ମୋ ସରକାରରେ ସାମିଲ ହେବ କୋଭିଡ୍ ପରିଚାଳନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି I କୋଭିଡ୍ ପରିଚାଳନାକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ଏହାକୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ I କୋଭିଡ୍ ରୋଗୀ ଏବଂ କୋଭିଡ୍ ଯୋଦ୍ଧା ମାନଙ୍କ ସହିତ ନିୟମିତ ଯୋଗାଯୋଗ କରି ସେମାନଙ୍କଠାରୁ ମତାମତ ସଂଗ୍ରହ କରିବା ପାଇଁ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି I ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ କୋଭିଡ୍ ଯୋଦ୍ଧା ଓ ରୋଗୀମାନଙ୍କ ଠାରୁ ମତାମତ ସଂଗ୍ରହ କରିବେ I ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ I ସେହିପରି ରୋଗୀଙ୍କ ପରିବାରକୁ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସୂଚନା ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ I
କୋଭିଡ୍ ଯୋଦ୍ଧାମାନେ କିପରି ସଂକ୍ରମଣରୁ ସୁରକ୍ଷିତ ରହିବେ ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ I ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାପିତ କୋଭିଡ୍ କେୟାର ହୋମ୍ର ତଦାରଖ ପାଇଁ Online Entryର ବ୍ୟବସ୍ଥା କରାଯିବା ଆବଶ୍ୟକ I ଏହା ସହିତ ବିଭିନ୍ନ କୋଭିଡ୍ ଡାକ୍ତରଖାନା ମଧ୍ୟରେ Ambulance ସେବାକୁ ସୁବ୍ୟବସ୍ଥିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ I
ରାଜ୍ୟର ସବୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏବଂ ହଟ୍ସ୍ପଟ୍ ଜିଲ୍ଲା ମାନଙ୍କରେ ଆଣ୍ଟିଜେନ୍ ଟେଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ I ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ପରି ହଟ୍ସ୍ପଟ୍ ସହରରୁ ଯେପରି କମ୍ ସଂଖ୍ୟାରେ ଟ୍ରେନ୍ ଓ ଉଡ଼ାଜାହାଜ ଆସିବ ସେଥିପାଇଁ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ I ଗତ ଜୁନ୍ ୨୯ ତାରିଖ ଦିନ ହୋଇଥିବା ସମୀଷା ବୈଠକରେ ମୁଖ୍ୟମନ୍ତ୍ରୀ କୋଭିଡ୍ ପରିଚାଳନା ପାଇଁ ଏକ ନବସୂତ୍ରୀ ପରାମର୍ଶ ଦେଇଥିଲେ I ଆଜିର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର କାର୍ଯ୍ୟକାରୀତା ସମ୍ପର୍କରେ ଆଲୋଚନା ହୋଇଥିଲା I