Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

‘ଓଡ଼ିଶାରେ ‘ଓମିକ୍ରନ’ ଆକ୍ରାନ୍ତ ଚିହ୍ନଟ ହୋଇନାହିଁ, ତଥାପି ସତର୍କ ରୁହ’- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ସାରା ବିଶ୍ୱରେ ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍’ ଆତଙ୍କ ସୃଷ୍ଟି କରିଛି । ଓଡ଼ିଶାରେ ମଧ୍ୟ ଓମିକ୍ରନକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଓମିକ୍ରନ୍ ଆକ୍ରାନ୍ତ ଦେଶ ଗୁଡ଼ିକରୁ ଫେରୁଥିବା ଲୋକଙ୍କ ପ୍ରତି ବିଶେଷ ଦୃଷ୍ଟି ଦିଆଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ସେ କହିଛନ୍ତି, ନିୟମିତ ଭାବେ ବାହାର ରାଷ୍ଟ୍ରରୁ ଆସୁଥିବା ଲୋକଙ୍କ ତର୍ଜମା କରାଯାଉଛି । କେତେ ଲୋକ ରାଜ୍ୟକୁ ଆସୁଛନ୍ତି, ସବୁ ଜିଲ୍ଲାମାନଙ୍କୁ ଅବଗତ କରାଯାଉଛି । ବାହାରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସାତ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ଅଷ୍ଟମ ଦିନରେ ସେମାନଙ୍କର ଟେଷ୍ଟିଂ କରାଯିବ । ପଜିଟିଭ ବାହାରିଲେ, ଜିନମ ସିକ୍ୱେନ୍ସିଂ ମଧ୍ୟ କରାଯିବ । ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ଶ୍ରୀ ମିଶ୍ର କହିଛନ୍ତି, ଏପର୍ଯ୍ୟନ୍ତ ଆମ ରାଜ୍ୟରେ କୌଣସି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଯେହେତୁ ଅନ୍ୟ ରାଜ୍ୟରେ ଓମିକ୍ରନ ଥିବା ଜଣାପଡିଛି, ତେଣୁ ଆମକୁ ଏବେ ସତର୍କ ରହିବାକୁ ହେବ । ଯେଉଁମାନେ ଅନ୍ୟ ଦେଶରୁ ଆସୁଛନ୍ତି ଓ ଗାଁ ଗଣ୍ଡାରେ ପହଞ୍ଚିଛନ୍ତି, ସେଠାକାର ସ୍ଥାନୀୟ ଲୋକମାନେ ସେମାନଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନକୁ ଜଣାଇବେ । ସେମାନଙ୍କୁ ସଂଗରୋଧରେ ରହିବାକୁ ନିବେଦନ କରାଯିବ । ଅତିକମରେ ସାତ ଦିନ ସଂଗରୋଧ ଓ ଆଉ ୭ ଦିନ ନିଜସ୍ୱ ଅବଜରଭେସନରେ ରହିବାକୁ କୁହାଯାଇଛି । ଏହି ୧୪ ଦିନ ଭିତରେ କିଛି ଲକ୍ଷଣ ଦେଖାଗଲେ, ଟେଷ୍ଟ କରାନ୍ତୁ । ଟେଷ୍ଟ ପଜିଟିଭ୍ ଆସିବା ପରେ ଜିନୋମ ସିକ୍ୱେନ୍ସିଂ କରାଯିବ । ଯେଉଁଥିରୁ ଜଣା ପଡ଼ିବ ଯେ ଆକ୍ରାନ୍ତଙ୍କ ଶରୀରରେ ଓମିକ୍ରନ ଭାରିଏଣ୍ଟ ଅଛି ନା ନାହିଁ ।

ଶ୍ରୀ ମିଶ୍ର ଆହୁରି କହିଛନ୍ତି, ବିଦେଶରୁ ରାଜ୍ୟକୁ କେତେ ଲୋକ ଆସୁଛନ୍ତି, ପ୍ରତିଦିନ କେନ୍ଦ୍ର ସରକାରଙ୍କ ଠାରୁ ତଥ୍ୟ ଅଣାଯାଉଛି । ଏହା ସତ୍ୟ ଯେ ଓମିକ୍ରନର ସଂକ୍ରମଣ ହାର ଅଧିକ। ନଭେମ୍ବର ୨୪ ପରଠାରୁ ଅଳ୍ପ ଦିନ ଭିତରେ ଏହା ୩୬ ଦେଶକୁ ବ୍ୟାପିଗଲାଣି । କିନ୍ତୁ ଯେଉଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଅଛି, ସେଠାରେ ଏହି ନୂଆ ଭାରିଆଣ୍ଟରେ ଗୁରୁତର ହେବା କିମ୍ବା ମୃତ୍ୟୁ ହେଉଥିବା ନେଇ କୌଣସି ତଥ୍ୟ ନାହିଁ । WHO ବି କହୁଛି ଯେ ଏହି ଭାରିଏଣ୍ଟରେ ମୃତ୍ୟୁ ବା ଗୁରୁତର ହାର ବହୁତ କମ । ଟିକା କାମ କରୁଛି ନା ନାହିଁ, ସେ ନେଇ ବି ତଥ୍ୟ ନାହିଁ । ଟିକା ନିର୍ମାତା ମଧ୍ୟ କହୁଛନ୍ତି, ଓମିକ୍ରନ ଉପରେ ଟିକା କାମ କରୁଛି । ତେଣୁ ଆତଙ୍କିତ ନ ହୋଇ ଟିକାକରଣ ଜାରି ରଖିବା ସହ କୋଭିଡ୍ ଅନୁରୂପ ନିୟମ ମାନିବାକୁ ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି ।

Show More

Related Articles

Back to top button