ଓଡ଼ିଶାମୁଖ୍ୟ ଖବର

ସାରା ରାଜ୍ୟରେ ବଢୁଛି ତାତି

ମାଡ଼ି ଆସୁଛି ଗ୍ରୀଷ୍ମ ପ୍ରବାହ । ଆକାଶରୁ ବର୍ଷିବ ନିଆଁ । ଜଳିବ ସାରା ଓଡ଼ିଶା । ଉତ୍ତରରୁ ପଶ୍ଚିମ, ଆଭ୍ୟନ୍ତରୀଣରୁ ଉପକୂଳ ଯାଏଁ ସବୁଠି ବହିବ ତତଲା ପବନ । ଛଟପଟ କରିବ ଜନଜୀବନକୁ । ଗରମ ଏମିତି ବଢ଼ିବ ଯେ, ଆସନ୍ତା ୨୪ ତାରିଖକୁ ଭୁବନେଶ୍ୱର ତାପମାତ୍ରା ୪୧ ଓ ୨୬ ତାରିଖକୁ ୪୨ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିପାରେ । ଏଥିରୁ ଅନୁମାନ କରାଯାଇପାରେ, ରାଜ୍ୟକୁ କିଭଳି ଗ୍ରୀଷ୍ମ ପ୍ରବାହ ମାଡ଼ି ଆସୁଛି

ରାଜ୍ୟରେ ଗରମ ବଢ଼ି ଚାଲିଛି । ସନ୍ତୁଳି ହେଲେଣି ଜନଜୀବନ । ସୋମବାର ରାଜ୍ୟର ୧୧ଟି ସ୍ଥାନରେ ସୋମବାର ତାପମାତ୍ରା ୩୯ ଡିଗ୍ରୀ ଉପରେ ଥିଲା । ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଭୁବନେଶ୍ୱର ୪୦.୨ ଡିଗ୍ରୀ ଥିଲା । ବାରିପଦା, ହୀରାକୁଦ, ତାଳଚେର ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ୍‌ ଲେଖାଏଁ ଥିବାବେଳେ ଟିଟିଲାଗଡ଼ ୩୯.୫, ଭବାନୀପାଟଣା ୩୯, ମାଲକାନଗିରି ୩୯, ନୟାଗଡ଼ ୩୯.୫, ସମ୍ବଲପୁର ୩୯.୮ ଓ କଟକ ୩୯ ଡିଗ୍ରୀ ଥିଲା । ବଲାଙ୍ଗିର ତାପମାତ୍ରା ୩୮.୮ ଥିବାବେଳେ ବାଲେଶ୍ୱରରେ ବି ସ୍ଥିତି ସମାନ ଥିଲା । ସାରା ରାଜ୍ୟରେ ଗରମ ଅସହ୍ୟ ହେଲାଣି ।କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ବର୍ତ୍ତମାନ ରାଜ୍ୟୃରେ ଗରମ ବଢ଼ି ଚାଲିଛି । ସମ୍ଭବତଃ ସୁନ୍ଦରଗଡ଼ ଓ ସଂଲଗ୍ନ ଉତ୍ତର ପଶ୍ଚିମ ଅଞ୍ଚଳ ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ଗରମ ପ୍ରକୋପ ଆହୁରି ବଢ଼ିବ । ଆଶ୍ୱସ୍ତିର ଖବର ହେଲା, ଆସନ୍ତା ୨୯ରୁ ୩୧ ଭିତରେ ସାରା ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି । ଆସନ୍ତା ୨୪ ତାରିଖ (ବୁଧବାର) ଭୁବନେଶ୍ୱର ତାପମାତ୍ରା୪୧ ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ । ୨୬ରେ ପାରଦ ୪୨ ଡିଗ୍ରୀ ପାଖାପାଖି ପହଞ୍ଚିପାରେ । ୨୮ ପରେ ବାୟୁର ଦିଗ ବଦଳିବ ।

ଉପକୂଳରେ ମେଘୁଆ ପାଗ ସହ ତାପମାତ୍ରା କମିବ । ସମ୍ଭବତଃ ୨୯ରେ ଓଡ଼ିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏଥିଯୋଗୁ ୨୯ରୁ ୩୧ ସମଗ୍ର ଉପକୂଳ ଜିଲ୍ଲାରେ ପବନ ସହ ଭଲ ପରିମାଣର ବର୍ଷା ହୋଇପାରେ । ୩୦ ତାରିଖରେ ସବୁଠୁ ଅଧିକ ବର୍ଷା ସମ୍ଭାବନା ଅଛି । ତେବେ ବାଲେଶ୍ୱରରେ ସବୁଠୁ କମ୍‌ ବର୍ଷା ହେବ । ୨୩ ଓ ୨୪ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ । ୨୬ରୁ ଉତ୍ତର ଓଡ଼ିଶାରେ ଓ ୨୮ରୁ ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ବଢ଼ିବ । ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି ।ଡ. ପଶୁପାଳକ କହିଛନ୍ତି, ବୁଧବାର କଟକ, ଭଦ୍ରକ, ଯାଜପୁର, ବାଲେଶ୍ୱର ଓ ମୟୂରଭଞ୍ଜରେ ପାରଦ ପ୍ରାୟ ୧ ଡିଗ୍ରୀ ବଢ଼ିପାରେ । ଗୁରୁବାର କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ଼, ଆଭ୍ୟନ୍ତରୀଣ ଗଞ୍ଜାମ, ଗଜପତି, ରାୟଗଡ଼ାରେ ଓ ଶନିବାର ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରିରେ ବିଶେଷ ଭାବେ ବଢ଼ିବ ।

Show More

Related Articles

Back to top button