ବୟାନରେ କହିଛି ଯେ, ବିସିସିଆଇ ଓ କ୍ରିକେଟ୍ ସାଉଥ୍ ଆଫ୍ରିକା ମଧ୍ୟରେ ହୋଇଥିବା ରାଜିନାମା ଅନୁସାରେ ଆଇପିଏଲ ଖେଳୁଥିବା ଖେଳାଳିଙ୍କୁ ଶୀଘ୍ର ରିଲିଜ୍ କରାଯାଇଛି। ଯଦ୍ଵାରା ସେମାନେ ନିଜ ଫ୍ରାଞ୍ଚାଇଜି ସହ ଜଡିତ ହୋଇ ପାରିବେ। କିନ୍ତୁ ଏହାକୁ ନେଇ ଦକ୍ଷିଣ ଆଫ୍ରିକାରେ ପ୍ରଶ୍ନ ଉଠିଛି। କାରଣ ଦିନିକିଆ ସିରିଜ୍‌ ମଧ୍ୟରେ ଖେଳାଳି ଟି-୨୦ ଲିଗ୍‌ ପାଇଁ ଯିବା ନିଜ ଦେଶ ପାଇଁ ଭଲ ସଙ୍କେତ ନୁହେଁ। ଏଥିପାଇଁ ସେଠାକାର ଲୋକେ ନିଜ ବୋର୍ଡକୁ ଦାୟୀ କରିଛନ୍ତି। ବିସିସିଆଇର ପ୍ରୋଟୋକଲ ଅନୁଯାୟୀ, ପାଞ୍ଚ ଖେଳାଳିଙ୍କୁ ୭ ଦିନର କ୍ଵାରେଣ୍ଟାଇନ୍‌ରେ ରହିବାକୁ ପଡିବ। ତେଣୁ ଏହି ସବୁ ଖେଳାଳି ପ୍ରଥମ ମ୍ୟାଚ୍ ଖେଳି ପାରିବେ ନାହିଁ।

Show More

Related Articles

Back to top button