ବଲିଉଡମନୋରଞ୍ଜନ

ରିଲିଜ ହେଲା ବଲିଉଡ ଚଳଚ୍ଚିତ୍ର ‘୮୩’ର ଟ୍ରେଲର୍

ଗତକାଲି ରିଲିଜ ହୋଇଛି ବଲିଉଡ ଚଳଚ୍ଚିତ୍ର ‘୮୩’ର ଟ୍ରେଲର୍ । ଟ୍ରେଲର୍ ରିଲିଜ ପରେ ସବୁ ମହଲରୁ ଚଳଚ୍ଚିତ୍ରଟିକୁ ପ୍ରଶଂସାର ସୁଅ ଛୁଟି ଥିଲା । ସଭିଙ୍କୁ ଜଣା କ୍ରିକେଟ୍ ଓ ବଲିଉଡ୍ ହେଉଛି ଭାରତୀୟଙ୍କର ଦୁଇଟି ପ୍ରମୁଖ ଜୀବନରେଖା । ‘୮୩’ର ଟ୍ରେଲର୍ ଦେଖିବା ପରେ ଦର୍ଶକ ଓ ସମୀକ୍ଷକମାନେ ସଂପୂର୍ଣ୍ଣ ଆଶାବାଦୀ ଯେ ଏହି ଚଳଚ୍ଚିତ୍ରରେ ଏ ଦୁଇଟିର ମହାସଙ୍ଗମ ଦେଖିବାକୁ ମିଳିବ ।

୧୯୮୩ ମସିହା ଜୁନ୍ ୨୫ ତାରିଖରେ କପିଳ ଦେବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ବିଶ୍ୱ କପ ଜିତି ଇତିହାସ ସୃଷ୍ଟି କରିଥିଲା । ଏହି ଐତିହାସିକ ସଫଳତା ପଛର ସଂଘର୍ଷମୟ କାହାଣୀକୁ ନେଇ ‘୮୩’ ଚଳଚିତ୍ରଟି ନିର୍ମାଣ କରାଯାଇଛି । ନିଜର ଚମତ୍କାର କ୍ରୀଡ଼ା ଚାତୁରୀ ପାଇଁ ‘ହରିୟାଣା ହରିକେନ୍’ ନାମ ପାଇଥିବା କପିଳ ଦେବଙ୍କ ଭୂମିକାରେ ରଣବୀର ସିଂହ ଅଭିନୟ କରିଛନ୍ତି । ଟ୍ରେଲରରେ ତାଙ୍କ ରୂପ, ଢଙ୍ଗ ଓ କଣ୍ଠ ଶୁଣି ଦର୍ଶକମାନେ କହୁଛନ୍ତି ଯେ କପିଳ ଦେବଙ୍କ ଚରିତ୍ରକୁ ରଣବୀର ଗୋଟାପଣେ ଆୟତ୍ତ କରିପକାଇଛନ୍ତି । କେବଳ ଦର୍ଶକ ନୁହେଁ ବଲିଉଡ୍‍ କଳାକାରମାନେ ମଧ୍ୟ ‘୮୩’ର ପ୍ରଶଂସାରେ ଶତମୁଖ ହୋଇଉଠିଛନ୍ତି ।

ଚଳଚିତ୍ର ମୁକ୍ତିଲାଭ ପୂର୍ବରୁ କରନ ଜୋହର ଏହାକୁ ଏକ ବ୍ଲକ୍‍ବଷ୍ଟର୍ ବୋଲି ଘୋଷଣା କରିଦେଇଛନ୍ତି । ଏଥିରେ ଦର୍ଶକେ ଅନେକ ଲୋକପ୍ରିୟ କଳାକାରଙ୍କୁ ଦେଖିବାକୁ ପାଇବେ । ତାହିର ରାଜ ଭସିନ, ଜିଭା, ସାକିବ ସଲମ, ଯତୀନ ସର୍ନା, ଚିରାଗ ପାଟଲ, ଦିନକର ଶର୍ମା, ନିଶାନ୍ତ ଦାହିୟା, ହାର୍ଡ଼ି ସନ୍ଧୁ, ସାହିଲ ଖଟ୍ଟର, ଏମି ଭିର୍କ ଭାରତୀୟ କ୍ରିକେଟ୍ ଦଳର ଅନ୍ୟାନ୍ୟ ଖେଳାଳିଙ୍କ ଭୂମିକାରେ ଅଭିନୟ କରିଛନ୍ତି । ପଙ୍କଜ ତ୍ରିପାଠୀ ତତ୍‍କାଳୀନ ଦଳର ମ୍ୟାନେଜର୍ ପିଆର୍ ମାନ୍ ସିଂହଙ୍କ ଚରିତ୍ରରେ ଦେଖିବାକୁ ମିଳିବେ । ଆଉ ଏକ ରୋଚକ କଥା ହେଲା ବାସ୍ତବ ଜୀବନରେ ଦମ୍ପତି ପାଲଟିଥିବା ରଣବୀର-ଦୀପିକା ଏଥିରେ ପତି-ପତ୍ନୀ ଭୂମିକାରେ ନଜର ଆସିବେ । ଦୀପିକା ପାଦୁକୋନ୍‌ କପିଳଙ୍କ ପତ୍ନୀ ରୋମି ଭାଟିଆଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । କବୀର ଖାନଙ୍କ ନିର୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘୮୩’ ଆସନ୍ତା ଡିସେମ୍ବର ୨୪ ତାରିଖରେ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲୟାଲମ ଭାଷାରେ ମୁକ୍ତିଲାଭ କରିବ ।

Show More

Related Articles

Back to top button