ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟକାଳିପୂଜାପୂଜା ପାର୍ବଣଭକ୍ତି

ଦୀପୋତ୍ସବ

ଦୀପାବଳି ଦୀପୋତ୍ସବେ
ମନ ପ୍ରାଣ ତଲ୍ଲୀନ
ଆଲୋକ ମାଳାରେ ଅମା
ଅନ୍ଧକାର ମଳିନ।

ହୃଦୟରେ ପ୍ରୀତି ଶିଖା
ଉଜ୍ଜ୍ବଳତା ପ୍ରକାଶି
ବନ୍ଧୁତ୍ୱ ଶାଶ୍ଵତ ପ୍ରେମେ
ପୂର୍ଣ୍ଣ ଆତ୍ମା କଳସୀ।

ପୁର୍ବଜ ଆଶିଷ ଶିରେ
ସ୍ୱର୍ଗୁ ପଡୁ ବରଷି
ମୃଣାଳିନୀ ଭରା ନୀରେ
ଏ ଜୀବନ ସରସୀ।

ଦିଆଲି ପତଙ୍ଗ ଧାଏଁ
ଆକର୍ଷଣେ ଅନଳ
ମୂତ୍ୟୁ ପଥ ଗାମୀ ଦୃଶ୍ୟେ
ଦୀପ ଦୀପ୍ତି ଉଜ୍ଜ୍ୱଳ।

ଆତସବାଜି ବାରୁଦେ
ବୃଦ୍ଧି ଅଙ୍ଗାରକାମ୍ଳ
ବର୍ଜନ ପୂର୍ବକ ରକ୍ଷା
ହେଉ ବାୟୁ ମଣ୍ଡଳ।

ବନବାସ ଅନ୍ତେ ପ୍ରଭୁ
ଅଯୋଧ୍ୟା ଆଗମନ
ପୁରବାସୀ ସୁସ୍ୱାଗତେ
ପ୍ରଦୀପ ପ୍ରଜ୍ବଳନ।

ଆକାଶ ଦୀପ ମହତ୍ତ୍ଵ
ଉଦ୍ଭାସି ସ୍ଵର୍ଗପଥ
ପୂର୍ବପୁରୁଷ ଆଗମେ
ପୁଣ୍ୟ ପୂତ ମରତ।

ରକ୍ଷାକରି ପରମ୍ପରା
ଉତ୍ଫୁଲୀତ ଚିତ୍ତେ
ଗୃହ ଅଗଣା ସଜ୍ଜିତ
କରି ନାନା ମତେ।

ମହାକାଳୀ ପୂଜାର୍ଚ୍ଚନେ
ଦୁଃଖ ଦୂରୀଭୂତ
ଆଲୋକର ପର୍ବ ପାଳି
ହେବା ଆନନ୍ଦିତ।
*********
ଗୀତାଞ୍ଜଳି ଭୂୟାଁ, ପ୍ରାକ୍ତନ ପ୍ରଧାନ ଆଚାର୍ଯ୍ୟ, ସରସ୍ୱତୀ ବିଦ୍ୟାମନ୍ଦିର ସାଲେପୁର, କଟକ।

Show More

Related Articles

Back to top button